ହେଡଲାଇନସ୍:

ଶ୍ରୀମନ୍ଦିରରେ ରାକ୍ଷୀ ଏକ ଅନନ୍ୟ ପରମ୍ପରା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପୁରୀ, (ଅନିମେଶ ପଟ୍ଟନାୟକ): ରାକ୍ଷୀ ଖାଲି ଏକ ଡୋର ନୁହେଁ । ରାକ୍ଷୀ, ଭାଇ ଭଉଣୀ ମଧ୍ଯରେ ଥିବା ପବିତ୍ର ସମ୍ପର୍କର ଖିଅ । ରାକ୍ଷୀ ଭଉଣୀ ପାଇଁ ସଦା ସର୍ବଦା ସୁରକ୍ଷାର ପ୍ରତିସୃତିର ସ୍ୱରୁପ । ହିନ୍ଦୁ ପରମ୍ପରାରେ ରାକ୍ଷୀ ଉତ୍ସବ ବା ରକ୍ଷା ବନ୍ଧନ ଦିନଟି ଏକ ପ୍ରମୁଖ ଦିନ ଟିଏ । ଏହି ଦିନ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି । ସେଥିପାଇଁ ଏହି ଉତ୍ସବ ଶ୍ରୀମନ୍ଦିରରେ ଏକ ଅନନ୍ୟ ପର୍ବ ଭାବେ ପାଳିତ ହୁଏ ।

ଶ୍ରାବଣ ମାସର ପୂର୍ଣ୍ଣିମାରେ ପବିତ୍ର ରକ୍ଷା ବନ୍ଧନ । ଶ୍ରୀମନ୍ଦିର ରୀତିନୀତି ଅନୁଯାଇ ବଡଠାକୁର ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଦେବୀ ସୁଭଦ୍ରାଙ୍କ ଠାରୁ ରାକ୍ଷୀ ପିନ୍ଧିଥାନ୍ତି । ଏଥିପାଇଁ ପାଟରା ବିଶୋଇ ସେବକ ମାନେ ରାକ୍ଷୀ ପ୍ରସ୍ତୁତ କରିଥାନ୍ତି । ନାଲି, ନେଳୀ, ହଳଦିଆ ଓ ବାଇଗଣୀ ରଙ୍ଗର ରାକ୍ଷୀ ପ୍ରସ୍ତୁତ କରାଯାଇଥାଏ । ଏହି ପ୍ରସ୍ତୁତି ପର୍ବ ଚିତାଲାଗି ଅମାବାସ୍ୟା ଠାରୁ ଆରମ୍ଭ ହୋଇ ରାକ୍ଷୀ ପୂର୍ଣ୍ଣିମା ପୂର୍ବ ଦିନ ଯାଏ ହୋଇଥାଏ । ଆସନ୍ତା ୯ ଅଗଷ୍ଟରେ ପବିତ୍ର ଗହ୍ମା ପୁନେଁଇ ବା ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା। ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ନିଜ ସୁରକ୍ଷା ଲୋଡିବେ ଭଉଣୀ ସୁଭଦ୍ରା । ଭାଇ ଭଉଣୀଙ୍କ ମଧ୍ଯ ରେ ଥିବା ଏହି ସମ୍ପର୍କ ଡୋରିର ନିଦର୍ଶନକୁ ଗହ୍ମା ପୁନେଁଇରେ ଦର୍ଶନ କରି ନିଜକୁ ଧନ୍ୟ ମଣନ୍ତି ଭକ୍ତମାନେ । ବିଧି ମୁତାବକ ମହାପ୍ରଭୁ ଶ୍ରୀଜଗନ୍ନାଥ ଦୁଇଟି ଓ ଶ୍ରୀ ବଳଭଦ୍ର ଦୁଇଟି ଲେଖାଏଁ ରାକ୍ଷୀ ପରିଧାନ କରିଥାନ୍ତି। ଏଥିସହ ହାତରେ ଦୁଇଟି ଲେଖାଏଁ ଗୁଆ ମାଳ ମଧ୍ଯ ପରିଧାନ କରି ରାକ୍ଷୀ ପୂର୍ଣ୍ଣିମାରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଶ୍ରୀଜିଉ । ଏହି ଦିନ ବଡଭାଇ ବଳଭଦ୍ରଙ୍କ ଜନ୍ମଦିନ ହୋଇଥିବାରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ରାକ୍ଷୀ ତିଆରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ବିଶୋଇ ସେବକଙ୍କୁ ଆବଶ୍ୟକ ପରିମାଣର ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଥାଏ । ଏହାକୁ ପ୍ରାକୃତିକ ରଙ୍ଗରେ ବୁଡ଼ାଇ ଖରାରେ ସୁଖାଯାଇଥାଏ। ହଳଦିଆ, ନାଲି, ନେଳି ଓ ବାଇଗଣୀ ରଙ୍ଗରେ ବାସୁଙ୍ଗା ପାଟକୁ ରଙ୍ଗୀନ କରାଯିବା ପରେ ତାକୁ ନିର୍ଦ୍ଦିଷ୍ଟ ମାପରେ କଟାଯାଇ ଗୋଲେଇ ଆକାରରେ ପ୍ରସ୍ତୁତ କରାଯାଇଥାଏ। କାଠ ପାନିଆରେ ଏହାକୁ ସାଇଜ କରାଯାଇ ୫ ଥାକିଆ ରାକ୍ଷୀ ପ୍ରସ୍ତୁତ କରାଯାଏ। ବାସୁଙ୍ଗା ପାଟରେ ଡୋରି ମଧ୍ୟ ପ୍ରସ୍ତୁତ କରାଯାଇଥାଏ।

