ଭୁବନେଶ୍ୱର, ମାର୍ଚ୍ଚ ୩୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ଓ ଭୁବନେଶ୍ୱର ସ୍ଥିତ ଷ୍ଟାର୍ଟ ଅପ୍ ସେରେଣ୍ଡିପିଟି ପ୍ରାଇଭେଟ ଲିମିଟେଡ ମଧ୍ୟରେ ସୋମବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ଷ୍ଟାର୍ଟ ଅପ୍ ଅନ୍ତରୀକ୍ଷ ସକ୍ଷମ ପ୍ରଯୁକ୍ତି ଏବଂ ପ୍ଲାଟଫର୍ମ ଉନ୍ନୟନରେ ନିୟୋଜିତ ଅଟେ ଓ ଔଷଧୀୟ ସ୍ପଟିକୀକରଣ ପାଇଁ ମୋଡୁ୍ୟଲ୍, କ୍ଲାଇନୋଷ୍ଟାଟ ଆଧାରିତ ମାଇକ୍ରୋଗ୍ରାଭିଟି ସିମୁ୍ୟଲେସନ୍ ଏବଂ ଅନ୍ତରୀକ୍ଷରେ କକ୍ଷପଥୀୟ ସ୍ପଟିକୀକରଣ ମିଶନ୍ ଏହାର ଅନ୍ତର୍ଭୁକ୍ତ ।
ଗତ ଦୁଇ ଦଶନ୍ଧି ଧରି ନାସା ଦ୍ୱାରା ଶୂନ୍ୟ ଗୁରୁତ୍ୱାକର୍ଷଣରେ ସ୍ପଟିକୀକରଣ କାର୍ଯ୍ୟ ବ୍ୟାପକ ଭାବେ ଅଗ୍ରଗତି କରିଛି ଓ ଆନ୍ତର୍ଜାତୀୟ ଅନ୍ତରୀକ୍ଷ କେନ୍ଦ୍ର (ଆଇଏସ୍ଏସ୍)ର ମାଇକ୍ରୋଗ୍ରାଭିଟି ପରିବେଶରେ ସ୍ପଟିକ ବଢ଼ାଇବା କାର୍ଯ୍ୟ ହେଉଛି । ଏହା ଦ୍ୱାରା ପୃଥିବୀ ପୃଷ୍ଠ ତୁଳନାରେ ଅଧିକ ଉତମ ଗୁଣମାନର, ଅଧିକ ବଡ଼ ଏବଂ ଅଧିକ ସମ୍ପୂର୍ଣ୍ଣ ଭାବରେ ଗଠନ ଥିବା ସ୍ପଟିକ ପ୍ରସ୍ତୁତ କରିବା ସମ୍ଭବ ହୋଇଥାଏ ।
ନାସାର ପଦଚିହ୍ନ ଅନୁସରଣ କରି ଡିବିଟି-ଇନଷ୍ଟିଟ୍ୟୁଟ ଅଫ୍ ଲାଇଫ ସାଇନ୍ସେସ୍ ଇନ୍କୁ୍ୟବେଟରରେ ଅବସ୍ଥିତ ସେରେଣ୍ଡିପିଟି ସ୍ପେସ ପ୍ରାଇଭେଟ ଲିମିଟେଡ୍ ଶୂନ୍ୟ ଗୁରୁତ୍ୱାକର୍ଷଣ (ଜିରୋ ଗ୍ରାଭିଟି) ପରିବେଶରେ ଅନ୍ତରୀକ୍ଷରେ ନୂତନ ସ୍ପଟିକ ବିକାଶ କରିବାକୁ ସକ୍ଷମ ହୋଇପାରିଛି । ଏହି ପ୍ରକ୍ରିୟାରେ ପ୍ଲାବନ ଜନିତ ପ୍ରବାହ ଏବଂ ଅବସାଦନକୁ ଦୂର କରାଯାଇ ଅଧିକ ବଡ଼, ଏକ ରୂପ ଓ ଅଧିକ ଗୁଣମାନର ଉଚ୍ଛ ସ୍ପଟିକ ଉତ୍ପାଦନ କରିବା ସମ୍ଭବ ହୁଏ । ଏହା ଦ୍ୱାରା ଔଷଧ ଫର୍ମୁଲେସନର ସ୍ଥିରତା, ଜୀବ-ଉପଲବ୍ଧତା ଏବଂ ସରଂଚନା- ଆଧାରିତ ଔଷଧ ପରିକଳ୍ପନାକୁ ପ୍ରୋତ୍ସାହନ ମିଳିଥାଏ ।
ଅପର ପକ୍ଷେ, ସୋଆ ବିଶ୍ୱବିଦ୍ୟାଳୟ କ୍ଷୁଦ୍ର ଅଣୁ ସ୍ପଟିକୀକରଣ ପ୍ରଯୁକ୍ତିରେ ଗବେଷଣା ସାମର୍ଥ୍ୟ, ପ୍ରୟୋଗଶାଳା ଏବଂ ଦକ୍ଷତା ସ୍ଥାପନ କରିଛି । ଦୁଇ ପକ୍ଷ ପ୍ରୟୋଗଶାଳା, ସିମୟୁଲେଟେଡ ମାଇକ୍ରୋଗ୍ରାଭିଟି ଏବଂ ଅନ୍ତରୀକ୍ଷ ଯାତ୍ରା ପରିବେଶରେ କ୍ଷୁଦ୍ର ଅଣୁଗୁଡ଼ିକୁ ନେଇ ସ୍ପଟିକୀକରଣ ପରୀକ୍ଷାରେ ସହଯୋଗ କରିବାକୁ ଉଦ୍ଦେଶ୍ୟ ରଖିଛନ୍ତି ।
ଦୁଇ ସଂସ୍ଥା ଆପଣା ପୂରକ ଦକ୍ଷତାକୁ କାର୍ଯ୍ୟରେ ଲଗାଇ ନୂତନ ଔଷଧ ଉତ୍ପାଦ ବିକାଶ ପାଇଁ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସୋଆ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ର ପ୍ରଫେସର ଭାରତ ଭୂଷଣ ସୁବୁଦ୍ଧି କହିଛନ୍ତି ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ସେରେଣ୍ଡିପିଟି ସ୍ପେସ୍ ପ୍ରାଇଭେଟ ଲିମିଟେଡ୍ର ସିଇଓ ଶ୍ରୀ ଅନ୍ତରୀକ୍ଷ ପରିଚ୍ଛା ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।
ଏହି ଅବସରରେ ଶ୍ରୀ ପରିଚ୍ଛା କହିଥିଲେ ଯେ ପୃଥିବୀ ପୃଷ୍ଠରେ କରାଯାଉଥିବା ପ୍ରକ୍ରିୟା ତୁଳନାରେ ଅଧିକ ବଡ଼, ଅଧିକ ଶୁଦ୍ଧ ଏବଂ ଅଧିକ ସୁସଂଗଠିତ ପ୍ରୋଟିନ୍ ସ୍ପଟିକ ଏବଂ ମୋଲିକୁ୍ୟଲାର ଷ୍ଟ୍ରକ୍ଚର ଉନ୍ନତ ମାନର ଔଷଧ ଫର୍ମୁଲେସନ୍, ନୂତନ ଔଷଧ ପ୍ରଦାନ ବ୍ୟବସ୍ଥା ଏବଂ କ୍ୟାନ୍ସର ଭଳି ରୋଗର ଚିକିତ୍ସା ନିମନ୍ତେ ସହାୟତା କରିବ ।
ସେ କହିଥିଲେ ଯେ ମାଇକ୍ରୋଗ୍ରାଭିଟି ପରିବେଶ ଅଧିକ ସ୍ଥିର ସ୍ପଟିକୀୟ ଔଷଧ ବିକାଶରେ ସହାୟତା କରିଥାଏ । ଏହା ଫଳରେ ରେଫ୍ରିଜେରେସନ୍ ବିନା ଦୀର୍ଘକାଳୀନ ସଂରକ୍ଷଣ ସହଜ ହୋଇଥାଏ । ଉଚ୍ଚ ଗୁଣମାନର ସ୍ପଟିକ ଦ୍ୱାରା ଅଧିକ ସାନ୍ଦ୍ର ଔଷଧୀୟ ଦ୍ରବଣ ଉନ୍ନୟନ ସମ୍ଭବ ହେବ ଯାହା ଫଳରେ ଇଞ୍ଜେକ୍ସନ ବଦଳରେ ମୁଖ ଦ୍ୱାରା ଔଷଧ ଗ୍ରହଣ କରିବା ସମ୍ଭାବନା ସୃଷ୍ଟି ହୋଇପାରେ ।
ଏହି ବୁଝାମଣା ସ୍ୱାକ୍ଷର ହେବା ସମୟରେ ଏସ୍ପିଏସର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ, ପ୍ରଫେସର ସୁବୁଦ୍ଧି ଓ ସୋଆର ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ ।
ରାଜ୍ୟ
ସୋଆ ଏବଂ ସେରେଣ୍ଡିପିଟି ସ୍ପେସ୍ ପ୍ରାଇଭେଟ ଲିମିଟେଡ ମଧ୍ୟରେ ମାଇକ୍ରୋଗ୍ରାଭିଟି ଔଷଧ ବିକାଶରେ ସହଯୋଗ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ
- Hits: 56








