ଓଡ଼ିଶାର ବରଗଡ଼ ଜିଲ୍ଲା ପଦ୍ମପୁର ସବଡିଭିଜନ ପାଇକମାଳ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତର ଦିଗର ପାଦ ଦେଶରେ ନୃସିଂହ ମହାପ୍ରଭୁଙ୍କ ମନ୍ଦିର ଅବସ୍ଥିତ l ଯାହା ପଶ୍ଚିମ ଓଡ଼ିଶାର ତୀର୍ଥସ୍ଥଳୀ ନୃସିଂହନାଥ ପୀଠ ନାମରେ ପରିଚିତ l କିମ୍ବଦନ୍ତୀ ଅନୁଯାୟୀ ଅଷ୍ଟାଦଶ ଶତାବ୍ଦୀର କବି ଯୁଗ ଦାସଙ୍କ ରଚିତ ନୃସିଂହ ଚରିତ ଅନୁସାରେ ଗୋଦାବରୀ ନଦୀ କୂଳରେ ଉଡ଼ଙ୍ଗ ଋଷି ତପସ୍ୟା କରୁଥିବା ସମୟରେ ତାଙ୍କ କନ୍ୟା ମାଳତୀ ରାବଣଙ୍କ ଦ୍ଵାରା ଧର୍ଷିତା ହୋଇ ଅଭିଶାପ ପାଇଥିଲା l ପରେ ମାଳତୀକୁ ମୂଷିକ ମଧ୍ୟ ଧର୍ଷଣ କରିଥିଲା , ଫଳରେ ମାଳତୀର ଗର୍ଭରୁ ମୂଷିକ ଦୈତ୍ୟର ଜନ୍ମ ହେଲା l ମୂଷିକ ଦୈତ୍ୟ ପ୍ରଥମେ ନିଜ ମା'କୁ ଭକ୍ଷଣ କରିଥିଲା ଓ ଦେବାଦେବୀଙ୍କ ପାଇଁ ବିପଦ ସାଜିଥିଲା l ଏହା ସହିତ ମୂଷିକ ଦୈତ୍ୟ ଶିବଙ୍କ ଠାରୁ ବର ପାଇଥିଲା ଯେ, କେବଳ ନରସିଂହଦ୍ଵାରା ପରାଜିତ ହେବ l ମୂଷିକ ଦୈତ୍ୟର ଅତ୍ୟାଚାର ବଢ଼ିବା ଯୋଗୁଁ ଭଗବାନ ବିଷ୍ଣୁ ନରସିଂହ ରୂପ ନେଇ ତା'ର ସାମ୍ନା ରେ ଛିଡ଼ା ହେଲେ l ମୂଷିକ ଦୈତ୍ୟ ପ୍ରାଣ ଭୟରେ ଗନ୍ଧ ଗିରି ବର୍ତ୍ତମାନର ଗନ୍ଧମାର୍ଦ୍ଦନ ପର୍ବତର ଏକ ଗାତରେ ଲୁଚି ରହିଲା ଓ ସେ ଗାତ ମୁଁହରେ ଭଗବାନ ବିଷ୍ଣୁ ମାର୍ଜାର ରୂପରେ ଅପେକ୍ଷା କରି ରହିଲେ l
ଅନ୍ୟ ଏକ କିମ୍ୱଦନ୍ତୀ ଅନୁସାରେ ଆଜିକୁ ପ୍ରାୟ ଛଅ ଶହ ବର୍ଷ ପୂର୍ବେ ହରି ଓ ସହଦେବ ଦୁଇ କନ୍ଧ ଭାଇ ନୃସିଂହ ନାଥ ଅଂଚଳ ରେ ବସବାସ କରୁଥିଲେ l ସେମାନଙ୍କ ପତ୍ନୀ ଯମୁନା ଓ ରୋଦନା ଗନ୍ଧ ଗିରି ଅଂଚଳରେ କନ୍ଦ ମୂଳ ସଂଗ୍ରହ କରି ଜୀବନ ଅତିବାହିତ କରୁଥିଲେ l ଏକଦା ଦିନେ ଏକ ବଡ଼ କନ୍ଦ ଖୋଳୁ ଖୋଳୁ ସେଥିରୁ ରକ୍ତ ବାହାରିବା ଦେଖି ଯମୁନା ଓ କାନ୍ଧୁଣୀ ଭୟଭୀତ ହେଇ ଯାଇଥିଲେ l ପରେ ସେଠାରେ ହରି ଓ ସହଦେବ ଦୁଇ ଭାଇ ପହଞ୍ଚି ଦେଖିଲା ବେଳକୁ ସେଠାରେ ରକ୍ତ ବଦଳ ରେ କ୍ଷୀର ବାହାରୁଛି l ଆହୁରି ଶବ୍ଦ ହେଉଛି,"ହେ ହରି ଓ ଯମୁନା, ମୁଁ ତୁମ ପ୍ରତି ପ୍ରସନ୍ନ ହୋଇଛି l ମୋତେ ଏଠାରୁ ନେଇ ଏକ ମନ୍ଦିର ନିର୍ମାଣ କର ଓ ପୂଜା କର l ମୂଷିକ ଦୈତ୍ୟକୁ ବଧ କରିବା ପାଇଁ ମୁଁ ଏଠାରେ ମାର୍ଜାର ବେଶରେ ଜଗି ରହିଛି l ପରେ ଯମୁନା ପାଟଣା ରାଜ୍ୟର ରାଜା ବୈଜଳ ଦେବଙ୍କୁ ଏହି ସବୁ କଥା କହିଥଲେ l ବୈଜଳଦେବ ୧୪୧୩ ଖ୍ରୀଷ୍ଟାବ୍ଦରେ ଚୈତ୍ର ପୂର୍ଣ୍ଣିମା ଦିନ ମନ୍ଦିର ନିର୍ମାଣ କରିଥିଲେ l ଏହି ମନ୍ଦିରର ଜଗମୋହନରେ ତିନୋଟି ଦ୍ୱାର ଅଛି । ଏଠାରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ଜଗମୋହନ ଓ ଗର୍ଭଗୃହକୁ ଏକ କ୍ଷୁଦ୍ର ପଥ ସଂଯୋଗ କରୁଛି । ଗର୍ଭଗୃହରେ ଚାରିଗୋଟି ସ୍ତମ୍ଭ ରହିଛି । ବୌଦ୍ଧ ଧର୍ମର ପତନ ପରେ ଏହା କୌଣସି ବୌଦ୍ଧବିହାରରୁ ଅଣାଯାଇ ଲଗାଯାଇଥିବା ଐତିହାସିକମାନେ ମତ ଦିଅନ୍ତି । ଗର୍ଭଗୃହର ତିନୋଟି ଦିଗର କାନ୍ଥରେ ପାର୍ଶ୍ଵ ଦେବତାଙ୍କ ଆସ୍ଥାନ ରହିଛି । ଏଥିରେ ଶ୍ରୀ ବିଷ୍ଣୁ ଭଗବାନଙ୍କ ଦଶାବତାର ମଧ୍ୟରୁ ହିରଣ୍ୟକଶିପୁ ସଂହାରକର୍ତ୍ତା, ନୃସିଂହ, ବାମନ ଓ ବରାହଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି । ନୃସିଂହନାଥ ମନ୍ଦିରର ଉଚ୍ଚତା ହେଉଛି ୪୫ ଫୁଟ୍ । ଏହାର ଶିଖରରେ ଏକ ପିତ୍ତଳ କଳସ ସ୍ଥାପନ କରାଯାଇଛି ।
ମନ୍ଦିରର ଦ୍ୱାରବନ୍ଧଗୁଡ଼ିକ ମୁଗୁନି ପଥରରେ ନିର୍ମିତ ହୋଇଛି । ଲକ୍ଷ୍ମୀଙ୍କର ବିଭିନ୍ନ ପ୍ରକାରର ମୂର୍ତ୍ତି ପ୍ରତ୍ୟେକ ଦ୍ୱାରବନ୍ଧରେ ଖୋଦିତ ହୋଇଛି । ସେହିପରି ଉତ୍ତର ଦିଗର ଦ୍ୱାରବନ୍ଧ ଉପରେ ପଦ୍ମାସନରେ ଗଜଲକ୍ଷ୍ମୀ ଅଛନ୍ତି । ତାଙ୍କର ଉଭୟ ପାର୍ଶ୍ଵରେ ଚାମରଧାରିଣୀ ସେବିକାମାନେ ଶୋଭା ପାଉଛନ୍ତି ।
