୨୦ ଦିନରେ ଜୋରଦାର ହେଲା ଦର୍ଶନ ଅଧିକାର ଆନ୍ଦୋଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସରକାରଙ୍କ ନିରବତାରେ ପୁରୀବାସୀ ଅସନ୍ତୋଷ, ପଦଯାତ୍ରାରେ ଏକତାର ପ୍ରଦର୍ଶନ


ପୁରୀ, ୨୦/୪ (ଅନିମେଶ ପଟ୍ଟନାୟକ): “ଜୟ ଶ୍ରୀଜଗନ୍ନାଥ” ଧ୍ୱନିରେ ଗୁଞ୍ଜିଉଠିଲା ବଡ଼ଦାଣ୍ଡ। ଶ୍ରୀମନ୍ଦିର ପ୍ରବେଶ ଓ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ଆଜି କୋଡ଼ିଏ ଦିନରେ ପଦାର୍ପଣ କରି ଆହୁରି ଭାବନାପୂର୍ଣ୍ଣ ଓ ଏକତାମୟ ଚିତ୍ର ପ୍ରଦର୍ଶନ କରିଛି। ସରକାରଙ୍କ ନିରବ ଭୂମିକାକୁ ନେଇ ପୁରୀବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।
ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଶ୍ରୀମନ୍ଦିର ପରିସର ନିକଟରେ ସମାପ୍ତ ହୋଇଥିଲା। ପଥେ ପଥେ ଭକ୍ତମାନେ “ଜୟ ଜଗନ୍ନାଥ” ଧ୍ୱନି ଉଚ୍ଚାରଣ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ପୂର୍ବପରି ଦର୍ଶନ ବ୍ୟବସ୍ଥା ପୁନରୁଦ୍ଧାର ପାଇଁ ଦାବି ଜୋରଦାର ଭାବରେ ଉଠିଥିଲା। ଏହି ପଦଯାତ୍ରା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ପୁରୀ ସହର ଓ ସଦରବାସୀଙ୍କ ମନରେ ରହିଥିବା ଶ୍ରୀଜଗନ୍ନାଥ ପ୍ରତି ଅଟୁଟ ଭକ୍ତି ଓ ସ୍ୱାଭାବିକ ଅଧିକାରର ଏକ ସଂଯୁକ୍ତ ପ୍ରତୀକ ଭାବେ ପରିଣତ ହୋଇଛି। ଆଜିର ପଦଯାତ୍ରାରେ ଶିକ୍ଷାବିତ ବିଶ୍ୱନାଥ ବେହେରାଙ୍କ ସହ ଅନେକ ସମାଜସେବୀ, ମହିଳା ଓ ଯୁବ ଭାଗ ନେଇଥିଲେ। ସମସ୍ତଙ୍କ ଏକତାବଦ୍ଧ ଅଂଶଗ୍ରହଣ ଆନ୍ଦୋଳନକୁ ଆହୁରି ସଶକ୍ତ କରିଥିଲା।
ପଦଯାତ୍ରାର ସଂଯୋଜକ ସ୍ୱାଧୀନ କୁମାର ପଣ୍ଡା କହିଥିଲେ ଯେ, ପୁରୀବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ଦର୍ଶନ ଅଧିକାର ମିଳିବା ପର୍ଯ୍ୟନ୍ତ ଏହି ସଚେତନତା ଅଭିଯାନ ଅବିରତ ଚାଲି ରହିବ। ସେ ଆହୁରି କହିଥିଲେ ଯେ, ଏହା ଭକ୍ତି ଓ ନ୍ୟାୟସଙ୍ଗତ ଅଧିକାର ପାଇଁ ଜନମନର ଆବାଜ। ସମଗ୍ର ଘଟଣା ପ୍ରମାଣ କରୁଛି ଯେ, ପୁରୀବାସୀଙ୍କ ଏହି ଦାବି ଆହୁରି ଜୋରଦାର ହେଉଛି ଏବଂ ଆଗାମୀ ଦିନରେ ଏହା ଏକ ବୃହତ୍ ଆନ୍ଦୋଳନର ରୂପ ନେଇପାରେ।

0
0
0
s2sdefault