ଭୁବନେଶ୍ୱର, ଜୁନ ୨: ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ ତମାଖୁ ମୁକ୍ତ ଦିବସ ଉପଲକ୍ଷେ ଶୁକ୍ରବାର ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟେ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗଦେଇ ତମାଖୁ ଭଳି ନିଶାର ବିଜ୍ଞାପନ ଓ ତା’ର ସମାଜ ଉପରେ ପଡ଼ୁଥିବା ପ୍ରଭାବ ଉପରେ ଆଲୋଚନା କରିଥିଲେ । ବଜାରରେ ଉପଲବ୍ଧ ହେଉଥିବା ତମାଖୁର ସୁନ୍ଦର ପ୍ୟାକେଟ୍ ପ୍ରତି ଆକୃଷ୍ଟ ହୋଇ ଯୁବପୀଢ଼ି ତମାଖୁ ସେବନ କରିବାରେ ଅଭ୍ୟସ୍ତ ହେଉଛନ୍ତି । ଏଥିରୁ ସମାଜ ମୁକ୍ତ ରହିବା ନିମନ୍ତେ ପ୍ରଫେସର ସାମନ୍ତସିଂହାର ଆହ୍ୱାନ ଦେଇଥିଲେ ।
ଏହି ଦିବସ ଉପଲକ୍ଷେ ଏକ ବାର୍ତାରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର କହିଥିଲେ ଯେ କେବଳ ତମାଖୁ ଜନିତ ସମସ୍ୟା ନୁହେଁ ମାତ୍ର ଜନସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ସମର୍ପିତ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ପରସ୍ପରର ସୁରକ୍ଷା ନିମନ୍ତେ ଏହାର ନୈତିକ ଦିଗ ବିଷୟରେ ଚିନ୍ତା କରିବା ଆବଶ୍ୟକ ।
ଧୂମ୍ରପାନ କରୁଥିବା ବ୍ୟକ୍ତି ତାଙ୍କ ନିକଟରେ ଥିବା ଅନ୍ୟମାନଙ୍କୁ ମଧ୍ୟ କ୍ଷତି ପହଂଚାଇଥାନ୍ତି । ଏଥିରେ ଶିଶୁ ଓ ବୟସ୍କ ବ୍ୟକ୍ତିମାନେ ଆକ୍ରାନ୍ତ ହୁଅନ୍ତି । ନିଃଶବ୍ଦରେ ଅନେକଙ୍କର କ୍ଷତି ଘଟେ । ଏହା ମାନବୀୟ ମୂଲ୍ୟବୋଧର ମୋ÷ଳିକ ନିୟମର ଅବମାନନା ବୋଲି ସେ କହିଥିଲେ ।
୨୦୨୫ ମସିହାରେ ପୃଥିବୀରେ ପୁଣି କୋଭିଡ ମହାମାରୀର ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ନିଶାଦ୍ରବ୍ୟ ସେବନ ବିରୁଦ୍ଧରେ ସମସ୍ତ ପ୍ରଚେଷ୍ଟା ଜାରି ରହିବା ଆବଶ୍ୟକ କାରଣ ଏହା ସମାଜ ଉପରେ ଏକ ଭାରୀ ବୋଝ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଡାକ୍ତର ତିତାସ୍ ଚୌଧୁରୀ ଗୁଟ୍ଖା, ଖଇନି ଓ ସିଗାରେଟର ବିଜ୍ଞାପନ କିପରି ଯୁବବର୍ଗଙ୍କୁ ଆକର୍ଷିତ କରିବାରେ ସଫଳ ହେଉଛି ସେ ବିଷୟରେ ଆଲୋକପାତ କରିଥିଲେ । ସେହିପରି ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ ଓ ଡାକ୍ତର ସୌମ୍ୟ ରଞ୍ଜନ ଦାଶ ଓ ଡାକ୍ତର ଅମୀୟ କୃଷ୍ଣ ସାହୁ ତମାଖୁ ଜନିତ ବିଜ୍ଞାପନ ଓ ଯୁବବର୍ଗଙ୍କ ମାନସିକତା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ପିଜି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ବକ୍ତୃତା ଓ କବିତା ମାଧ୍ୟମରେ ସଚେତନତା ମୂଳକ ବାର୍ତା ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଡାକ୍ତର ରାକେଶ ମହାନ୍ତି, ଡାକ୍ତର ଲଗ୍ନଜୀତ ଦାଶ, ଡାକ୍ତର ହିରଣ୍ମୟ ମହାପାତ୍ର, ଡାକ୍ତର ରୁପେଶ ସେନାପତି, ଡାକ୍ତର ସ୍ନେହାଂଶୁ ଦେ ପ୍ରମୁଖ ଉପସ୍ଥିତ ଥିଲେ ।
ଶେଷରେ ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର ସମସ୍ତ ତମ୍ବାଖୁ ସେବନକାରୀ ଏହି ଅଭ୍ୟାସରୁ ମୁକ୍ତ ହେବାକୁ ଚାହୁଁଥିଲେ ସମ୍ ହସ୍ପିଟାଲ୍ ସ୍ଥିତ ଟବାକୋ ସେସେସନ ସେଂଟରର ସାହାଯ୍ୟ ନେବାକୁ କହିଥିଲେ ।
ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁରଜିତ ସାହୁଙ୍କ ପ୍ରେରଣା ତଥା ଡାକ୍ତର ନିର୍ଲିପ୍ତ ଦାଶଙ୍କ ପରିକଳ୍ପନାରେ ଏହି କାର୍ଯ୍ୟକ୍ରମଟି ସଫଳ ଭାବେ ଆୟୋଜିତ ହୋଇପାରିଥିଲା ।
ଆସୋସିଏଟ୍ ପ୍ରଫେସର ଡାକ୍ତର ଅମୀୟ ସାହୁ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡାକ୍ତର ତିତାସ୍ ଚୋ÷ଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।