ଭୁବନେଶ୍ୱର, ମେ ୨୨: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଅର୍ଥାତ୍ ଇସ୍ରୋ ମହାକାଶରେ ୨୦୩୫ ସୁଦ୍ଧା ଏକ ମଡ୍ୟୁଲାର ମହାକାଶ କେନ୍ଦ୍ର - “ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍’’ ସ୍ଥାପନ କରିବାର ଯୋଜନା ରଖିଛି ବୋଲି ବୁଧବାର ଇସ୍ରୋର ଅଧ୍ୟକ୍ଷ ତଥା ମହାକାଶ ବିଭାଗର ସଚିବ ଡକ୍ଟର ଭି. ନାରାୟଣନ୍ କହିଛନ୍ତି ।
ବିଏଏସ୍ର ସ୍ଥାପନା ମହାକାଶ ଗବେଷଣା ଏବଂ ତତ୍ସମ୍ପର୍କିତ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ, ଗବେଷକ ଏବଂ ଫ୍ୟାକଲ୍ଟିମାନଙ୍କ ସହିତ ଆଲୋଚନା ପରିପ୍ରେକ୍ଷୀରେ ଏହି ସୂଚନା ଦେଇଛନ୍ତି ଇସ୍ରୋର ଅଧ୍ୟକ୍ଷ ।
ଭାରତର ପ୍ରଥମ ମାନବ ମହାକାଶ ମିଶନ, ‘ଗଗନାୟନ’ ୨୦୨୭ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବା ନିମନ୍ତେ ପ୍ରଚେଷ୍ଟା ଚାଲିଥିବା ବେଳେ ଏଥି ନିମନ୍ତେ ୪ ଜଣ ଟେଷ୍ଟ ପାଇଲଟଙ୍କୁ ମହାକାଶଚାରୀ ଭାବେ ପ୍ରଶିକ୍ଷଣ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ମନୁଷ୍ୟ ନ ଥାଇ ଏହି ପରୀକ୍ଷା କରାଯିବ ।
ସେହିପରି ୨୦୪୭ ସୁଦ୍ଧା ଭାରତ ବିଶ୍ୱରେ ଏକ ମହାକାଶ ଶକ୍ତି ଭାବେ ନିଜକୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି । ଏପର୍ଯ୍ୟନ୍ତ ଋଷିଆ, ଯୁକ୍ତରାଷ୍ଟ ଆମେରିକା ଏବଂ ଚୀନ୍ ହିଁ ମହାକାଶକୁ ମାନବ ପଠାଇବାରେ ସଫଳ ହୋଇପାରିଛନ୍ତି ବୋଲି ସେ କହିଥିଲେ ।
ଜଣେ ରକେଟ ବିଶେଷଜ୍ଞଭାବେ ପରିଚିତ ଡକ୍ଟର ନାରାୟଣନ କହିଥିଲେ ଯେ ଯଦିଓ ଭାରତର ମହାକାଶ ଅଭିଯାନ ୧୯୬୨ରେ ଆରମ୍ଭ ହୋଇଥିଲା ଏହି ଯାତ୍ରା ଖୁବ୍ ଲମ୍ବା ଥିଲା । ଦେଶ ଏବେ ଜଣେ ଭାରତୀୟଙ୍କୁ ନିରାପଦ ଭାବେ ଚନ୍ଦ୍ରକୁ ପଠାଇ ପୁଣି ସଫଳତାର ସହ ଫେରାଇ ଆଣିବା ନିମନ୍ତେ ଲକ୍ଷ୍ୟ ରଖିଛି ।
ସେ କହିଥିଲେ ୧୯୬୯ ମସିହାରେ ଯେତେବେଳେ ଇସ୍ରୋ ପ୍ରତିଷ୍ଠା ହୋଇଥିଲା ସେତେବେଳକୁ ଯୁକ୍ତରାଷ୍ଟ୍ର ଆମେରିକା ସଫଳତାର ସହ ନିଲ ଆର୍ମଷ୍ଟ୍ରଙ୍ଗଙ୍କୁ ଚନ୍ଦ୍ରକୁ ପଠାଇସାରିଥିଲା । ତେବେ ବିଳମ୍ବରେ ଆରମ୍ଭ ହେବା ସତ୍ୱେ ଇସ୍ରୋ ଖୁବ୍ ଦୃଷ୍ଟାନ୍ତମୂଳକ ବିକାଶ କରିପାରିଛି । ୧୯୮୦ ମସିହାରେ ପ୍ରଥମ ଥର ପାଇଁ ଭାରତ ମହାକାଶକୁ ୩୫ କେଜିର ସାଟେଲାଇଟ୍ ପଠାଇବାରେ ସଫଳ ହୋଇପାରିଥିଲା ।
