ବଲାଙ୍ଗିର (୦୮/୦୫): ରେଡକ୍ରସ ଆନ୍ଦୋଳନର ପ୍ରତିଷ୍ଠାତା ସାର୍ ଜନ୍ ହେନ୍ରୀ ଡୁନାଣ୍ଟଙ୍କ ୧୯୮ତମ ଜନ୍ମଜୟନ୍ତୀ ଉପଲକ୍ଷେ ଆଜି ଜିଲ୍ଲା ରେଡକ୍ରସ ଶାଖା, ବଲାଙ୍ଗିର ପକ୍ଷରୁ ମିଶନ ଶକ୍ତି ଭବନରେ ବିଶ୍ୱ ରେଡକ୍ରସ ଦିବସ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡା. ବିଜୟାନନ୍ଦ ସେଠି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣାନିଧି ମଲ୍ଲିକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ଓ ରେଡକ୍ରସ ସମ୍ପାଦିକା ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ପବିତ୍ର ବେହେରା ରେଡକ୍ରସ ପତାକା ଉତ୍ତୋଳନ କରିଥିଲେ । ସମବେତରେ ରେଡକ୍ରସ ସଙ୍ଗୀତ ଗାୟନ କରାଗଲା । ଚଳିତ ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ‘ମାନବିକତାରେ ଏକତା’ ଉପରେ ଆଧାରିତ ଥିଲା । ଏହି ଅବସରରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଓ ସମ୍ମାନିତ ବିଶିଷ୍ଟ ଅତିଥିମାନେ ସାର୍ ଜନ୍ ହେନ୍ରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଜିଲ୍ଲା ରେଡକ୍ରସ ଶାଖା ସମ୍ପାଦିକା ସସ୍ମିତା ପ୍ରଧାନ ସମସ୍ତ ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାଗତ କରି, ବିଶ୍ୱ ରେଡକ୍ରସ ଦିବସ ଓ ରେଡକ୍ରସର ସାତଟି ମୂଳ ନୀତି ମାନବିକତା, ନିରପେକ୍ଷତା, ନିଷ୍ପକ୍ଷତା, ସ୍ୱାଧୀନତା, ସ୍ୱେଚ୍ଛାସେବା, ଏକତା ଓ ସାର୍ବଭୌମିକତା ବିଷୟରେ ସୂଚନା ଦେଇଥିଲେ । ସେ ୨୦୨୫-୨୬ ମସିହାରେ ଜିଲ୍ଲା ରେଡକ୍ରସ ଶାଖା ଦ୍ୱାରା କରାଯାଇଥିବା ମୁଖ୍ୟ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ପବିତ୍ର ବେହେରା ରେଡକ୍ରସ ଆନ୍ଦୋଳନର ଐତିହାସିକ ପୃଷ୍ଠଭୂମି ଓ ଯୁଦ୍ଧ, ବିପର୍ଯ୍ୟୟ ତଥା ମହାମାରୀ ସମୟରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ । ସେ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କୁ ସମାଜର “ନୀରବ ନାୟକ” ବୋଲି ବର୍ଣ୍ଣନା କରିଥିଲେ । ବିଶିଷ୍ଟ ଅତିଥିମାନେ ମାନବିକ ସେବାରେ ନିଃସ୍ୱାର୍ଥ ଅବଦାନକୁ ଗୁରୁତ୍ୱାରୋପ କରି, ସ୍ୱେଚ୍ଛାସେବୀ, ରକ୍ତଦାତା ଓ ପୃଷ୍ଠପୋଷକମାନଙ୍କୁ ସମାଜ ପାଇଁ ଉଦାହରଣ ସୃଷ୍ଟି କରିବାର ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଡକ୍ରସ ସଦସ୍ୟତା ଗ୍ରହଣ କରିଥିବା ୪ ଜଣ ପେଟ୍ରୋନ ସଦସ୍ୟ ଓ ୩୧ ଜଣ ଲାଇଫ ସଦସ୍ୟଙ୍କୁ ପ୍ରମାଣପତ୍ର ଏବଂ ପରିଚୟପତ୍ର ପ୍ରଦାନ କରାଗଲା । ଏହା ସହ ବିଗତ ବର୍ଷରେ ସବୁଠାରୁ ଅଧିକ ପାଣ୍ଠି ସଂଗ୍ରହ କରିଥିବା କାର୍ଯ୍ୟାଳୟ ଯଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ନ୍ୟାୟିକ ବିଭାଗ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଓ ଅବକାରୀ ବିଭାଗର ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଗଲା । ୨୦୨୫ ବୈଶାଖ ମେଳାରେ ହରିଶଙ୍କର ଠାରେ ସାମାଜିକ ସେବା କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶଂସା ପତ୍ର ମଧ୍ୟ ଏହି ଅବସରରେ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ, ରକ୍ତଦାତା, ସଦସ୍ୟ ଓ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
ରାଜ୍ୟ
ଜିଲ୍ଲା ରେଡକ୍ରସ ଶାଖା, ବଲାଙ୍ଗିର ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ଅନୁଷ୍ଠିତ
- Hits: 89







