ମିଟର ବଳାଇବା ପାଇଁ ଦରକାର ଖାଉଟି ସମ୍ମତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗତ କିଛି ଦିନ ହେଲା ଟି ପି ଏସ ଓ ଡି ଏଲ୍ ବା ଟାଟା ପାୱାର କର୍ମଚାରୀ ମନମୁଖୀ ନୀତି ଆପଣାଇ ବିଭିନ୍ନ ସାହି , ଗଳି ଗୁଡିକରେ ଇଲେକ୍ଟ୍ରୀ ମିଟର ଭଲ ଥିଲେ ମଧ୍ୟ ଗ୍ରାହକ ମାନଙ୍କ ସମ୍ମତି ବିନା ସ୍ମାର୍ଟ ମିଟର ଲଗାଇବା ନଜର ଆସିଥିଲା।
ଏମିତି କି ଘରେ କେହି ନଥିବା ସମୟରେ ତାଲା ପଡ଼ିଥିବା ବେଳେ ମିଟର ଗୁଡ଼ିକୁ ବଦଳାଇ ଦିଅନ୍ତି କିମ୍ୱା ଗ୍ରାହକଙ୍କ ସରଳତାର ସୁଯୋଗ ରେ ଭୁଲ ତଥ୍ୟ ଦେଇ ମିଟର ଖରାପ କହି ମଧ୍ୟ ଏପରି କରନ୍ତି। ଏମିତି କି ବଡ଼ଦାଣ୍ଡ ରେ କିଛି ଦୋକାନୀ ଏହାକୁ ବିରୋଧ କରିବାରୁ ଯୁକ୍ତିତର୍କ ହୋଉଥିଲା , ଏହାକୁ ନେଇ ଗତ ପାରଳା ପୌର ପରିଷଦ ବୈଠକରେ ଆଲୋଚନା ହୋଇଥିଲା। ବିଭିନ୍ନ କାଉନସିଲର ଏନେଇ ଅଭିଯୋଗ ଆଣିଥିଲେ ଯାହାକୁ ନେଇ ପାରଳା ପୌରାଧ୍ୟକ୍ଷା , ବିଧାୟକ , ସାଂସଦ ପ୍ରତିନିଧି ଏନେଇ ପୁଙ୍ଖନୁପୁଖ ଆଲୋଚନା ପରେ ଏଭଳି ବେନିୟମ କାର୍ଯ୍ୟ ପୌର ପରିଷଦ ର ଅଂଚଳ ରେ ନକରିବା ପାଇଁ ବିଦ୍ୟୁତ୍ ବିଭାଗ କୁ ନିର୍ଦ୍ଦେଶ ଦେବାକୁ ପ୍ରସ୍ତାବ ପାରିତ ହୋଇଥିଲା। ଏନେଇ ବୈଠକ ର ନିଷ୍ପତ୍ତି ଅନୁଯାୟୀ ପାରଳା ପୌର ପରିଷଦର ନିର୍ବାହୀ ଯନ୍ତ୍ରୀ ପତ୍ର ସଂଖ୍ୟା 4232/6.12.25 ମାଧ୍ୟମରେ ବିଦ୍ୟୁତ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି ଅନାବଶ୍ୟକ ଭାବରେ ବିଦ୍ୟୁତ୍ ଗ୍ରାହକ ମାନଙ୍କ ବିନା ସମ୍ମତିରେ କୌଣସି ମିଟର ବଦଳାଇବେ ନାହିଁ। ପୁର୍ବରୁ ମଧ୍ୟ ଏପରି ବେଆଇନ କାର୍ଯ୍ୟ ଆରମ୍ଭ ହେଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ଓ ବୁଦ୍ଧିଜୀବି ମାନେ ଏହାକୁ ବିରୋଧ କରିବାରୁ ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ମନଇଚ୍ଛା ମିଟର ବଦଳାଇବେ ନାହିଁ ବୋଲି କହିଥିଲେ କିନ୍ତୁ କିଛି କର୍ମଚାରୀ ମାନେ ନିଜ କମିଶନ ପାଇବା ଆଶାରେ ଏଭଳି ବେଆଇନ କାର୍ଯ୍ୟ କରୁଥିବା ଜଣାପଡିଛି। ସେପଟେ ପୌର ପରିଷଦର ଏଭଳି ପଦକ୍ଷେପ ପାଇଁ ବୁଦ୍ଧିଜୀବି ମାନଙ୍କ ପକ୍ଷରୁ ସ୍ବାଗତ କରାଯାଇଅଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ସମୟରେ ରାଜ୍ୟ ବିଦ୍ୟୁତ ଉପୋଭୋକ୍ତ ମହାସଂଘ୍ ସ୍ମାର୍ଟ ମିଟର ଲଗାଇବା ନେ଼ଇ ଗ୍ରାହକ ମାନଙ୍କ ମିଟର ଠିକ୍ ଥିଲେ ବାଧ୍ୟ କରିବେ ନାହିଁ ବୋଲି ଓ.ଇ.ଆର.ସି ମାଧ୍ୟମରେ ବହୁ ବାର ଜଣାଇଛନ୍ତି ତଥାପି ବିଭିନ୍ନ ସମୟରେ ପାରଳା ସହରବାସୀଙ୍କ ସରଳତା ର ସୁଯୋଗ ନେଇ କର୍ମଚାରୀଙ୍କ ଦ୍ଵାରା ଗ୍ରାହକ ମାନେ ଶୋଷଣ ର ଶିକାର ହୁଅନ୍ତି।











