ଶରଧାବାଲିରେ ତିନି ଠାକୁର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ, ୨୮/୬ (ଅନିମେଶପଟ୍ଟନାୟକ): ଶରଧାବାଲିରେ ଦର୍ଶନ ଦେଉଛନ୍ତି ତିନି ଠାକୁର । ଅଧା ବାଟରେ ଅଟକି ଥିବା ତିନିରଥ କୁ ଆଜି ଟାଣି ନେଇଥିଲେ ଶ୍ରଦ୍ଧାଳୁ । ଘଣ୍ଟ କାହାଳୀର ନାଦ ସହ ଜୟ ଜଗନ୍ନାଥ ନାମରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ। ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଥିଲା । ସକାଳୁ ଅନୁକୁଳ ପାଗ ସହ ଝିପିଝିପି ବର୍ଷା ହୋଇଥିଲା । ପୂର୍ବାହ୍ନ ୯.୩୦ ମିନିଟରେ ପ୍ରଥମେ ବଡଠାକୁରଙ୍କ ତାଳଧ୍ବଜ ରଥ ଟଣାଯାଇଥିଲା । ପରେ ୯.୫୨ ମିନିଟରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ୧୦.୧୫ ମିନିଟରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାଯାଇଥିଲା । ଜଗନ୍ନାଥ ନାମ ସହ ତାଳ ଦେଇ ଘରଘର ନାଗରେ ଗଡିଥିଲେ ତିନିରଥ । ୧୧.୧୬ ମିନିଟରେ ପ୍ରଥମେ ଶରଧାବାଲିରେ ପହଞ୍ଚିଥିଲେ ବଡଠାକୁର। ପରେ ଦିବା ୧୨.୧୭ ମିନିଟରେ ଦେବୀ ସୁଭଦ୍ରା ଓ ୧.୦୫ମିନିଟରେ ମହାପ୍ରଭୁ ଜଗନ୍ନାଥ ଶରଧା ବାଲିରେ ପହଞ୍ଚିଥିଲେ ।

ତିନିରଥ ଶରଧାବାଲିରେ ଲାଗିବାପରେ ଗହଳିଚହଳି ଲାଗିରହିଛି । ରଥାରୁଢ ଠାକୁରଙ୍କ ପାଖରେ ଦୀପ ଜାଳିବା ସହ ଭକ୍ତ ମାନେ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି । ରଥ ଉପରେ ତିନି ଠାକୁରଙ୍କ ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥିଲା । ସକାଳ ୭ଟା୧୦ରେ ମଙ୍ଗଳାଆଳତି, ୭ଟା ୨୦ରେ ମଇଲମ, ୭ଟା ୨୫ରେ ତଡପଲାଗି ହୋଇ ୯ଟା ୧୫ରେ ଅବକାଶ ପୂଜା ଶେଷ ହୋଇଥିଲା । ୯.୨୫ ମିନିଟ ରେ ତିନିରଥରେ ଠାକୁରଙ୍କ ବେଶ ହୋଇଥିଲା ।

ରଥଉପରେ ୪ଟା୩୫ରେ ଗୋପାଳବଲ୍ଲଭ ଶେଷ ହୋଇଥିଲା । ୫ଟା ୪୫ରେ ସକାଳଧୂପ ଶେଷ ,୫ଟା ୫୫ରେ ମଇଲମ, ୬ଟା୩୦ରେ ତିନିରଥରେ ଠାକୁରଙ୍କ ମହାସ୍ନାନ ଶେଷ ହୋଇଥିଲା । ସଂଧ୍ୟା ୬ଟା ୦୫ ରୁ ୬ଟା୩୫ ମଧ୍ଯରେ ତିନିରଥରେ ସର୍ବାଙ୍ଗ ଅନୁଷ୍ଠିତ ହୋଇଥିଲା । ରଥ ଲାଗିବା ପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଭକ୍ତ ମାନେ ରଥରେ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ଆସନ୍ତାକାଲି ସଂଧ୍ଯାରେ ପହଣ୍ଡି ହୋଇ ଆଡପ ମଣ୍ଡପକୁ ବିଜେ କରିବେ ବୋଲି କାର୍ଯ୍ୟକ୍ରମ ରହିଛି । ରାଜ୍ଯ ପୋଲିସ ଓ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

0
0
0
s2sdefault