ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଗଣ ମାଧ୍ୟମ ଗୁଡ଼ିକରେ ଖବର ପ୍ରକାଶ ପାଇବା ପରେ ପୋୖର ପାଳିକା ପକ୍ଷରୁ ମିନି ଷ୍ଟାଡିୟମରେ ଜଙ୍ଗଲ ସଫେଇ କାର୍ଯ୍ୟ ଦୁଇ ଦିନ ହେଲା ଆରମ୍ଭ ହୋଇଛି। ଦୀର୍ଘ ବର୍ଷ ହେବ ଗୁଣପୁର ମିନି ଷ୍ଟାଡିୟମ ଅଧପନ୍ତରିଆ ହୋଇ ପଡ଼ିରହିଛି। ରକ୍ଷଣା ବେକ୍ଷଣ ଅଭାବରୁ ପଡ଼ିଆ ଚତୁପାର୍ଶ ଘଞ୍ଚ ଜଙ୍ଗଲରେ ପରିଣତ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ପୋୖର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଦୁଇ ଦିନ ହେଲା ସଫେଇ କର୍ମଚାରୀଙ୍କୁ ଲଗାଇ ଜଙ୍ଗଲ ଓ ପଡ଼ିଆରେ ସୁଙ୍କ ଘାସ ଗୁଡିକୁ କଟିଂ ମେସିନ ଜରିଆରେ ସଫା କରୁଛନ୍ତି। ଏହି ପଡିଆରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଉପଖଣ୍ଡ ସ୍ବାଧୀନତା ଦିବସ ପାଳନ ହେଉଥିବାରୁ ସଫେଇ କାର୍ଯ୍ୟକୁ ଯୁଦ୍ଧ କାଳୀନ ଭିତ୍ତିରେ ଶେଷ କରାଯିବ।ନିଜେ ଏହି କାର୍ଯ୍ୟ ତଦାରଖ କରୁଥିବା ନିର୍ବାହୀ ଅଧିକାରୀ ଶ୍ରୀ ନାୟକ କହିଛନ୍ତିଯେ ଜେସିବି ଦ୍ବାରା ଜଙ୍ଗଲ ଓ ମଇଳା ଆବର୍ଜନା ଗୁଡିକୁ ସଫା କରାଯିବ। ସେହିପରି ପଡିଆରେ ଆବର୍ଜନା ପକାଉଥିବା ଲୋକଙ୍କୁ ତାଗିଦ କରାଯାଇଛି । ପୋୖର ପାଳିକା କତ୍ତୃପକ୍ଷଙ୍କ ତ୍ବରୀତ ପଦକ୍ଷେପ ଗ୍ରହଣ କରିଥିବାରୁ କ୍ରୀଡ଼ାପ୍ରେମୀ ମାନେ ସାଧୁବାଦ ଜଣାଇଛନ୍ତି। ସେହିପରି ମ୍ୟୁନିସିପାଲଟି ପକ୍ଷରୁ ପଡ଼ିଆ ଚାରିପଟେ ଅଧିକା ସିମେଣ୍ଟ ଚୌକି ବ୍ୟବସ୍ଥା କରି ସ୍ଥାୟୀ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ନିମନ୍ତେ ପୋୖର ପାଳିକାକୁ କ୍ରୀଡ଼ାବିତ ଓ କ୍ରୀଡ଼ାପ୍ରେମୀ ମାନେ ଅନୁରୋଧ କରିଛନ୍ତି। ଅପର ପକ୍ଷରେ ମିନିଷ୍ଟାଡିୟମ ପଡିଆରେ ଆଡ୍ଡାସ୍ଥଳି କରୁଥିବା ମଦ୍ୟପ ମାନଙ୍କ ବିରୋଧରେ ପୁଲିସ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହେଉଛି।