ମାଓବାଦୀ କହି ଜଙ୍ଗଲ ଅଧିକାରୀଙ୍କୁ ଲୁଟୁଥିଲେ ଡେପୁଟି ରେଞ୍ଜର
ବରଗଡ : ମାଓବାଦୀ ନାମରେ ବରଗଡ଼ ଜିଲ୍ଳାର ବିଭିନ୍ନ ସରକାରୀ ଅଫିସର ଏବଂ ଠିକାଦାରଙ୍କଠାରୁ ବିଗତ ପାଂଚବର୍ଷ ଧରି ବଟି ଅସୁଲ କରୁଥିବା ତିନିଜଣ ନକଲି ମାଓବାଦୀଙ୍କୁ ବରଗଡ଼ ପୋଲିସ ଧରିବାରେ ସକ୍ଷମ ହୋଇଛି । ଗିରଫ ତିନିଜଣଙ୍କ ମଧ୍ୟରେ ଭଟଲି ଗଧାପଡ଼ାର ଦୁଇଭାଇ ଦୋଳଗୋବିନ୍ଦ ସାହୁ ଓରଫ ବାବୁଲୁ , ବଳରାମ ସାହୁ ଏବଂ ସମ୍ବଲପୁରର ଡ଼େପୁଟି ରେଞ୍ଜ ଅଫିସର ବଟକୃଷ୍ଣ ସେଠି । ସେମାନଙ୍କଠାରୁ ପୋଲିସ ନଗତ ୧ ଲକ୍ଷ ୬୫ ହଜାର ଟଙ୍କା, ଦୁଇଟି ମୋଟର ସାଇକେଲ ଏବଂ ମୋବାଇଲ ଫୋନ ଜବତ ହୋଇଛି । ପାଂଚବର୍ଷ ମଧ୍ୟରେ ସେମାନେ ଏଗାର ଲକ୍ଷରୁ ଅଧିକ ଟଙ୍କା ଅସୁଲ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବରଗଡ଼ ଏସ.ପି ମୁକେଶ କୁମାର ଭାମୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେବାସହ ଜିଲ୍ଳାର ଅନ୍ୟ କୌଣସି ସ୍ଥାନରେ ଏପରି ଘଟଣା ଘଟୁଥିଲେ ଆଦୌ ଭୟଭୀତ ନ ହୋଇ ପୋଲିସ ସହିତ ସମ୍ପର୍କ କଲେ ଉଚିତ ପଦକ୍ଷେପ ନିଆଯାଇ ପାରିବ ବୋଲି କହିଥିଲେ ।
ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ତିନିଜଣ ନକଲି ମାଓବାଦୀ କେଉଁମାନଙ୍କଠାରୁ ବଟି ନେଉଥିଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବରଗଡ଼ ଏସପି ଏକ ପ୍ରେସ ରିଲିଜ ଜରିଆରେ ନକଲି ମାଓବାଦୀଙ୍କୁ ବଟି ଦେଇଥିବା ପ୍ରାୟ ୧୧ ଜଣଙ୍କ ତାଲିକା ପ୍ରଦାନ କରିଛନ୍ତି । ଏହି ତାଲିକାରେ ବରଗଡ଼ ଡ଼ିଏଫଓଙ୍କଠାରୁ ସେମାନେ ୫୦ ହଜାରଟଙ୍କା, ଲଖନପୁର ରେଞ୍ଜ ଅଫିସରଙ୍କଠାରୁ ୯୦ ହଜାର, ପଦ୍ମପୁର ଫରେଷ୍ଟରଙ୍କଠାରୁ ୧୦ ହଜାର, ଠିକାଦାର ମୁନା ମହାପାତ୍ରଙ୍କଠାରୁ ଦୁଇ ଲକ୍ଷ ଟଙ୍କା, ଠିକାଦାର ପ୍ରଦୀପ ବିଶ୍ୱାଳଙ୍କଠାରୁ ଦେଢ ଲକ୍ଷ, ବାଉଲସିଂହାଠାରେ ଇଥାନଲ କାରଖାନା ତିଆରି କରୁଥିବା ଠିକାଦାରଙ୍କଠାରୁ ୯୦ ହଜାର,ଭଟଲିର କାହ୍ନୁଙ୍କଠାରୁ ୨୫ ହଜାର, ଭଟଲିର ହେମନ୍ତଙ୍କଠାରୁ ୫୦ ହଜାର ଟଙ୍କା, ପ୍ରେମ ପଟେଲଙ୍କଠାରୁ ୪୦ ହଜାର ଟଙ୍କା ଏବଂ ଠିକାଦାର ଅଶୋକ ଦାଶଙ୍କଠାରୁ ତିନି ଦଫାରେ ଦୁଇ ଲକ୍ଷ ଟଙ୍କା ନେଇଥିବା ଉଲ୍ଲେଖ ରହିଛି । ତେବେ ସୁଭମ ସିଂ ନାମକ ଜନୈକ ବ୍ୟକ୍ତିଙ୍କଠାରୁ ନକଲି ମାଓବାଦୀମାନେ ସର୍ବାଧିକ ଅଢେଇ ଲକ୍ଷ ଟଙ୍କା ବଟି ନେଇଥିବା ଜଣାପଡ଼ିଛି । ତେବେ କିଏ ଏହି ସୁଭମ ସିଂ ତାହା ପୋଲିସ ସ୍ପଷ୍ଟ କରିନାହିଁ । ବିଗତ ପାଞ୍ଚବର୍ଷ ମଧ୍ୟରେ ସେମାନେ ଆହୁରି ଅନେକ ଲୋକଙ୍କଠାରୁ ବଟି ଅସୁଲ କରି ନଥିବେ ତାହା କିଏ କହିବ । ତେବେ ତାଲିକାରେ ଥିବା ଲୋକଙ୍କ ନାଁକୁ ନେଇ ବରଗଡ଼ ଜିଲ୍ଳାରେ ଚର୍ଚ୍ଚା ଜୋର ଧରିଛି । ନକଲି ମାଓବାଦୀମାନେ ଯେଉଁମାନଙ୍କଠାରୁ ବଟି ନେଇଛନ୍ତି ସେମାନେ କେହି ସାଧାରଣ ବ୍ୟକ୍ତି ନୁହନ୍ତି । ଏହାସତ୍ତେ୍ୱ କିପରି ଏହି ଘଟଣା ପ୍ରଘଟ ହୋଇପାରୁ ନ ଥିଲା ତାହା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।












