ପଣ୍ଡାପଡ଼ାରେ କୁଡ଼ୁମୀ ସମ୍ପ୍ରଦାୟର ସମସ୍ୟା ନେଇ ବିଶାଳ ସମାବେଶ
ଯଶୀପୁର : କୃଷି ରାଜ୍ୟ ଅର୍ଥନୀତିର ଚାବିକାଠି । କୃଷି ଓ କୃଷକର ବିକାଶ ନ ହେଲେ ରାଜ୍ୟର ବିକାଶ ଘଟିବା ସମ୍ଭବ ନୁହେଁ । କିନ୍ତୁ ଏଠାରେ ଚାଷୀକୁଳ ସବୁଠାରୁ ଅବହେଳିତ । ବିଶେଷ କରି ଓଡ଼ିଶାର ୮ଟି ଜିଲାରେ ବସବାସ କରୁଥିବା ୨୫ ଲକ୍ଷରୁ ଉର୍ଦ୍ଧ କୁଡୁମୀ ସମ୍ପ୍ରଦାୟ କୃଷି ଓ ଗୋ ପାଳନ କ୍ଷେତ୍ରରେ ନିୟୋଜିତ ଥାଇ ମଧ୍ୟ ଉପେକ୍ଷିତ । ଏହି ବର୍ଗଙ୍କ ନ୍ୟାର୍ଯ୍ୟ ଦାବି ଓ ବିକାଶ ପ୍ରତି ସରକାର ଦୀର୍ଘ ଦିନ ହେଲା ଅଣଦେଖା କରି ଚାଲିଛନ୍ତି । ପ୍ରକୃତରେ କୁଡୁମୀ ଜାତି ହେଲେ ଆଦିମ ଜନଜାତି । ଏମାନଙ୍କ ଭାଷା କୁଳମାଲୀ । ତେଣୁ ଏହି ଜାତକୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ କରାଯିବା ଏକାନ୍ତ ଜରୁରୀ । ମୁଖ୍ୟମନ୍ତ୍ରୀ ନବୀନ ବାବୁ ୨୦୦୪ ଫେବୃୟାରୀ ୨ ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲାର ଯଶିପୁର ବ୍ଳକ ରାମତୀର୍ଥଠାରେ ଏକ ସାଧାରଣ ସଭାରେ ଯୋଗଦେଇ କୁଡୁମୀମାନଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦେବାପାଇଁ ଯେଉଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଏବେ ଦୀର୍ଘ ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ ନ କରିବା ଏହି ଜାତି ପ୍ରତି ଚରମ ଉପହାସ ବୋଲି ଗତ ୬ ତାରିଖ ଦିନ କେନ୍ଦୁଝର ଜିଲ୍ଲା ପଣ୍ଡାପଡାଠାରେ ଜିଲ୍ଲା କୁଡୁମୀ ଉନ୍ନୟନ କମିଟିର ଆବାହକ ନିରଞ୍ଜନ ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଶାଳ କୁଡୁମି ସମାବେଶର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହା ଅପାରଗତାର ଏକ ପରିଚୟ ବୋଲି କହିଛନ୍ତି । କେନ୍ଦ୍ରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଆଦିବାସୀ ବିଭାଗ ମନ୍ତ୍ରୀ ଜୁଏଲ ଓରାମଙ୍କର ଏଥିପ୍ରତି ମଧ୍ୟ କେତେ ତପôରତା ଅଛି ବୋଲି ସେ ପ୍ରଶ୍ୱ କରିଥିଲେ । ସରକାର କାଳବିଳମ୍ବ ନ କରି କୁଡୁମୀ ସମାଜ ପ୍ରତିି ତତ୍ପରତା ପ୍ରକାଶ କରିବାକୁ ସେ ଯୁକ୍ତି ଉପସ୍ଥାପିତ କରିଥିଲେ । ଏହି ସମ୍ମିଳନୀରେ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି ଯେ ୧୯୫୬ ମସିହା ପୂର୍ବରୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ ଥିବା କୁଡୁମୀ ସମ୍ପ୍ରଦାୟଙ୍କୁ ଏହି ତାଲିକାରୁ ବାଦ୍ ଦିଆଯିବା ଫଳରେ ରାଜ୍ୟର ଆଦିବାସୀ ବହୁଳ ୮ଟି ଜିଲ୍ଲାରେ ଥିବା ୫ ଲକ୍ଷରୁ ଉର୍ଦ୍ଧ କୁଡୁମୀ ପରିବାର ସେମାନଙ୍କର ମୌଳିକ ଅଧିକାର ପାଇବାରୁ ବଂଚିତ ହୋଇଛନ୍ତି । ପଡୋଶୀ ପଶ୍ଚିମବଙ୍ଗ ସରକାର ତାଙ୍କ ରାଜ୍ୟରେ କୁଡୁମୀମାନଙ୍କ ବିକାଶ ପାଇଁ ସରକାରୀ ସ୍ତରରେ କୁଡୁମୀ ବିକାଶ ପରିଷଦ ଗଠନ, ଝୁମର ଏକାଡେମୀ ଗଠନ, କୁଡମାଲୀ ଭାଷାକୁ ମାନ୍ୟତା, ଏହି ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଷ କରିଥିବା ବେଳେ ଓଡ଼ିଶା ସରକାରଙ୍କ ଏଥିପ୍ରତି ଦୃଷ୍ଟି ନ ଥିବା କୁଡୁମୀମାନଙ୍କ ପ୍ରତି ଚରମ ଅବହେଳା ବୋଲି ସେ କହିଛନ୍ତି । ତେଣୁ ସରକାର ଏହି ବର୍ଗଙ୍କ ହକ୍ ପୂରଣ କରିବା ସହିତ ସେମାନଙ୍କୁ ଜଙ୍ଗଲ ଜମିର ଅଧିକାର ଦେବା ପାଇଁ ସୁବ୍ୟବସ୍ଥା କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ଏଥିରେ ଜିଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୫ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାବେଶ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କରମଳ ନେତା ଶେକ୍ ମୋବିନ୍, କୁଡ଼ୁମୀ ସମ୍ପ୍ରଦାୟର ବରିଷ୍ଠ ନେତା ଶଶଧର ମହାନ୍ତ, ଅଭିମନ୍ୟୁ ମହାନ୍ତ, ମାଧବାନନ୍ଦ ମହାନ୍ତ, ସନାତନ ମହାନ୍ତ । ଭରତ ଚନ୍ଦ୍ର ମହାନ୍ତ, ଭବାନୀ ଶଙ୍କର ମହାନ୍ତ, କୃଷାସିନ୍ଧୁ ମହାନ୍ତ, କ୍ଷେତ୍ରମୋହନ ମହାନ୍ତ, ଜୟନ୍ତ ମହାନ୍ତ, ଦୟାନିଧି ମହାନ୍ତ, ଖଗେଶ୍ୱର ମହାନ୍ତ, ଦଶରଥ ମହାନ୍ତ, ମହେଶ୍ୱର ମହାନ୍ତ, ମୋହନ ମହାନ୍ତ, ସହଦେବ ମହାନ୍ତ, ସରୋଜ ମହାନ୍ତ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।