ଏଥି ସହିତ ୫୪ ଟି ଲେଖାଏଁ ଗୁଆରେ ୪ ଟି ଗୁଆମାଳ ପ୍ରସ୍ତୁତ କରାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ପ୍ରଭୂ ଶ୍ରୀ ବଳଭଦ୍ର ନେଳି ଓ ବାଇଗଣୀ ରଙ୍ଗର ଗୁଅମାଳ ପରିଧାନ କରିଥାନ୍ତି। ଏହା ବ୍ୟତୀତ ବାସୁଙ୍ଗା ପାଟରେ ୧୫ ଟି ଛୋଟ ରାକ୍ଷୀ ପ୍ରସ୍ତୁତ ହୋଇଥାଏ। ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ଵ ଦେବାଦେବୀ ମଧ୍ୟ ଏହି ଛୋଟ ରାକ୍ଷୀ ପରିଧାନ କରିଥାନ୍ତି। ରାକ୍ଷୀ ନିର୍ମାଣ ପାଇଁ ୧୦ରୁ ୧୨ ଦିନ ସମୟ ଲାଗେ। ଶୁଦ୍ଧପୂତ ଭାବେ ରହି ନିଷ୍ଠାର ସହ ରାକ୍ଷୀ ତିଆରି କରିବାକୁ ପଡ଼େ। ରାଖୀ ପୂର୍ଣ୍ଣିମା ପୂର୍ବ ଦିନ ରାଖୀ ତିଆରି ସରିଥାଏ। ଗହ୍ମା ପୂର୍ଣ୍ଣିମା ସକାଳେ ଶ୍ରୀମନ୍ଦିରରୁ ଚର୍ଚ୍ଚା ଆସି ଡାକିଥାନ୍ତି। ଏହାପରେ ଦୁଇଟି ତାଡ଼ରେ ରାଖୀ ଓ ଗୁଆମାଳ ଶ୍ରୀମନ୍ଦିରକୁ ଯାଇଥାଏ ବୋଲି ପଟରା ବିଶୋଇ ସେବକ କହିଛନ୍ତି ।

0
0
0
s2sdefault