ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ତମ ଜୟନ୍ତୀ
ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ନବଉତ୍କଳର ନିର୍ମାଣ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର, ସାହିତ୍ୟାନୁରାଗୀ , ସୁଶାସକ ତଥା ପ୍ରଜାବତ୍ସଳ ମହାରାଜା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳାର ସ୍ୱର୍ଗତ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତାଙ୍କ ଜନ୍ମସ୍ଥାନ ପାରଳା ମାଟିରେ ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କ ସହଯୋଗରେ ଜିଲ୍ଲାସ୍ତରୀୟ ୧୨୭ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ଅବସରରେ ବଜାର ଛକସ୍ଥିତ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତିରେ ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତା ରାଣୀ ବେହେରା, ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ବିଧାୟକ କେ ସୂର୍ଯ୍ୟାରାଓ, ଅତିରିକ୍ତ ଜିଲ୍ଲାପାଳ ଧ୍ରୁବରାଜ ପାଣ୍ଡେ, ମହାରାଜାଙ୍କ ପଣି ନାତୁଣୀ ତଥା ପାରଳା ଯୁବରାଣୀ କଲ୍ୟାଣୀ ଗଜପତି, ଓକିଲ ସଂଘ ସଭାପତି ରାମନାଥ ମିଶ୍ରଙ୍କ ସମେତ ବହୁ ସଂଖ୍ୟାରେ ଉକ୍ରଳ ସମ୍ମିଳନୀ, ଉକ୍ରଳ ହିତୈଷିଣୀ ସମାଜ, ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସାଂସ୍କୃତିକ ଓ ବ୍ୟବସାୟିକ ଅନୁଷ୍ଠାନ କର୍ମକର୍ତା, ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଗଣ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ତା’ପରେ ବୀରବାଦ୍ୟ ଓ ବୀର ପାଇକ ଖଣ୍ଡା ସାଧନ ଆଖଡ଼ା ଦଳ ସହିତ ଏକ ବର୍ଣ୍ଣାଢ୍ୟ ପୂର୍ଣ୍ଣ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଗଜପତି ବିହାରଠାରେ ଥିବା ମହାରାଜାଙ୍କ ସ୍ମୃତି ସୌଧଠାରେ ମଧ୍ୟ ସମସ୍ତ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ମୃତି ସୌଧ ଉପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପ ଦେଇ ଭକ୍ତିପୁତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଓଡ଼ିଆ ଭାଷାଭାଷୀ ଅଂଚଳକୁ ନେଇ ଏକତ୍ରିତ କରି ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବା ଦିଗରେ ନିର୍ମାଣରେ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ପାଇଁ ସେ ଓଡ଼ିଶାବାସୀଙ୍କ ନିକଟରେ ଚିରସ୍ମରଣୀୟ ହୋଇରହିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।