ଜଗମୋହନ ଓ ମନ୍ଦିରର ବାହ୍ୟ କାନ୍ଥରେ ଅଷ୍ଟଭୂଜା ଗଣେଶ, ହନୁମାନ, ସହଦେବ, ସରସ୍ଵତୀ, ରାଧାକୃଷ୍ଣ, ଲଡ଼ୁବାବା, ଲକ୍ଷ୍ମୀନୃସିଂହ ଓ ଶାଳଗ୍ରାମଙ୍କ ମୂର୍ତ୍ତି ରହିଛି । ମନ୍ଦିର ଓ ପର୍ବତର କାନ୍ଥର ମଝିରେ ମୂଷିକ ଦୈତ୍ୟଙ୍କ ଗର୍ଭ ରହିଛି । ମନ୍ଦିର ସମ୍ମୁଖରେ ଗରୁଡ଼ ସ୍ତମ୍ଭ ସ୍ଥାପିତ ହୋଇଛି । ଏହି ଗରୁଡ଼ ସ୍ତମ୍ଭଟି ବିଷ୍ଣୁଙ୍କ ପରିଚାୟକ ଅଟେ ।
ଓଡ଼ିଶାରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେପରି ଏକ ରହସ୍ୟମୟ ଦେବତା ଅଟନ୍ତି ଠିକ୍ ସେହିପରି ନୃସିଂହନାଥ ପୀଠର ନୃସିଂହ ମହାପ୍ରଭୁ ମଧ୍ୟ ରହସ୍ୟମୟ ଅଟନ୍ତି l ଭାରତ ବର୍ଷ ରେ କୌଣସି ମନ୍ଦିରରେ ମାର୍ଜାର ବିରାଡ଼ି ମୁଣ୍ଡଥିବା ଦେବତା ପୂଜା ପାଆନ୍ତି ନାହିଁ l ଭଗବାନ ବିଷ୍ଣୁଙ୍କ ଦଶାବତାର ମଧ୍ୟରୁ ନୃସିଂହ ଅବତାର ଅନ୍ୟତମ l ଏଠାରେ ନୃସିଂହ ମହାପ୍ରଭୁଙ୍କ ମୁଁହ ବିରାଡ଼ି ଓ ଶରୀର ହେଉଛି ସିଂହ ଆକୃତିର l ଏଠାରେ ମହାପ୍ରଭୁଙ୍କ ପୂଜା ଅର୍ଚ୍ଚନା କରିବା ପାଇଁ ପ୍ରତ୍ୟେକ ଦିନ ସକାଳ ୫ଟାରୁ ମନ୍ଦିର ଖୋଲା ଯାଇଥାଏ ଓ ସନ୍ଧ୍ୟା ୬ ଟାରେ ମନ୍ଦିର ବନ୍ଦ ହୋଇଥାଏ l ସକାଳ ୫ଟାରେ ଆରତୀ ସହିତ ଖେଚୁଡ଼ି ଭୋଗ ଲାଗିହୁଏ , ସେହିପରି ୧୧ଟାରେ ଅନ୍ନ ଭୋଗ, ଅପରାହ୍ନ ୪ଟାରେ ବାଳଭୋଗ ଓ ସନ୍ଧ୍ୟା ୬ଟାରେ ଯାମିନୀ ଭୋଗ ଅର୍ପଣ କରାଯାଏ l ସେହିପରି ମହାପ୍ରଭୁଙ୍କ ଠାରେ ପ୍ରତ୍ୟେକ ଦିନ ମଧ୍ୟାହ୍ନ ୧୨ଟା ଓ ରାତି ୯ ଟାରେ ଭକ୍ତ ମାନଙ୍କୁ ବିନାମୂଲ୍ୟରେ ଅନ୍ନ ଭୋଗ ଯାହାକୁ ହରିହର ପଙ୍ଗତ ନାମିତ ବଣ୍ଟନ କରାଯାଇଥାଏ l ସେହିପରି ପବିତ୍ର ଅକ୍ଷୟ ତୃତୀୟା ଦିନଠାରୁ ଦଶମୀ ପର୍ଯ୍ୟନ୍ତ ନୃସିଂହ ମହାପ୍ରଭୁଙ୍କ ନିକଟରେ ପଖାଳ ଭୋଗ ଲାଗିହୁଏ l ଏହି ଭୋଗ ଅପରାହ୍ନ ଚାରିଟା ବେଳକୁ ଲାଗି ହୁଏ l ଏହି ପୀଠରେ ବର୍ଷ ତମାମ ୨୨ଟି ପର୍ବ ପାଳନ କରାଯାଏ l ସେଗୁଡ଼ିକ ହେଉଛି :- ବୈଶାଖ ମେଳା, କାର୍ତ୍ତିକ ମେଳା, ମାଘ ମେଳା, ପୁଷ୍ୟାଭିଷେକ, ମକର ସଂକ୍ରାନ୍ତି, ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ଶ୍ରାବଣ ପୂର୍ଣ୍ଣିମା, ବଡ଼ ଏକାଦଶୀ, ଗଣେଶ ପୂଜା, ଅଁଳା ନବମୀ, ଲକ୍ଷ୍ମୀ ପୂଜା, ପୌଷ ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମା, ତିଳ ସପ୍ତମୀ, ସପ୍ତପୁରୀ ଅମାବାସ୍ୟା, ଚୈତ୍ର ମଙ୍ଗଳା ପୂଜା, ମହାଶିବରାତ୍ରି ଓ ହନୁମାନ ଜୟନ୍ତୀ l ଏହି ପୀଠର ପ୍ରମୁଖ ମେଳା ହେଉଛି ବୈଶାଖ ମେଳା, ଯାହା ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବକୁ ପାଳନ କରାଯାଇଥାଏ l ବୈଶାଖ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମାରେ ଶେଷ ହୋଇଥାଏ l ମନ୍ଦିର ନିର୍ମାଣ ହେବାଠାରୁ ଏହି ମେଳା ପାଳନ କରାଯାଉଅଛି l ଏହି ସମୟରେ ପଶ୍ଚିମ ଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ l ସେହିପରି ନୃସିଂହ ଜନ୍ମୋତ୍ସବ ଦିନ ମନ୍ଦିର ଉପରେ କନ୍ଧମାନେ ନେତ ବାନ୍ଧିଥାଆନ୍ତି l ଏହି ଦିନ ଭଗବାନ ଉପବାସ ରହିଥାନ୍ତି ଓ ରାତିରେ ଭଗବାନଙ୍କୁ କନ୍ଧ ସମାଜଦ୍ବାରା କନ୍ଦା ଭୋଗ ଅର୍ପଣ କରାଯାଏ l ଏହି ମେଳା ଦୀର୍ଘ ୫ ଦିନ ଧରି ଅନୁଷ୍ଠିତ ହୋଇଥାଏ l ବୈଶାଖ ମେଳାରେ ବୁଡ଼ ପକାଇଲେ ଭକ୍ତଙ୍କ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ କରାଯାଏ l
ଗନ୍ଧ ମର୍ଦ୍ଦନ ପର୍ବତରେ ପ୍ରାୟ ୩୦ଗୋଟି ଛୋଟ ବଡ଼ ଝରଣା ଓ ୨୦୦ରୁ ଅଧିକ ପ୍ରକାର ଆୟୁର୍ବେଦିକ ବୃକ୍ଷ ରହିଛି l ସେହିପରି ବଡ଼ ବଡ଼ ଶାଳ, ପିଆଶାଳ ବୃକ୍ଷ ରହିଛି l ଖଣିଜ ପଦାର୍ଥ ମଧ୍ୟରେ ବକ୍ସାଇଟ୍, ଜିଙ୍କ୍ ଓ ଅନ୍ୟାନ୍ୟ ମୂଲ୍ୟବାନ ପଥର ରହିଛି l
ରାଜ୍ୟ
ନୃସିଂହନାଥ ମନ୍ଦିର ଓ ବୈଶାଖ ମେଳା
- Hits: 22