ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନବୃ୍ଦ୍ଧି ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି I ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବିଦ୍ୟାଳୟର ଭିତ୍ତିଭୂମି ଠାରୁ ଆରମ୍ଭ କରି ଶିକ୍ଷକ ତାଲିମ୍, ଶିକ୍ଷା ଦାନ ପ୍ରଣାଳୀ,ପରୀକ୍ଷା ପ୍ରଣାଳୀ ଆଦିରେ ପରିବର୍ତ୍ତନ ଅଣାଯାଇଛି I ସେହିପରି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ,ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା, ସାଇକେଲ୍ ଯୋଗାଣ , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୁଖ୍ୟମନ୍ତ୍ରୀ ଭାଷା ପୁରସ୍କାର ଆଦି ମାଧ୍ୟମରେ ସରକାରୀ ବିଦ୍ୟାଳୟକୁ ଆକୃଷ୍ଟ କରଯାଇ ପାରିଛି I ଯାହାର ଉନ୍ନତ ପ୍ରତିଫଳନ ଧିରେ ଧିରେ ବିଦ୍ୟାଳୟ କ୍ଷେତ୍ରରେ ପରିଲକ୍ଷିତ ହେଉଛି I ବିଗତ ବର୍ଷ ମାନଙ୍କ ତୁଳନାରେ ବର୍ତ୍ତମାନ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷାରେ ସରକାରୀ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିବା ସହିତ ଉତୀର୍ଣ୍ଣ ହାର ବୃଦ୍ଧି ପାଉଛି I କିନ୍ତୁ ସରକାରୀ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ ଗଠନ ନିମନ୍ତେ ସରକାରୀ ସ୍ତରରେ ସ୍ଵତନ୍ତ୍ର କୋଚିଙ୍ଗ୍ କିମ୍ବା କ୍ୟାରିଅର୍ କାଉନସେଲିଂର ବ୍ୟବସ୍ଥା ନଥିବା ଯୋଗୁଁ ଅଭିଭାବକ ମହଲରେ ଉଦ୍ବେଗ ପ୍ରକାଶନ ପାଇଛି I ଅଭିଭାବକଙ୍କ କହିବା ପ୍ରକାରେ ବର୍ତ୍ତମାନ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଟପର୍ ଛାତ୍ରଛାତ୍ରୀଙ୍କୁ ନେଇ ସ୍ଵତନ୍ତ୍ର କୋଚିଂ ପ୍ରଦାନ କରାଯାଉଛି I ଓଏଭି ଛାତ୍ରଛାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଏକ ଆଇକନିକ୍ ଓଏଭି ସ୍ଥାପନ କରାଯାଇ ସେମାନଙ୍କୁ ସ୍ଵତନ୍ତ୍ର ଶୈଳୀରେ ଶିକ୍ଷା ଦାନ କରାଯାଉଛି I ତେଣୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଭଳି ସରକାରୀ ଉଚ୍ଚ ବିଦ୍ୟାଳୟର A1 ବର୍ଗରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସରକାରୀ ସ୍ତରରେ ସ୍ୱତନ୍ତ୍ର କୋଚିଂର ବ୍ୟବସ୍ଥା କରାଯିବାର ଆବଶ୍ୟକ ରହିଛି ବୋଲି ବହୁ ଅଭିଭାବକ ପ୍ରକାଶ କରିଛନ୍ତି I ସରକାରୀ ବିଦ୍ୟାଳୟରୁ ବହୁ ଗରିବ ମେଧାବୀ ଛାତ୍ରଛାତ୍ରୀ A1 ବର୍ଗରେ ଉତ୍ତୀର୍ଣ୍ଣ ହେଉଥିଲେ ମଧ୍ୟ ଆବଶ୍ୟକ ଅର୍ଥ ଅଭାବରୁ ସେମାନେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦିଗହରା ହୋଇପଡ଼ୁଥିବା ଦେଖିବାକୁ ମିଳୁଛି I ତେଣୁ ସରକାରୀ ବିଦ୍ୟାଳୟରୁ A1 ବର୍ଗରେ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଯଦି ସରକାର ମାଗଣାରେ ସେମାନଙ୍କ ଭବିଷ୍ୟତ ପନ୍ଥା ସମ୍ପର୍କରେ ଉନ୍ନତ ମାନର କୋଚିଂ ଏବଂ କ୍ୟାରିଅର୍ କାଉନସେଲିଂର ବ୍ୟବସ୍ଥା କରାଇପାରନ୍ତେ ତେବେ ସେମାନେ ଆଇଆଇଟି, ମେଡିକାଲ୍,ଓଡ଼ିଶା ପ୍ରଶାସନିକ ସେବା, ଭାରତୀୟ ପ୍ରଶାସନିକ ସେବା ସମେତ ବହୁ ଉଚ୍ଚ ପଦପଦବୀ ପାଇଁ ନିଜକୁ ପ୍ରସ୍ତୁତ କରିବା ସହ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସଫଳତା ହାସଲ କରି ପାରନ୍ତେ I ଏହା ସହିତ ସରକାରୀ ବିଦ୍ୟାଳୟରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢିବା ସହିତ ଅଭିଭାବକ ମାନେ ମଧ୍ୟ ସରକାରୀ ବିଦ୍ୟାଳୟରେ ନିଜ ସନ୍ତାନଙ୍କୁ ପଢାଇବାକୁ ଆଗେଇ ଆସନ୍ତେ I ତେଣୁ ଛାତ୍ରଛାତ୍ରୀଙ୍କ ବିରାଟ ସ୍ୱାର୍ଥକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷାବିତ୍ ଏବଂ ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ପ୍ରକାଶନ ପାଇଛି I
ରାଜ୍ୟ
ସରକାରୀ ଉଚ୍ଚ ବିଦ୍ୟାଳୟରୁ A1 ବର୍ଗରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସ୍ଵତନ୍ତ୍ର କୋଚିଂ ପ୍ରଦାନ ନିମନ୍ତେ ଅଭିଭାବକ ମହଲରେ ଦାବି
- Hits: 9