ହେଡଲାଇନସ୍:

ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ତା-୨୯.୦୫.୨୦୨୫: କେନ୍ଦ୍ରୀୟ କୃଷି, କିସାନ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ମାନ୍ୟବର ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଆହ୍ୱାନରେ ଆଜି (୨୯ ମଇ) ଠାରୁ ଦେଶବ୍ୟାପୀ "ବିକଶିତ କୃଷି ସଂକଳ୍ପ ଅଭିଯାନ" ଆରମ୍ଭ ହେଉଛି । ଏହି ଅଭିଯାନ ୧୨ ଜୁନ୍ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ, ରାଜ୍ୟ କୃଷି ବିଭାଗ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR) ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିବେ । ଏହି ଅଭିଯାନ ଅଧୀନରେ ସାରା ଭାରତର ୭୦୦ରୁ ଅଧିକ ଜିଲ୍ଲାରେ ପ୍ରାୟ ୨୦୦୦ ବୈଜ୍ଞାନିକ ଦଳ ଯୋଗଦେବେ ଏବଂ ଆନୁମାନିକ ୧.୫ କୋଟି କୃଷକଙ୍କ ସହିତ ସିଧା ସମ୍ପର୍କ ସ୍ଥାପନ କରାଯିବ । ଏଥିରେ ନୂତନ କୃଷି ପ୍ରଯୁକ୍ତି, ସରକାରୀ ଯୋଜନା ଏବଂ ଉନ୍ନତ ବୀଜ ଓ ରୋଗ ପ୍ରତିରୋଧ ବିଷୟରେ ଚାଷୀମାନଙ୍କୁ ସୂଚନା ଦିଆଯିବ । ପରିଶେଷରେ, କୃଷକମାନଙ୍କ ପ୍ରତିକ୍ରିୟା ଏବଂ ସେମାନଙ୍କ ସମସ୍ୟାଗୁଡ଼ିକୁ ଲିପିବଦ୍ଧ କରାଯିବ । ଏହି ଅଭିଯାନ ପାଇଁ ଜଗତସିଂହପୁରରେ ତିନୋଟି ଦଳ ଗଠନ କରାଯାଇଛି । ପ୍ରତି ଦଳରେ କୃଷି ବିଜ୍ଞାନ କେନ୍ଦ୍ର (KVK), ଜଗତସିଂହପୁର, ICAR-CIFA(ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର), ICAR-NIFMD (ଜାତୀୟ ପାଦ ଓ ମୁଖ ରୋଗ ପ୍ରତିଷ୍ଠାନ), ଜିଲ୍ଲା କୃଷି ବିଭାଗ, ଜିଲ୍ଲା ଉଦ୍ୟାନ ବିଭାଗ, ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗ ଏବଂ ଜିଲ୍ଲା ମତ୍ସ୍ୟ ବିଭାଗର ବୈଜ୍ଞାନିକ ଓ ଅଧିକାରୀମାନେ ଅଛନ୍ତି। ପ୍ରତ୍ୟେକ ଦଳ ଦିନକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୨ଟି କାର୍ଯ୍ୟକ୍ରମ ଆୟୋଜନ କରିବେ ଏବଂ ୧୨ ଜୁନ୍ ପର୍ଯ୍ୟନ୍ତ ୮ଟି ବ୍ଲକର ୧୫,୦୦୦ ଚାଷୀଙ୍କ ସହିତ ସଂପର୍କ କରିବାର ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନ ମାଧ୍ୟମରେ ନୂତନ କୃଷି ପ୍ରଯୁକ୍ତି, ସରକାରୀ ଯୋଜନା ଓ କୃଷି ସମ୍ବନ୍ଧୀୟ ସୂଚନା ଚାଷୀଙ୍କୁ ପ୍ରଦାନ କରାଯିବ। ଆଜି ଏହି ଅଭିଯାନଟି ଜଗତସିଂହପୁର ଜିଲ୍ଲାରେ ଏରସମା ବ୍ଲକର ନୂଆଗାଁ, ଅଚ୍ୟୁତଦାସପୁର, ନଇଗୁଆଁ, ତଳକୁସୁମା ଗ୍ରାମରେ ଏବଂ କୁଜଙ୍ଗ ବ୍ଲକର ଗଣ୍ଡକିପୁର, ଗୋପିଆକୁଦ ଠାରେ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ଶ୍ରୀ ବିଶ୍ୱଜିତ୍ ପଣ୍ଡା, ଜିଲ୍ଲା କୃଷି ଅଧିକାରୀ, ଜଗତିଂହପୁର, ଶ୍ରୀ ବିଭୁଦତ୍ତ ସାହୁ,ଜିଲ୍ଲା କୃଷି ଅଧିକାରୀ, ତିର୍ତୋଲ, ଶ୍ରୀ ସମଲେଇ ପ୍ରସାଦ ପରିଡ଼ା, ସୀତାରତ୍ନମାଳା ଦାସ, ମଣ୍ଡଳ କୃଷି ଅଧିକାରୀ, କୁଜଙ୍ଗ, ସୋଫିଆ ସ୍ବାଇଁ, ମଣ୍ଡଳ କୃଷି ଅଧିକାରୀ, ଏରସମା ଓ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଶ୍ରୀ ଦେବାଶିଷ ପଣ୍ଡା, ଡ଼ ପ୍ରଦୀପ୍ତ ମାଝି, ଡ଼ ଦ୍ୱାରିକା ମୋହନ ଦାସ, ଶ୍ରୀମତୀ ସସ୍ମିତା ପୁରୋହିତ, ଶ୍ରୀମତୀ ସରିତା ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମେରେ ବୈଜ୍ଞାନିକମାନେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ବିକଶିତ ହୋଇଥିବା ନୂତନ ଜ୍ଞାନକୌଶଳ ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଲେ ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା କୃଷି ବିଭାଗ, ଉଦ୍ୟାନ ଓ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ଚାଷୀମାନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କରିଥିବା ବିଭିନ୍ନ ଯୋଜନା ଓ ରିହାତି ସୁବିଧା ବିଷୟରେ ଅବଗତ କରା ଯାଇଥିଲା । ଖରିଫ ଋତୁର ବୁଣାବୁଣି ପୂର୍ବରୁ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା । "ଏକ ରାଷ୍ଟ୍ର, ଏକ କୃଷି" ନୀତିର ମନ୍ତ୍ର ନେଇ, ଭାରତୀୟ କୃଷିର ଭବିଷ୍ୟତ ପାଇଁ, କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଭାରତୀୟ କୃଷି ପରିଷଦର ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ, ଯାହାକି ଆଗାମୀ ଦିନରେ କୃଷି ଓ କୃଷକ ମାନଙ୍କ ସମସ୍ୟାର ସମାଧାନ କରିପାରିବ ।

0
0
0
s2sdefault