ପରବର୍ତୀ ସମୟରେ ଭାରତ ୬ଟି ପିଢ଼ିର ଲଂଚ ଭେହିକଲ ନିର୍ମାଣ କରିବାକୁ ସକ୍ଷମ ହୋଇଛି । ମାତ୍ର ୨୭ ଦିନ ମଧ୍ୟରେ ଏକ ୪୦ ମହଲା ଉଚ୍ଚର ରକେଟ ପ୍ରସ୍ତୁତ କରିବା ଭାରତ ନିମନ୍ତେ ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଥିଲେ ।
ଡ. ନାରାୟଣନ୍ କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ କ୍ରାୟୋଜେନିକ ଇଞ୍ଜିନ୍ ର ଜ୍ଞାନକୌଶଳ ନିମନ୍ତେ ଭାରତ ଅନ୍ୟ ଦେଶମାନଙ୍କର ସାହାଯ୍ୟ ଲୋଡ଼ି ଅପଦସ୍ତ ଓ ଅପମାନିତ ହୋଇଥିଲା । ମାତ୍ର ଦେଶ ଏହା ଏବେ ନିଜେ ନିର୍ମାଣ କରିବାକୁ ସକ୍ଷମ ଅଟେ । ଏ ପର୍ଯ୍ୟନ୍ତ ଭାରତ ୩ଟି କ୍ରାୟୋଜେନିକ ଇଞ୍ଜିନ୍ ପ୍ରସ୍ତୁତ କରିସାରିଥିବା ବେଳେ ସେଥିରୁ ୨ଟି ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ବୋଲି ସେ କହିଥିଲେ ।
ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ୍-୩କୁ ଅବତରଣ କରାଇପାରିବା ସହ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ପାଇପାରିଥିବା ଏକ ବିରାଟ ସଫଳତା ବୋଲି ପ୍ରକାଶ କରି ସେ ଭାରତ ଗୋଟିଏ ମିଶନ୍ରେ ମହାକାଶରେ ୧୦୦ରୁ ଅଧିକ ସାଟେଲାଇଟ୍ ସ୍ଥାପନ କରି ବିଶ୍ୱ ରେକର୍ଡ କରିଥିବା କହିଥିଲେ ।
ଭାରତ ହେଉଛି ଏକ ମାତ୍ର ଦେଶ ଯିଏକି ପ୍ରଥମ ପ୍ରୟାସରେ ହିଁ ମଙ୍ଗଳ ଗ୍ରହର ଅରବିଟରେ ପହଂଚିବାରେ ସକ୍ଷମ ହୋଇପାରିଛି ବୋଲି ସେ କହିଥିଲେ ।
ଡକ୍ଟର ନାରାୟଣନ୍ କହିଥିଲେ ଯେ ଚନ୍ଦ୍ରାୟାନ -୪ ଏକ ଜଟିଳ ମିଶନ ଭାବେ ଉଭା ହୋଇପାରେ । କାରଣ ଏହି ମିଶନ ଜରିଆରେ ଚନ୍ଦ୍ରରେ ଥିବା ପଦାର୍ଥକୁ ଆଣିବାର ଯୋଜନା ରଖାଯାଇଛି । ସେହିପରି ଭାରତ ଜାପାନ୍ର ସହଭାଗିତାରେ ଚନ୍ଦ୍ରାୟାନ-୫ ଲଂଚ୍ କରିବାର ଯୋଜନା ରଖିଥିବା ସେ କହିଛନ୍ତି ।
ସୋଆରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆର ଅନ୍ତରାଷ୍ଟ୍ରୀୟ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଉପସ୍ଥିତ ଥିଲେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଡକ୍ଟର ନାରାୟଣନ୍ଙ୍କୁ ସ୍ୱାଗତ କରିଥିବା ବେଳେ ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଆଇଟିଇଆର୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଏବଂ ବିଭିନ୍ନ ଅନୁଷ୍ଠାନର ଡିନ୍ ମାନେ ଉପସ୍ଥିତ ଥିଲେ । ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରାଜ୍ୟ
୨୦୩୫ ସୁଦ୍ଧା ସ୍ଥାପନ ହେବ ଭାରତର ମଡ୍ୟୁଲାର ଅନ୍ତରୀକ୍ଷ କେନ୍ଦ୍ର: ଇସ୍ରୋ ଅଧ୍ୟକ୍ଷ
- Hits: 89