ହେଡଲାଇନସ୍:

ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ପ୍ରଥମ ସନ୍ଧ୍ୟା: ଜନ୍ମନାରାୟଣ ବେଶ ଦର୍ଶନରେ ୩୦ ହଜାର ଶ୍ରଦ୍ଧାଳୁ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁରକ୍ଷା ସତ୍ୱେ ଦୁବୃର୍ତ୍ତ ଛିଣ୍ଡାଇ ନେଲେ ସୁନା ଅଳଙ୍କାର

ଓଡ଼ଗାଁ, ୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଗୁପ୍ତ ଅଯୋଧ୍ୟା ଭାବେ ପରିଚିତ ଓଡ଼ଗାଁର ଅଧିଶ୍ୱର ଶ୍ରୀରଘୁନାଥ ଜିଉଙ୍କ ପୀଠରେ ପବିତ୍ର ଚୈତ୍ର ଶୁକ୍ଳ ନବମୀ ଅବସରରେ ଶ୍ରୀରାମ ଜନ୍ମୋତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଛି। ପ୍ରଥମ ସନ୍ଧ୍ୟାରେ ପ୍ରଭୁଙ୍କ ଜନ୍ମନାରାୟଣ ବେଶ ଦର୍ଶନ ପାଇଁ ପ୍ରାୟ ୩୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ସକାଳ ଭୋର ସାଢେ ୪ଟାରେ ଦ୍ୱାରଫିଟା ପରେ ମଙ୍ଗଳ ଆଳତୀ, ପଞ୍ଚାମୃତ ସ୍ନାନ, ମହାସ୍ନାନ, ଅବକାଶ, ଚନ୍ଦନଲାଗି ଓ ସୂର୍ଯ୍ୟପୂଜା ଭଳି ବିଭିନ୍ନ ନୀତି ସମ୍ପନ୍ନ ହୋଇଥିଲା। ପରେ ବଲ୍ଲଭ ନୀତି, ଖେଚୁଡ଼ି ଧୂପ ଓ ମହାଆଳତୀ ହୋଇଥିଲା। ପ୍ରାୟ ୧୦ଟା ୩୦ରେ ଭୋଗମଣ୍ଡପରେ ଶ୍ରୀରଘୁନାଥଙ୍କ ଜନ୍ମବିଧାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ପ୍ରଭୁଙ୍କ ବିଜେ ପ୍ରତିମାକୁ ଜନ୍ମବେଦୀକୁ ଆଣି ରୂପା ହାଣ୍ଡିରେ ପଞ୍ଚାମୃତ ସହ ନାଭି ସୃଷ୍ଟି କରାଯାଇଥିଲା। ପୁରୋହିତଙ୍କ ନୀତି ଅନୁଯାୟୀ ନାଭି ଛେଦନ, ମହାସ୍ନାନ, ସୂର୍ଯ୍ୟଦର୍ଶନ ଓ ଷଷ୍ଠୀ ପୂଜା ପରେ ଠାକୁରଙ୍କୁ ପୁନର୍ବାର ରତ୍ନବେଦୀକୁ ବିଜେ କରାଯାଇଥିଲା। ଘଣ୍ଟା-ଘଣ୍ଟି, ହରିବୋଲ ଓ ହୁଳହୁଳି ଧ୍ୱନିରେ ସମଗ୍ର ମନ୍ଦିର ପରିସର ଭକ୍ତିମୟ ହୋଇଉଠିଥିଲା। ସନ୍ଧ୍ୟାରେ ପ୍ରଭୁ ଶ୍ରୀରଘୁନାଥ, ମାତା ସୀତା ଓ ଲକ୍ଷ୍ମଣ ସ୍ୱର୍ଣ୍ଣ ଅଳଙ୍କାରରେ ଶୋଭିତ ହୋଇ ଜନ୍ମନାରାୟଣ ବେଶରେ ଦର୍ଶନ ଦେଇଥିଲେ। ଏହି ଦିବ୍ୟ ବେଶ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ଅତ୍ୟଧିକ ଥିଲା। ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ପ୍ରାକ୍ତନ ଜିଲ୍ଲାପାଳ ହେମନ୍ତ ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀ ମନ୍ଦିରକୁ ପହଞ୍ଚି ଦର୍ଶନ କରିଥିଲେ। ତହସିଲଦାର ଡ଼. ମାନସ ରଞ୍ଜନ ଭୋଇଙ୍କ ଉପସ୍ଥିତିରେ ଏସଡିପିଓ ନିହାର ରଞ୍ଜନ ମହାନ୍ତି, ଆଇଆଇସି ସତ୍ୟନାରାୟଣ ବାରିକ ସହ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା। ତଥାପି ଭିଡ଼ର ସୁଯୋଗ ନେଇ ମନ୍ଦିର ବେଢ଼ାରେ କିଛି ଦୁର୍ବୃତ୍ତ ମହିଳାଙ୍କ ବେକରୁ ସୁନା ଅଳଙ୍କାର ଛିଣ୍ଡାଇ ନେଇଥିବା ଅଭିଯୋଗ ଆସିଛି। ଏହା ଭକ୍ତମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି । ଉଲ୍ଲେଖ୍ୟ, ଆସନ୍ତା ଶନିବାର ସନ୍ଧ୍ୟାରେ ପ୍ରଭୁ ଶ୍ରୀଜୀଉ ତାଡକା ବଧ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ।

0
0
0
s2sdefault