ହେଡଲାଇନସ୍:

ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ପକ୍ଷରୁ ଜାତୀୟ ଚାମ୍ପିଅନସିପ୍ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭିନ୍ନ ବର୍ଗରେ ଏଚପିସି ଆଥଲେଟମାନଙ୍କ ତିନୋଟି ସ୍ୱର୍ଣ୍ଣ ଏବଂ ଦୁଇଟି ବ୍ରୋଞ୍ଜ ପଦକ ହାସଲ

ଭୁବନେଶ୍ଵର, ମେ ୫, ୨୦୨୬: ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି) ପକ୍ଷରୁ ଜୁନିୟର ଓ ସିନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଜାତୀୟ ଚାମ୍ପିୟନଶିପ୍ ୨୦୨୬-୨୭ ଏପ୍ରିଲ୍ ୨୫ରୁ ମେ ୩, ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି। ଏହି କେନ୍ଦ୍ରର ଆଥଲେଟମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିଭିନ୍ନ ବର୍ଗରେ ତିନୋଟି ସ୍ୱର୍ଣ୍ଣ ଏବଂ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ଓଡ଼ିଶା ଦଳର ପ୍ରତିନିଧିତ୍ୱ କରୁଥିବା ସିନିୟର ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ (ଏମ୍ଏଜି) ବର୍ଗରେ ତପନ ମହାନ୍ତି ଚମତ୍କାର ପ୍ରଦର୍ଶନ କରି ୭୩.୪୩୩ ସ୍କୋର ସହ ଅଲରାଉଣ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ତପନଙ୍କ ଅସାଧାରଣ ଦକ୍ଷତାକୁ ପ୍ରତିଫଳିତ କରୁଛି। ଏହାସହିତ ରେଳବାଇ ଦଳର ପ୍ରତିନିଧିତ୍ୱ କରୁଥିବା ତାପେଶ୍ୱରନାଥ ଦାସ ଭଲ୍ଟ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ସିନିୟର ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ (ଡବ୍ଲ୍ୟୁଏଜି) ବର୍ଗରେ ଓଡ଼ିଶା ଦଳର ତନୁ ଅନଇଭେନ୍ ବାର୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ରେଲୱେ ସ୍ପୋର୍ଟସ୍ ପ୍ରମୋସନ୍ ବୋର୍ଡ (ଆରଏସପିବି)ର ପ୍ରତିନିଧିତ୍ୱ କରୁଥିବା କରିସ୍ମା ଉଭୟ ସିନିୟର ଡବ୍ଲ୍ୟୁଏଜି ଫ୍ଲୋର ଏକ୍ସରସାଇଜ ଏବଂ ଟିମ୍ ଚାମ୍ପିଅନସିପ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାସହିତ ପ୍ରିୟାନ୍ସୀ ବଂଶଲ ବାଲାନ୍ସ ବିମରେ ବ୍ରୋଞ୍ଜ ପଦକ ଜିତି ପଦକ ତାଲିକାକୁ ବୃଦ୍ଧି କରିଛନ୍ତି।
ଟିମ୍ ଇଭେଣ୍ଟରେ ଏଚପିସି ଆଥଲେଟ୍ ତନ୍ନୁ, ପ୍ରିୟାଂଶୀ ବଂଶଲ, ଅଦିତା ମଣ୍ଡଳ, ପ୍ରୀତି ଝଙ୍କାର ଏବଂ ରିତିକାଙ୍କୁ ନେଇ ଗଠିତ ମହିଳା ଦଳ ଏବଂ ଏଚପିସି ଆଥଲେଟ୍ ତପନ ମହାନ୍ତି, ସୁମିତ ଧାଲି, ଆଜାଦ ଲସ୍କର, ମୃତ୍ୟୁଞ୍ଜୟ ପଟ୍ଟନାୟକ, ମୋହିଦ କୁମାର ଏବଂ ଦେବାଶିଷ ରେଡ୍ଡୀ ଦାସଙ୍କୁ ନେଇ ଗଠିତ ପୁରୁଷ ଦଳ ଓଡ଼ିଶା ଦଳକୁ ଦୃଢ ପ୍ରଦର୍ଶନ କରିବାରେ ସହାୟତା କରିଥିଲେ। ପୁରୁଷ ଦଳ ୨୦୮.୧୬୭ ସ୍କୋର ସହ ଚତୁର୍ଥ ସ୍ଥାନରେ ରହିଥିବାବେଳେ ମହିଳା ଦଳ ମଧ୍ୟ ୧୧୯.୬୩୫ ସ୍କୋର ସହିତ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଉଭୟ ଦଳ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ, ଯାହା ଜାତୀୟ ଜିମ୍ନାଷ୍ଟିକ୍ସରେ ଓଡ଼ିଶାର ବଢୁଥିବା ଶକ୍ତି ଏବଂ ପ୍ରତିଦ୍ୱନ୍ଦ୍ୱିତାକୁ ଦର୍ଶାଉଛି।
ଉଦ୍‌ଯାପନୀ ସମାରୋହରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର, ଅଲମ୍ପିଆନ୍ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଶ୍ରୀ ଦୀପା କର୍ମକାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ଶ୍ରୀ ବିଶ୍ୱେଶ୍ୱର ନନ୍ଦୀ, ଜିମ୍ନାଷ୍ଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆର ସଭାପତି ଶ୍ରୀ ସୁଧୀର ମିତ୍ତଲ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ନିର୍ଦ୍ଦେଶକ ଶ୍ରୀ ୟେଦୁଲା ବିଜୟ ଏବଂ ଏଏମ୍/ଏନଏସ୍ ଇଣ୍ଡିଆ ସିଏସ୍ଆର୍ ମୁଖ୍ୟ ଡକ୍ଟର ବିକାଶ ଯାଦଭେନ୍ଦୁଙ୍କ ସମେତ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଏଏମ୍/ଏନଏସ୍ ଇଣ୍ଡିଆର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।
ଓଡ଼ିଶା ଏଏମ୍/ଏନ୍ ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଦେଶର ସର୍ବଶ୍ରେଷ୍ଠ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଆଥଲେଟମାନଙ୍କୁ ଏକତ୍ରିତ କରିବା ସହିତ ପୁନର୍ବାର ଏହାକୁ ଏକ ପ୍ରମୁଖ ଉତ୍କର୍ଷ କେନ୍ଦ୍ର ଭାବରେ ପ୍ରମାଣିତ କରିଛି । ବିଶ୍ୱସ୍ତରୀୟ ଭିତ୍ତିଭୂମି, ବୈଜ୍ଞାନିକ ତାଲିମ ଏବଂ ଦୃଢ ଅନୁଷ୍ଠାନିକ ସହାୟତା ସହିତ ଏହି କେନ୍ଦ୍ର ଭାରତର ଜିମ୍ନାଷ୍ଟିକ୍ସକୁ ଦୃଢତା ପ୍ରଦାନ କରିପାରିଛି, ଯାହା ଆଥଲେଟମାନଙ୍କୁ ସଫଳତା ହାସଲ କରିବା ଏବଂ ଏହି କ୍ରୀଡ଼ାର ସାମଗ୍ରିକ ମାନ ବୃଦ୍ଧି କରିବାରେ ସହାୟକ ହେଉଛି।

0
0
0
s2sdefault