ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ନିର୍ବାସନ, ପ୍ରତ୍ୟାହାର ଆଉ ଥଇଥାନ
ଭୁବନେଶ୍ୱର :ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଭାବେ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ନିଯୁକ୍ତ କରିବା ସହ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ବାରିପଦାର ପୂର୍ବତନ ବିଧାୟକ ଶ୍ରୀ ଛତିଶ ଧଳଙ୍କୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଏବଂ ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ବଲାଙ୍ଗୀରର ଲଳିତ କୁମାର ନାୟକଙ୍କୁ ବିଜେଡି ରାଜ୍ୟ ସଂପାଦକ ସହ ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଏବଂ ବିଜୁ ମହିଳା ଜନତା ଦଳ ରାଜ୍ୟ ଉପ-ସଭାନେତ୍ରୀ ଭାବେ ଶ୍ରୀମତୀ ଇତିଶ୍ରୀ ସାମଲଙ୍କୁ ନିଯୁକ୍ତ କରିଛନ୍ତି । ସେହିପରି ଶ୍ରୀ କୃଷ୍ଣ ପଣ୍ଡାଙ୍କୁ ବିଜୁ ଜନତା ଦଳ ରାଜ୍ୟ ସଂପାଦକ, ଶ୍ରୀ ପ୍ରୀତିରଞ୍ଜନ ସାହୁଙ୍କୁ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ-ସଭାପତି, ଶ୍ରୀ ଅବିନାଶ ପ୍ରଧାନଙ୍କୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି |
ସେହିପରି ଯାଜପୁର ରୋଡ୍ର ଶ୍ରୀମତୀ ସବିତା ରାଉତ, ଭଦ୍ରକ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ମଳୟ କୁମାର ଜେନା, ଭଦ୍ରକ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ନାୟକ, ଭଦ୍ରକ ପୌରପାଳିକାର ପୂର୍ବତନ କାଉନ୍ସିଲର ଶ୍ରୀ ପ୍ରଣୟ କୁମାର ଦାସ, ଭଦ୍ରକ ଆର୍ସିଏମ୍ଏସ୍ର ପୂର୍ବତନ ସଭାପତି ଶ୍ରୀ ଶ୍ୟାମସୁନ୍ଦର ନାୟକ, ଭଦ୍ରକ ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ଏମ୍ଡି. ଜକାଉଲ୍ଲା, ଭଦ୍ରକର ପୂର୍ବତନ ବିଜେଡି ନଗର ସଭାପତି ତେହେର ମହମ୍ମଦ, ଭଦ୍ରକ ପୌରପାଳିକାର ପୂର୍ବତନ କାଉନ୍ସିଲର ଗୁଲାମ ଅଲ୍ଲୀ ଓ ହବିବୁଲ୍ଲ ରହେମାନ୍, ପୂର୍ବତନ ବିଜେଡି ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ଏସ୍କେ. ନିଜାମୁଦ୍ଧିନ୍, ପାଟଣା ପୂର୍ବତନ ବିଧାୟକ ଶ୍ରୀ କାହ୍ନୁଚରଣ ନାଏକ, ବଡ଼ବିଲର ବିଜୟ ମହାନ୍ତି, ଯୋଡ଼ା ପୌରପାଳିକାର ପୂର୍ବତନ କାଉନ୍ସିଲର ଶ୍ରୀ ସନ୍ତୋଷ କୁମାର ବଳ, ମାତା ଜୈଶୱାଲ୍, ରବୀନ୍ଦ୍ର କୁମାର ଦାସ ଏବଂ ଚମ୍ପୁଆର ସୁବାସ ଚନ୍ଦ୍ର ରେମ୍ଙ୍କର ନିଲମ୍ବନ ଆଦେଶକୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରତ୍ୟାହାର କରିନେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।
ପ୍ରଶାନ୍ତବି ମୁଦୁଲିଙ୍କ ପ୍ରାର୍ଥୀତ୍ୱକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଦୂର କରିବା ପାଇଁ ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଭାବେ ଶ୍ରୀ ଅମରେନ୍ଦ୍ର ଦାସଙ୍କୁ ନିଯୁକ୍ତି ଦିଆଯାଇଛି |












