ହେଡଲାଇନସ୍:

ସ୍ବତନ୍ତ୍ର ସଘନ ସଂଶୋଧନ–୨୦୨୬;ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ୍ ନପଡ଼ିବା ପାଇଁ ଗାଁକୁ ଗାଁ ସଚେତନତା ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ–୨୦୨୬ କାର୍ଯ୍ୟକ୍ରମ ଅବସରରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ପାଇଁ ଗାଁକୁ ଗାଁ ଯାଇ ସଚେତନତା ଅଭିଯାନ ଚଳାଯାଇଛି। ନୟାଗଡ଼ ନିର୍ବାଚନମଣ୍ଡଳୀ ପାଇଁ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଓଡ଼ଗାଁ ବିଡିଓ ପ୍ରୀତିବାଳା ରଣା ଏବଂ ରଣପୁର ନିର୍ବାଚନମଣ୍ଡଳୀ ପାଇଁ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଓଡ଼ଗାଁ ତହସିଲଦାର ଡ଼. ମାନସରଞ୍ଜନ ଭୋଇ କ୍ଷେତ୍ର ପରିଦର୍ଶନ କରି ମତଦାତା, ନାଗରିକବୃନ୍ଦ ଏବଂ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ବୁଥ ସ୍ତରୀୟ ଏଜେଣ୍ଟମାନଙ୍କ ସହ ଆଲୋଚନା କରିଥିଲେ। ସେମାନେ ବିଏଲଓ ଓ ସୁପରଭାଇଜରମାନଙ୍କୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ସକ୍ରିୟ ସହଯୋଗ ଜାରି ରଖିବା ସହ କୌଣସି ଯୋଗ୍ୟ ମତଦାତାଙ୍କ ନାମ ଯେପରି ତାଲିକାରୁ ବାଦ୍ ନପଡ଼େ, ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଅଧିକାରୀମାନେ କହିଥିଲେ ଯେ, ମତଦାନ କେନ୍ଦ୍ରର ମୋଟ ମତଦାତା ତାଲିକା ଅନୁଯାୟୀ କୌଣସି ମତଦାତା ପରିଗଣନା ଫର୍ମ ଗ୍ରହଣ କରିନଥିଲେ କିମ୍ବା ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିନଥିଲେ, ସେମାନଙ୍କ ସ୍ଥିତି ସମ୍ପର୍କରେ ଯାଞ୍ଚ କରାଯିବ। ସମ୍ପୃକ୍ତ ବ୍ୟକ୍ତି ଅନୁପସ୍ଥିତ, ସ୍ଥାନାନ୍ତରିତ, ନକଲି ଭୋଟର, ମୃତ କିମ୍ବା ଅନ୍ୟ କୌଣସି କାରଣରୁ ଫର୍ମ ଗ୍ରହଣ କିମ୍ବା ଦାଖଲ କରିନଥିଲେ, ସେମାନଙ୍କ ସମ୍ପର୍କିତ ଆବଶ୍ୟକ ତଥ୍ୟ ଓ ପ୍ରମାଣପତ୍ର ବିଏଲଓ ଏବଂ ବୁଥ ସ୍ତରୀୟ ଏଜେଣ୍ଟଙ୍କୁ ଅବଗତ କରିବାକୁ ଅନୁରୋଧ କରାଯାଇଛି। ଆସନ୍ତା ୦୫ ଜୁଲାଇ ୨୦୨୬ ତାରିଖରେ ପ୍ରକାଶ ପାଇବାକୁ ଥିବା ଚିଠା ଭୋଟର ତାଲିକାରେ ଯଦି କୌଣସି ଯୋଗ୍ୟ ମତଦାତାଙ୍କ ନାମ ଅନ୍ତର୍ଭୁକ୍ତ ନଥାଏ, ତେବେ ସେମାନେ ଫର୍ମ–୦୬, ଘୋଷଣାନାମା ଏବଂ ଆବଶ୍ୟକ ସହାୟକ ଦସ୍ତାବିଜ ସହ ୦୪ ଅଗଷ୍ଟ ୨୦୨୬ ସୁଦ୍ଧା ନିଜ ବିଏଲଓଙ୍କ ନିକଟରେ କିମ୍ବା ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ବୋଲି ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସୂଚନା ଦେଇଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ ସୁପରଭାଇଜର ଜି. ଶ୍ରୀନୁ, ରଞ୍ଜନ କୁମାର ଦାଶ ପ୍ରମୁଖ ସାମିଲ ହୋଇ ଗାଁକୁ ଗାଁ ଏବଂ ଘରକୁ ଘର ବୁଲି ମତଦାତାଙ୍କ ଠାରୁ ଆରମ୍ଭ କରି ବିଏଲଓମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ବୁଝାଇଥିଲେ। ଏହା ମାଧ୍ୟମରେ ଭୋଟର ତାଲିକାକୁ ଅଧିକ ସଠିକ୍ ଓ ତ୍ରୁଟିମୁକ୍ତ କରିବା ସହ ଯୋଗ୍ୟ ମତଦାତାଙ୍କ ନାମ ନିଶ୍ଚିତ ଭାବେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

0
0
0
s2sdefault