ଧୂମାଭଟା PACS ରେ ବିଶାଳ ଧାନ ହେରଫେର କାଣ୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଭାପତି ଓ ସମ୍ପାଦକ ବେଲପଡା ଥାନାରେ ଅଟକ, ତଦନ୍ତ ତେଜ

ବଲାଙ୍ଗିର/ବେଲପଡା, (ଶାସକ ପ୍ରଶାସକ): ବଲାଙ୍ଗିର ଜିଲ୍ଲାର ଧୂମାଭଟା ପ୍ରାଥମିକ କୃଷି ସହକାରୀ ସମିତି (PACS) ରେ ବଡ଼ ଧରଣର ଧାନ ହେରଫେର କାଣ୍ଡ ସାମ୍ନାକୁ ଆସିଛି। ଏହି ଘଟଣାରେ PACS ସଭାପତି ଓ ସମ୍ପାଦକଙ୍କୁ ବେଲପଡା ପୋଲିସ ଅଟକ ରଖି ପଚାରାଉଚାରା କରୁଛି। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୭୦୦ ବସ୍ତା ଧାନ ହେରଫେର ହୋଇଥିବା ସୂଚନା ମିଳିଛି, ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଗତ ୧୬ ମାର୍ଚ୍ଚରେ ଆୟୋଜିତ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଧୂମାଭଟା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଅନେକ ଚାଷୀ ଯୋଗଦେଇ ଧାନ ହେରଫେର ସମ୍ପର୍କରେ ଗୁରୁତର ଅଭିଯୋଗ ରଖିଥିଲେ। ଚାଷୀମାନଙ୍କ କହିବା ଅନୁଯାୟୀ, ସେମାନଙ୍କ ଦ୍ୱାରା ମଣ୍ଡିରେ ଜମା କରାଯାଇଥିବା ଧାନର ସଠିକ ହିସାବ ରଖାଯାଇନଥିଲା ଏବଂ ରେକର୍ଡରେ ଗୁରୁତର ଅନିୟମିତତା ପାଇଯାଇଥିଲା।
ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ଜିଲ୍ଲାପାଳ ତୁରନ୍ତ ଏକ ଉଚ୍ଚସ୍ତରୀୟ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ତଦନ୍ତରେ ଧାନ ଗୋଦାମ ଓ ସମ୍ପର୍କିତ ରେକର୍ଡ ଯାଞ୍ଚ ସମୟରେ ବିପୁଳ ହେରଫେର ସମ୍ପର୍କରେ ପ୍ରାଥମିକ ପ୍ରମାଣ ମିଳିଥିବା ସୂଚନା ମିଳିଛି।
ଏହାପରେ ବେଲପଡା ପୋଲିସ ମାମଲାରେ ଦୁଇଜଣ ମୁଖ୍ୟ ଅଭିଯୁକ୍ତ—PACS ସଭାପତି ଓ ସମ୍ପାଦକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ସେମାନଙ୍କୁ କଠୋର ପଚାରାଉଚାରା କରାଯାଉଥିବା ସହ ଅଧିକ ଲୋକଙ୍କ ଜଡିତତା ନେଇ ମଧ୍ୟ ପୋଲିସ ଖୋଜଖବର ନେଉଛି।
ଏହି ଘଟଣା ପରେ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଭାରୀ ଅସନ୍ତୋଷ ସୃଷ୍ଟି ହୋଇଛି। “ଆମ ପରିଶ୍ରମର ଫଳ ଏଭଳି ହେରଫେର ହେବା ଅତ୍ୟନ୍ତ ଦୁଃଖଦ,” ବୋଲି ଚାଷୀମାନେ କହିଛନ୍ତି। ସେମାନେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ସହ ହେରାଇଥିବା ଧାନର ପୂରଣ ଦାବି କରିଛନ୍ତି। ବେଲପଡା ପୋଲିସ ଏହି ମାମଲାରେ ଆହୁରି ତଥ୍ୟ ସଂଗ୍ରହ କରୁଛି। ଧାନ ମଣ୍ଡିର ରେକର୍ଡ, ପରିବହନ ସମ୍ପର୍କିତ ତଥ୍ୟ ଓ ମିଲର୍ମାନଙ୍କ ସହ ଯୋଗାଯୋଗକୁ ମଧ୍ୟ ଖୋଡତାଳ କରାଯାଉଛି। ଏହି ଘଟଣାରେ ଅନ୍ୟ କେହି ଜଡିତ ଥିଲେ, ସେମାନଙ୍କ ବିରୋଧରେ ମଧ୍ୟ କଠୋର ଆଇନୀ ପଦକ୍ଷେପ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି।
ଏହି ଘଟଣା ଜିଲ୍ଲାର ସହକାରୀ ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଇଥିବା ବେଳେ ପ୍ରଶାସନ ପକ୍ଷରୁ ପାରଦର୍ଶିତା ବଢ଼ାଇବା ପାଇଁ ଅଧିକ କଠୋର ନୀତି ଗ୍ରହଣର ଆବଶ୍ୟକତା ଅନୁଭବ କରାଯାଉଛି।

0
0
0
s2sdefault