କେନ୍ଦୁଝର: ୨୨/୦୫/୨୦୨୬: ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ ଦୁଆରଶୁଣି ଗାଁର ବାପ, ମା' ଛେଉଣ୍ଡ ପିଲାଙ୍କ ଅବସ୍ଥା ବିଷୟରେ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ର ଉଦ୍ୟମରେ ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରୁ ସହଯୋଗର ହାତ ଲମ୍ବିଛି।
ଦୁଆରଶୁଣୀ ଗାଁରେ କାହ୍ନୁ ଜୁଆଙ୍ଗର ଘର। ଏକ ଗରିବ ଆଦିବାସୀ ପରିବାର। ପର ଘରେ କାମ କରି ମଜୁରୀ ଆଣିଲେ କାହ୍ନୁ ଘରେ ଚୁଲି ଜଳେ। ଗତ ବର୍ଷ ଏଇ ଦିନରେ କାହ୍ନୁ ସ୍ତ୍ରୀ ର ଦେହାନ୍ତ ହୋଇଗଲା। ଏବେ ଏଇ ନଅ ଦିନ ତଳେ କାହ୍ନୁ ମଧ୍ୟ ତିନି ନା ବାଳକ ପିଲାଙ୍କୁ ଛାଡି ଆରପାରିକୁ ଚାଲିଗଲା। ତିନି ଭାଇ ଭଉଣୀ ଏବେ ଛେଉଣ୍ଡ। ବଡ ଝିଅର ବୟସ ସାତ ବର୍ଷ ବେଳେ, ସାନର ବୟସ ମାତ୍ର ତିନି। ଏଇ ସାନ ଟି ବି ଝିଅ।
" ଆଶା" ତତକ୍ଷଣାତ୍ ଭେଟିଥିଲା ଏ ପିଲାଙ୍କୁ। ନିକଟ ସମ୍ପର୍କୀୟ ଙ୍କୁ ଅନୁରୋଧ କରିଥିଲା ପିଲାଙ୍କ ଦେଖାଶୁଣା କରିବାକୁ। ଆଶା ଯୋଗାଇ ଦେଇଛ କିଛି ରାସନ୍ ସାମଗ୍ରୀ। ଆଶାର ସ୍ଵେଚ୍ଛାସେବୀ ପ୍ରତିଦିନ ଦୃଷ୍ଟି ରଖିଛନ୍ତି ଏ ପିଲାଙ୍କ ଉପରେ।
" ଆଶା" ର ଉଦ୍ୟମରେ ଏବଂ କେତେକ ଦରଦୀ ଗଣ ମାଧ୍ୟମର ବନ୍ଧୁଙ୍କ ସହଯୋଗରେ ଏ ପିଲାଙ୍କ ଅବସ୍ଥା ବିଷୟରେ ଖବର ପ୍ରକାଶ ପାଇଲା। ସାମାଜିକ ଗଣମାଧ୍ୟମରେ ଏହାକୁ ପ୍ରସାରିତ କରାଗଲା। କେନ୍ଦୁଝର ଠାରୁ ଆରମ୍ଭ କରି, ଭୁବନେଶ୍ୱର ପର୍ଯ୍ୟନ୍ତ ଏ ଖବର ପହଞ୍ଚିଗଲା।
ଇତିମଧ୍ୟରେ କେନ୍ଦୁଝର ସହରର ଅମ୍ବିକା ମୋବାଇଲର ଏକ ଦଳ ଆସି ପିଲାଙ୍କ ପାଇଁ କିଛି ରାସନ୍ ସାମଗ୍ରୀ, ବିସ୍କୁଟ, କଦଳୀ ଇତ୍ୟାଦି ଦେଇ ଯାଇଛନ୍ତି। ପୁଣି କେନ୍ଦୁଝର ଫିଲ୍ମ୍ ଏକାଡେମୀର ଏକ ବଡ ଦଳ ଆସି ଚାଉଳ, ଡାଲି, ତେଲ, ଲୁଣ, ଆଳୁ, ପିଆଜ, ବିସ୍କୁଟ, କଦଳୀ, ଚୁଡା, ଗୁଡ, ଚିନି, ପୋଷାକ,ମୁଢି ଇତ୍ୟାଦି ଦେଇ ଯାଇଛନ୍ତି। ଏହାବାଦ୍, ସେମାନେ ଏ ଛେଉଣ୍ଡ ପିଲାଙ୍କ ପାଠପଢ଼ା, ଚିକିତ୍ସା, ଭଲ, ମନ୍ଦ ଦାୟିତ୍ୱ ନେବାର ପ୍ରତିଶ୍ରୁତି ଦେଇଛନ୍ତି।
ଆଜି ଭୁବନେଶ୍ୱରରୁ " ହେଲ୍ପ ଇଣ୍ଡିଆ" ର ପ୍ରତିନିଧି ଦଳ ଆସି ପିଲାଙ୍କୁ ପୋଷାକ, ଜୋତା, ବ୍ୟାଗ୍, ବିସ୍କୁଟ ସହିତ ଏକୋଇଶ ହଜାର ଟଙ୍କାର ଏକ ବ୍ୟାଙ୍କ ଚେକ୍ ପ୍ରଦାନ କରିଛନ୍ତି ।
ଭଗବାନଙ୍କର କ'ଣ ଇଚ୍ଛା କେଜାଣି? ଜନ୍ମ ଦେଇ ଏପରି କଲେ କାହିଁକି? ଅପରପକ୍ଷରେ ସହଯୋଗର ହାତ ଲମ୍ବିଛି। ପିଲାମାନେ ଛେଉଣ୍ଡ ସତ, କିନ୍ତୁ ଅନାଥ ନୁହନ୍ତି। ଅସହାୟ ମଧ୍ୟ ନୁହନ୍ତି। ଏ ସମସ୍ତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ " ଆଶା" ଧନ୍ୟବାଦ ଓ କୃତଜ୍ଞତା ଜଣାଇଛି। ତା' ସହିତ ଆଗାମୀ ଦିନରେ ଏହିପରି ସହଯୋଗ ମଧ୍ୟ ଆଶା କରିଛି " ଆଶା" ।







