ପୁରୀ, ୧୭/୭ : ଗୁରୁବାର କଂଗ୍ରେସ ଓ ବାମଦଳ ଦ୍ୱାରା ଡାକରା ଦିଆଯାଇଥିବା ଓଡ଼ିଶା ବନ୍ଦକୁ ସାରା ରାଜ୍ୟରେ ବ୍ୟାପକ ଜନସମର୍ଥନ ମିଳିଛି। ଯେଉଁଥିରେ ପୁରୀ ଜିଲ୍ଲାରେ ମଧ୍ୟ ଉଲ୍ଲେଖନୀୟ ଅଂଶଗ୍ରହଣ ରହିଛି। ବାଲେଶ୍ୱରର ଏଫଏମ କଲେଜର ଛାତ୍ରୀ ସୌମ୍ୟଶ୍ରୀ ବିସିଙ୍କ ପାଇଁ ନ୍ୟାୟ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା । ସୌମ୍ୟାଶ୍ରୀଙ୍କ ରହସ୍ୟମୟ ମୃତ୍ୟୁ ରାଜ୍ୟବ୍ୟାପୀ ଉତ୍ତେଜନା ସୃଷ୍ଟି କରିଛି।
ପୁରୀରେ, କଂଗ୍ରେସ କର୍ମୀ ଏବଂ ବାମଦଳ ଗୁଡିକର ସମର୍ଥକମାନେ ସହରର ପ୍ରମୁଖ ଅଞ୍ଚଳ ସମେତ ବିଭିନ୍ନ ବ୍ଲକ ଏବଂ ଏନଏସିରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଦଳୀୟ ସଦସ୍ୟମାନେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଏବଂ ନ୍ୟାୟ ସୁନିଶ୍ଚିତ କରିବାରେ ବ୍ୟବସ୍ଥାଗତ ବିଫଳତା ଏବଂ ଅବହେଳା ଅଭିଯୋଗ କରିଥିଲେ।
ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ଠପ୍ ହୋଇଗଲା। ବସ୍ ଏବଂ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଥିଲା । କଂଗ୍ରେସ କର୍ମୀ ଓ ବାମଦଳ କର୍ମୀଙ୍କ ମିଳିତ ପିକେଟିଂ ଯୋଗୁଁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ପୁରୀ ଏକ ପ୍ରମୁଖ ତୀର୍ଥସ୍ଥାନ ଏବଂ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ, ପରିଦର୍ଶକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଅନେକ ଫସି ରହିଥିଲେ।
କଂଗ୍ରେସ ନେତାମାନେ ସୌମ୍ୟଶ୍ରୀଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ଦାବିକୁ ଦୋହରାଇଥିଲେ ଏବଂ ନ୍ୟାୟ ମିଳିବାରେ ବିଳମ୍ବ ହେଲେ ଆହୁରି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ଅନୁରୁପ ଭାବେ, ବିଜେପି ଶାସନରେ ମହିଳା ଅସୁରକ୍ଷିତ ହୋଇପଡିବା, ସୌମ୍ୟାଶ୍ରୀ ଆତ୍ମହତ୍ୟା ମାମଳାରେ ସମ୍ପୃକ୍ତ ବିଭାଗୀୟ ମୁଖ୍ୟ, ପ୍ରିନସିପାଲଙ୍କ ସମେତ ସମସ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ମିଳିତ ବାମଦଳ ।
କଂଗ୍ରେସ ଜିଲ୍ଲା ସଂଯୋଜକ ରାଜେଶ ମିଶ୍ରଙ୍କ ସମେତ, ପିସିସି ସଭ୍ୟ ସୁଜିତ ମହାପାତ୍ର, ଟାଉନ ସଭାପତି (କ) ଅମରେନ୍ଦ୍ର ପାଇକରାଏ, ବରିଷ୍ଠ ନେତା ପୁଷ୍କର ମହାପାତ୍ର, ଆଲୋକ ଦାଶ , ରଜତ ସାହୁ, ପ୍ରେମଜିତ ମହାନ୍ତି, ଚେତନ ମିଶ୍ର, ଅନିମେଶ ପଟ୍ଟନାୟକ, ଆଦର୍ଶ ମିଶ୍ର, ପ୍ରେମାନନ୍ଦ ମହାନ୍ତି, ସ୍ବାଧୀନ ପଣ୍ଡା, ବିଦୁଲତା ଆଚାର୍ଯ୍ଯ ଆଦି ସତାଧିକ କଂଗ୍ରେସ କର୍ମୀ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ । ସେହିପରି ସିପିଆଇ ର ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ବ୍ରଜବନ୍ଧୁ ପ୍ରଧାନ, ଜିଲ୍ଲା ସହ ସମ୍ପାଦକ ହରିହର ସେନାପତି, ରାଜ୍ୟ କମିଟି ସଭ୍ୟ ପ୍ରଦୀପ୍ତ ମହାନ୍ତି, ଡାକ୍ତର ପ୍ରଫୁଲ ମହାପାତ୍ର, ଯୁବସଂଘ ନେତା ସୁକାନ୍ତ ମହାନ୍ତି -ସିପିଏମ ଜିଲ୍ଲାସମ୍ପାଦକ ଜଗନ୍ନାଥ ଦେଓ, ସହର ସମ୍ପାଦକ ଶରତ ରାୟଗୁରୁ, ଶ୍ରୀକାନ୍ତ ପରିଜା, ଟୁନା ନାୟକ ଆଦି ମିଳିତ ଭାବେ ବନ୍ଦକୁ ସଫଳ କରିଥିଲେ ।