-
୧୮ରେ କମ୍ପିବ ବାରିପଦା, ଶେଷ ଦିନରେ ନାମାଙ୍କନ ଭରିବେ ସମସ୍ତ ପ୍ରାର୍ଥୀ
-
ବିଜେଡ଼ି, ବିଜେପି, କଂଗ୍ରେସ ଓ ଜେଏମଏମ ପକ୍ଷରୁ ର୍ପାର୍ଥୀମାନଙ୍କ ନାମ ଘୋଷଣା
ବାରିପଦା(ଦିଲ୍ଲୀପ ମହାନ୍ତି) : ସାରସକଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫୬ ନଂ ଜୋନ ଜିଲ୍ଲାପରିଷଦ ଉପନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି ଜିଲ୍ଲା ରାଜନୀତି। ପୂର୍ବରୁ ଏଠାରେ ଜଣେ ସ୍ବାଧୀନ ପ୍ରାର୍ଥୀ ଭୂବନେଶ୍ୱର ମହାନ୍ତ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରି ନିର୍ବାଚନ ଜିତିଥିଲେ। ତେଣୁ ଏହି ଉପନିର୍ବାଚନ ଉଭୟ ଦଳ ପାଇଁ ସମ୍ମାନର ବିଷୟ ପାଲଟିଛି। ଏହି ଆସନରେ ନାମାଙ୍କନପତ୍ର ଦାଖଲ ନିମନ୍ତେ ଚଳିତ ମାସ ୧୩, ୧୫ ଏବଂ ୧୮ ତାରିଖ ଧାର୍ୟ୍ୟ କରାଯାଇଛି। ତେବେ ନାମାଙ୍କନ ଦାଖଲ ନିମନ୍ତେ ଧାର୍ୟ୍ୟ ପ୍ରଥମ ଦୁଇଟି ତାରିଖ ଶେଷ ହୋଇଯାଇଛି। ମାତ୍ର କୌଣସି ଦଳ ପକ୍ଷରୁ ଏଯାବତ ନାମାଙ୍କନ ଦାଖଲ ହୋଇନାହିଁ। ତେଣୁ ଅନ୍ତିମ ଦିନ ୧୮ ତାରିଖ(ସୋମବାର) ସବୁ ଦଳ ନାମାଙ୍କନ ଦାଖଲ କରିବେ। ବାରିପଦାରେ ଉକ୍ତ ଦିନ ରାଜନୈତିକ ଉଷ୍ମତା ଜୋର ଧରିବ ବୋଲି ଏବେଠାରୁ ଚର୍ଚ୍ଚା। ଜାନୁଆରୀ ୧୮ରେ ନାମାଙ୍କନ ଦାଖଲର ଅନ୍ତିମ ତାରିଖ ହୋଇଥିବା ବେଳେ ଆଜି ବିଜେଡ଼ି, ବିଜେପି, କଂଗ୍ରେସ ଓ ଜେଏମଏମ ସେମାନଙ୍କ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି । ବିଜେଡ଼ିରୁ ଚନ୍ଦ୍ର ଶେଖର ମହାନ୍ତଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବିଜେପିରୁ ବଂଶୀଧର ବେରା, କଂଗ୍ରେସରୁ ଚିତ୍ତବିକାଶ ମହାପାତ୍ର ଓ ଜେଏମଏମରୁ ପ୍ରଦୀପ କୁମାର ମହାନ୍ତଙ୍କ ନାମ ଘୋଷଣା କରାଯାଇଛି । ତେବେ ସାରସକଣା ନିର୍ବାଚନ ମଣ୍ଡଳୀର ୫୬ ନମ୍ବର ଜୋନରେ ମହାନ୍ତ ଭୋଟର ଏଠାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି। ତେଣୁ ଏହି ବର୍ଗରୁ ସର୍ବାଧିକ ଭୋଟ ହାତେଇବାକୁ ସବୁ ଦଳ ସଜବାଜ ହେଉଥିବା ଜଣାପଡ଼ିଛି । ବିଜେଡ଼ି ଉକ୍ତ ଜୋନରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଭୂବନେଶ୍ୱର ମହାନ୍ତଙ୍କ ପୁଅ ତୁଷାରେନ୍ଦୁ ଶେଖର ମହାନ୍ତଙ୍କୁ ପ୍ରାର୍ଥୀ କରିଛି । ଗତ ଜିଲ୍ଲାପରିଷଦ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଭୂବନେଶ୍ୱର ମହାନ୍ତ ଏଠାରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ତାଙ୍କର ଅକାଳ ମୃତ୍ୟୁ କାରଣରୁ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଭୂବନେଶ୍ୱରଙ୍କ ପୁଅ ଶେଖର ମହାନ୍ତ ବିଜେଡି ପ୍ରାର୍ଥୀ ହୋଇଥିବାରୁ ଅନୁକମ୍ପାକୁ ଦୃଷ୍ଟିରେ ଶେଖର ମହାନ୍ତ ସହଜ ସ୍ଥିତିରେ ରହିଥିବାର ଆଶା ବାନ୍ଧିଛି ବିଜେଡ଼ି ।
ବିଜେପିରେ କିନ୍ତୁ ପ୍ରାର୍ଥୀ ଚୟନକୁ ନେଇ ଏଠାରେ ଦ୍ୱନ୍ଦ ଦେଖାଦେଇଛି। ଆରମ୍ଭରୁ ଏହି ଉପନିର୍ବାଚନ ପାଇଁ ଗତଥର ପ୍ରାର୍ଥୀ ଥିବା ମନୋଜ ମହାନ୍ତ ଚଳିତ ଥର ମଧ୍ୟ ଆଗୁଆ ଥିଲେ। ମାତ୍ର ହଠାତ୍ ପାଣ୍ଡ୍ରା ପଞ୍ଚାୟତର ବଂଶୀଧର ବେରା ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ଯାହାକି ଦଳର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ବିଳମ୍ବିତ କରିଥିଲା । ଶେଷରେ ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟି ବିଜେପି ବଂଶୀଧର ବେରାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେହିପରି କଂଗ୍ରେସ ଓ ଜେଏମଏମ ମଧ୍ୟ ଏହି ଉପନିର୍ବାଚନରେ ପ୍ରାର୍ଥୀ ଦେବେ। ଗତ ସାଧାରଣ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରୁ କଂଗ୍ରେସ-ଜେଏମଏମର ମେଣ୍ଟ ପ୍ରାର୍ଥୀ ଭାବେ ଜେଏମଏମ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍ ବିଧାୟକ ପ୍ରାର୍ଥୀ ହୋଇଥିଲେ। ମାତ୍ର ଚଳିତ ଉପନିର୍ବାଚନରେ କିନ୍ତୁ ଉଭୟ ଦଳ ଅଲଗା ଅଲଗା ପ୍ରାର୍ଥୀ ଦେବାକୁ ସ୍ଥିର କରିଛନ୍ତି। ଏନେଇ ଉଭୟ ଦଳ ଅଲଗା ଅଲଗା ଭାବେ ନିଜର ପ୍ରାର୍ଥୀ ଛିଡ଼ା କରାଇଛନ୍ତି । ଜେଏମଏମ ପକ୍ଷରୁ ଏଠାରେ ପ୍ରଦୀପ କୁମାର ମହାନ୍ତ ପ୍ରାର୍ଥୀ ଭଡ଼ାବେ ଛିଡ଼ା କରାଇଛି ।ଏହି ନିର୍ବାଚନମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚନ ଲଢ଼ିଥିବା ମହେଶ ହେମ୍ବ୍ରମ୍ ଜେଏମଏମର ରାଜ୍ୟ ସଭାପତି ହୋଇଥିବାରୁ ଏହି ଉପନିର୍ବାଚନ ତାଙ୍କ ପାଇଁ ସମ୍ମାନର ବିଷୟ ପାଲଟିଛି। ଦଳର ନେତ୍ରୀ ତଥା ଗତ ଲୋକସଭା ନିର୍ବାଚନରେ ଜେଏମଏମର ପ୍ରାର୍ଥୀ ଅଞ୍ଜନୀ ସୋରେନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦଳ ଏଠାରେ ନିର୍ବାଚନ ଲଢ଼ିବ। ଝାଡ଼ଖଣ୍ଡରୁ ମଧ୍ୟ ଏକାଧିକ ମନ୍ତ୍ରୀ ଓ ବିଧାୟକ ଏହି ପ୍ରଚାର କାର୍ୟ୍ୟରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ପ୍ରାର୍ଥୀ ଚୟନ ନେଇ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ପ୍ରାର୍ଥୀ ଚୟନକୁ ନେଇ ଦଳ ପକ୍ଷରୁ ଏକାଧିକବାର ବୈଠକ ମଧ୍ୟ ହୋଇସାରିଛି। ଦଳ ପକ୍ଷରୁ ଏଠାରେ ଗତଥର ପ୍ରାର୍ଥୀ ହୋଇଥିବା ନିହାର ରଞ୍ଜନ ମହାନ୍ତ ଦୌଡ଼ରେ ରହିଥିବା ବେଳେ ଦଳ ଶେଷରେ ଚିତ୍ତ ବିକାଶ ମହାପାତ୍ରଙ୍କୁ ଏହି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିଛି । ସମସ୍ତ ଦଳ ଆଜି ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଜାନୁଆରୀ ୧୮ରେ ସମସ୍ତେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ରାଜାଲୋକା, ଝାରପୋଖରିଆ, ଶିର୍ସା, ଉମାଦେଇପୁର, ପାଣ୍ଡରା, ଜାଲଦା, ଭୂର୍ସାଣି, ଧାଙ୍ଗିଡ଼ିଶୋଳ ଭଳି ୮ଟି ପଞ୍ଚାୟତକୁ ନେଇ ଏହି ଜୋନ୍ ଗଠିତ । ୨୦୧୭ ଜିଲ୍ଲାପରିଷଦ ଉପନିର୍ବାଚନରେ ଏହି ଜୋନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସ୍ୱର୍ଗତ ଭୂବନେଶ୍ୱର ମହାନ୍ତ ସର୍ବାଧିକ ୧୪,୭୦୧ ଭୋଟ ପାଇ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେହିପରି ବିଜେଡି ପ୍ରାର୍ଥୀ ଦିଲ୍ଲୀପ ମହାନ୍ତ ୪୬୬୫ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ। ବିଜେପି ପ୍ରାର୍ଥୀ ମନୋଜ ମହାନ୍ତ ୪୫୩୩ ଖଣ୍ଡ ଭୋଟ ପାଇଥିବାବେଳେ ଜେଏମଏମ ପ୍ରାର୍ଥୀ ମନୋଜ ଜେନା ୧୫୮୦ ଭୋଟ ପାଇଥିଲେ। ଗତ ନିର୍ବାଚନ ବେଳେ ଏହି ନିର୍ବାଚନମଣ୍ଡଳୀରେ ବିଜେଡିରୁ ଭାଦବ ହାଁସଦା ବିଧାୟକ ଥିଲେ। ଚଳିତ ଥର କିନ୍ତୁ ଡ. ବୁଢ଼ାନ ମୁର୍ମୁ ବିଜେପିରୁ ବିଧାୟକ ଅଛନ୍ତି। ତେଣୁ ଉପନିର୍ବାଚନ ରୋଚକ ହେବାନେଇ ଜଣାପଡ଼ୁଛି। ନାମାଙ୍କନପତ୍ର ଦାଖଲ ପରେ ନିର୍ବାଚନ ପ୍ରଚାର ଆରମ୍ଭ ହେବାନେଇ ସବୁ ଦଳ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ଫେବୃଆରୀ ମାସ ୧୧ରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ।











