କ୍ଷତିପୂରଣ ପ୍ରଦାନରେ ବିଳମ୍ବ ଯୋଗୁ ସମବାୟ ବ୍ୟାଙ୍କରେ ଚାଷୀ ତାଲା ପକାଇଲେ
ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ
ବରଗଡ଼/ ନୀଳ ଦୀପ -ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରଦାନରେ ବିଳମ୍ବକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଶୁକ୍ରବାର ଚାଷୀ ସଂଗଠନ ସମନ୍ୱୟ ସମିତି, ବରଗଡ଼ର ପ୍ରତିନିଧିମାନେ ବରଗଡ଼ ଲେଙ୍ଗୁ ମିଶ୍ର ଛକ ନିକଟରେ ରହିଥିବା ସମ୍ବଲପୁର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ତାଲା ପକାଇ ଧାରଣାରେ ବସିଥିଲେ । ଫଳରେ ଦୀର୍ଘ ସମୟ ଧରି ସେଠାରେ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ପରେ ସମବାୟ ବ୍ୟାଙ୍କର ଅତିରିକ୍ତ ସାଧାରଣ ପରିଚାଳକ(ଡିଜିଏମ) ଆର.ସି ଆଚାର୍ଯ୍ୟ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଆନ୍ଦୋଳନରତ ଚାଷୀଙ୍କ ସହିତ ଆଲୋଚନା କରିବା ସହିତ ଫୋନ୍ ଯୋଗେ ନେଶନାଲ ଇନସ୍ୟୁରେନ୍ସ କମ୍ପାନୀର ରେଜିଓନାଲ ମ୍ୟାନେଜର ସହିତ କଥାବାର୍ତ୍ତା ହୋଇଥିଲେ । ଆସନ୍ତା ୧୭ତାରିଖ ସୁଦ୍ଧା ବୀମା କ୍ଷତିପୂରଣ ବାବଦକୁ କ୍ଲେମ ରିପୋର୍ଟ ଚାଷୀ ସଂଗଠନ ସମନ୍ୱୟ ସମିତି ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ବୀମା କମ୍ପାନୀର ରିଜିଓନାଲ ମ୍ୟାନେଜର ସହମତି ପ୍ରକାଶ କରିଥିବା ନେଇ ଡିଜିଏମ ଆଚାର୍ଯ୍ୟ ଲିଖିତ ପ୍ରତିଶୃତି ଦେଇଥିଲେ । ଏହାପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ । ପ୍ରକାଶ ଯେ,କରାଯିବ ବୋଲି ପ୍ରକାଶ ଯେ, ଗତମାସ ୧୩ତାରିଖ କୃଷକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲାପାଳ ଅଫିସ ଘେରାଉ କରାଯାଇଥିଲା । କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ ପ୍ରଦାନ, କ୍ରମାଗତ ଫସଲକ୍ଷତି ଓ ମରୁଡ଼ିର ସମ୍ମୁଖୀନ ହେଉଥିବା ଚାଷୀଙ୍କ କୃଷିଋଣକୁ ସମ୍ପୁର୍ଣ୍ଣ ଛାଡ଼ କରିବା, କୃଷିକାର୍ଯ୍ୟ ପାଇଁ ବିଦ୍ୟୁତ ଦେୟ ଛାଡ଼, ଟ୍ରାକ୍ଟର ପାଇଁ ଉଦ୍ଦିଷ୍ଟ ଫିଟ୍ନେସ ପାଇଁ ଜୋରିମାନା ଅସୁଲି ବନ୍ଦ କରିବା, କୃଷିଜାତ ଦ୍ରବ୍ୟର ସଂରକ୍ଷଣ ସହିତ ଉପଯୁକ୍ତ ବିକ୍ରିମୂଲ୍ୟ ପ୍ରଦାନ, ଚାଷୀମାନଙ୍କୁ ସାମାଜିକ ସୁରକ୍ଷା ପାଇଁ ୫୦ବର୍ଷର ଊର୍ଦ୍ଧ୍ୱ ବୟସ୍କ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ଲେଖାଏଁ ପେନସନ ପ୍ରଦାନ ଆଦି ସେଥିମଧ୍ୟରେ ରହିଥିଲା ।ସେହି ଆନ୍ଦୋଳନ ପରେ ଗତମାସ ୧୯ତାରିଖ ଚାଷୀ ସଂଗଠନ ସମନ୍ବୟ ସମିତି, ପ୍ରଶାସନ ଓ ବୀମା କମ୍ପାନୀ ମଧ୍ୟରେ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଏକ ତ୍ରିପାକ୍ଷିକ ବୈଠକ ବସିଥିଲା ଏବଂ ସେହି ବୈଠକରେ ଚାଷୀ ସଂଗଠନର ଦାବି ମୁତାବକ ମେ ମାସ ୫ତାରିଖ ସୁଦ୍ଧା ବୀମା କ୍ଲେମ ରିପୋର୍ଟ ଏବଂ ମେ ୩୧ତାରିଖ ସୁଦ୍ଧା ଚାଷୀଙ୍କୁ ବୀମା ଅର୍ଥ ପ୍ରଦାନ ପାଇଁ ଉପସ୍ଥିତ ବୀମା କମ୍ପାନୀର ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ । ତେବେ ୫ତାରିଖ ଅତିବାହିତ ହୋଇଥିଲେ ହେଁ ଚାଷୀ ସଂଗଠନ ସମ୍ମୁଖରେ ଏପର୍ଯ୍ୟନ୍ତ ବୀମା କ୍ଲେମ ରିପୋର୍ଟ ଉପସ୍ଥାପନ ନ ହେବାରୁ ଚାଷୀମାନେ ପୁଣି ଜିଲାପାଳଙ୍କୁ ଫେରାଦ ହୋଇଥିଲେ । ଏହାସତ୍ତ୍ବେ କୌଣସି ସୁଫଳ ନ ମିଳିବାରୁ ଶନିବାର ସେମାନେ ସମବାୟ ବ୍ୟାଙ୍କରେ ତାଲା ପକାଇଥିଲେ। ଚାଷୀ ସଂଗଠନ ସମନ୍ବୟ ସମିତିର ସଭାପତି ଜୟକୃଷ୍ଣ ସାହୁଙ୍କ ନେତୃତ୍ୱରେ କିଶୋର ଚନ୍ଦ୍ର ଦେବତା, ପଞ୍ଚାନନ ଦଳପତି, ଚୈତନ୍ୟ କର୍ଣ୍ଣ ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।