ହଜାର ହଜାର ଭକ୍ତ ବିଶ୍ୱର ଉଚ୍ଚତମ ନନ୍ଦିଘୋଷକୁ କେନ୍ଦୁଝର ବଡ଼ଦାଣ୍ଡରେ ଟାଣିଲେ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କେନ୍ଦୁଝର,ତା୨୮/୬- ବିଶ୍ଵର ବୃହତ୍ତମ ରଥ ହେଲା କେନ୍ଦୁଝରଗଡ଼ର ନନ୍ଦିଘୋଷ ରଥ ଯାହାର ଉଚ୍ଚତା ୭୨ ଫୁଟ ଓ ପ୍ରସ୍ଥ ୪୫ ଫୁଟ। ଶହ ଶହ ବର୍ଷ ହେବ ଏଠାରେ ରଥଯାତ୍ରା ଅନୁଷ୍ଠିତ ହେଉଛି । କେନ୍ଦୁଝରଗଡ଼ର ଶ୍ରୀ ବଳଦେବ ଜୀଉଙ୍କ ଘୋଷ ଯାତ୍ରାକୁ ଜିଲ୍ଲା ସାରାରୁ ଭକ୍ତ ସହ ପାଖଆଖ ଜିଲ୍ଲା ତଥା ପଡୋଶୀ ଝାଡ଼ଖଣ୍ଡ ରାଜ୍ୟରୁ ଅନେକ ଲୋକ ଆସି କେନ୍ଦୁଝର ବଡ଼ଦାଣ୍ଡରେ ସମାବେତ ହୁଅନ୍ତି । କେନ୍ଦୁଝରଗଡ଼ରେ ପାରମ୍ପାରିକ ରୀତିରେ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଚଳିତ ବର୍ଷ ଅଷାଢ ଶୁକ୍ଳ ପକ୍ଷ ଦ୍ଵିତୀୟାରେ ଶ୍ରୀ ବଳଦେବ ପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ  ଏଥିଲାଗି ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥିଲା ଘୋଷ ଯାତ୍ରାରେ ରଥାଋଢ ହେବାକୁ ଦିଅଁମାନଙ୍କୁ ପ୍ରସ୍ତୁତ କରାଯାଇଥିଲା । ଧୂପ ଦୀପ ପୂଜା ସହ ଠାକୁର ମାନଙ୍କୁ ସୁନ୍ଦର ଭାବରେ ସଜ୍ଜିତ କରାଯାଇଥିଲା। ପହଣ୍ଡିଆ ସେବାୟତ ମାନେ ଏହି ସବୁ ନୀତିକାନ୍ତି ପାଳନ କରିଥିଲେ। ଏହାପରେ ଦିଅଁମାନଙ୍କୁ ଖେଚୁଡ଼ି ଭୋଗ ଅର୍ପଣ କରାଯାଇଥିଲା। ରଥରେ ଯାତ୍ରା କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ହେବା ପୂର୍ବରୁ ରଥ ପୂଜା ହୋଇଥିଲା। ଏହାପରେ ପହଣ୍ଡିଆ ସେବାୟତ ମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ଆଣି ରଥାଋଢ କରାଇ ଥିଲେ । କେନ୍ଦୁଝର ରାଜା ସାହେବ ଧନଞ୍ଜୟ ଭଞ୍ଜଦେଓ ଅପରାହ୍ନରେ ଆସି ସୁବର୍ଣ୍ଣ ଝାଡୁରେ ଛେରା ପହଁରା ନୀତି ସଂପନ୍ନ କରିଥିଲେ ରାଜ ପୁରୋହିତ ସହଯୋଗ କରିଥିଲେ । ଏହିପରି ସମସ୍ତ ନୀତି ସଂପୂର୍ଣ୍ଣ ହେବାପରେ ୫ଟା ୩୦ ବେଳକୁ ରଥ ଟଣା ଆରମ୍ଭ ହୋଇଥିଲା । ବଡ଼ଦାଣ୍ଡରେ ପାଗ ଠିକ୍ ଥିଲା ସାମନ୍ୟ ବର୍ଷା ହେଲେ ମଧ୍ୟ ଅପରାହ୍ନ ବେଳକୁ ହଜାର ହଜାର ଭକ୍ତ ସେଠାରେ ଉପସ୍ଥିତ ହୋଇ ରଥ ଟାଣିବାକୁ ପ୍ରବଳ ଆଗ୍ରହ ଦେଖାଇ ଥିଲେ। ହରିବୋଲ ହୁଳହୁଳି ଘଣ୍ଟଘଣ୍ଟା ନାଦରେ ବିଶ୍ଵର ସର୍ବ ବୃହତ ନନ୍ଦିଘୋଷ ରଥର ଟଣା ଆରମ୍ଭ ହୋଇଥିଲା। ଆଦିମ ଜଗନ୍ନାଥ ସେବକ ଭୂୟାଁ ଜନଜାତି ଲୋକେ ଯୋଗାଇ ଦେଇଥିବା ଶିଆଳି ଲତା ଦଉଡ଼ିରେ ରଥକୁ ଭକ୍ତମାନେ ଭିଡ଼ି ନେଇଥିଲେ। ନନ୍ଦିଘୋଷ ଘର୍ଘର ନାଦ କରି ସଗର୍ବେ କେନ୍ଦୁଝର ବଡ଼ଦାଣ୍ଡରେ ଗଡ଼ି ଗଡ଼ି ଚାଲିଥିଲା। ଏପଟେ ବଡ଼ଦାଣ୍ଡରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।'

ବିଭିନ୍ନ ସ୍ଥାନରେ ବାରିକେଡ଼ ଲଗାଇ ଭକ୍ତଙ୍କ ସୁବିଧା କରାଯାଇଥିଲା। ସେହିପରି ପାର୍କିଂ ବ୍ୟବସ୍ଥା ସହ ବ୍ୟାଟେରୀ ଅଟୋ ଯୋଗେ ବରିଷ୍ଠ ନାଗରିକ ଭିନ୍ନକ୍ଷମ ଲୋକଙ୍କୁ ବଡଦାଣ୍ଡକୁ ଯାଇ ଦିଅଁ ଦର୍ଶନ ଲାଗି ସୁଯୋଗ ଦିଆଯାଇଥିଲା। ରଥଯାତ୍ରା ଅବସରରେ ହାଟ ପଡ଼ିଆରେ ମେଳା ପଡ଼ିଛି ଏଥି ସହ ଲୋକ ସମ୍ପର୍କ ସୂଚନା କାର୍ଯ୍ୟାଳୟ ପକ୍ଷରୁ ମଞ୍ଚ କରି ସୂଚନା ପ୍ରଦାନ ସହ ରଥ ଯାତ୍ରାର ସିଧାସଳଖ ଧାରା ବିବରଣୀ ପ୍ରଦାନ କରାଯାଇଥିଲା। ବରିଷ୍ଠ ସାରସ୍ୱତ ସାଧକ ନିରଞ୍ଜନ ବାରିକ ଖୁବ ସୁନ୍ଦର ତଥ୍ୟର ଅବତାରଣା କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ରାୟ ନିଜେ ଉପସ୍ଥିତ ସମସ୍ତ ମଞ୍ଚ କଥା ବୁଝିଥିଲେ। ଜିଲ୍ଲାପାଳ ବିଶାଳ ସିଂହ, ଏସପି ନିତିନ କୁଶଳକର, ଡିଏଫଓ ଧନରାଜ ଏଚଡି ବଡ଼ଦାଣ୍ଡରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ସଦର ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଉମାକାନ୍ତ ଦଳେଇ ମନ୍ଦିର ରୀତିନୀତି ଉପରେ ନଜର ରଖି ସବୁ ସମ୍ପାଦିତ କରିଥିଲେ। ବଡଦାଣ୍ଡରେ ଇଲେଭେନ ବୁଲେଟ କ୍ଲବ ପକ୍ଷରୁ ହଜାର ହଜାର ଭକ୍ତଙ୍କୁ ନିଃଶୁଳ୍କ ପ୍ରସାଦ ବଣ୍ଟନ କରାଯାଇଥିଲା। ସେହିପରି ରଥ ବେଞ୍ଚ କ୍ଲବ ଦହି ପାଣି ସରବତ, ୟଙ୍ଗ ଜିନିୟସ ବ୍ଲକ କ୍ଷୀରି ପ୍ରସାଦ, ଦାନୀ ଟ୍ରଷ୍ଟ ଖେଚୁଡ଼ି ବଣ୍ଟନ କରିଥିଲେ। ଆରଏସଏସ, ଦୁର୍ଗା ବାହିନୀ, ଗାୟତ୍ରୀ ପରିବାର, ସତ୍ୟ ସାଇ ସେବା ସଂଗଠନ, ଇସ୍କନ,ବ୍ରହ୍ମାକୁମାରୀ ଆଶ୍ରମ ଆଦି ସଂଗଠନ ପକ୍ଷରୁ ଅନେକ ସେବା ବ୍ୟବସ୍ଥା କରାଯାଇଥିଲା। କେନ୍ଦୁଝରଗଡ଼ ନାଗରପାଳିକା, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ଓ ଜଳ ଯୋଗାଣ ବିଭାଗ ଅନେକ ସୁବିଧା କରିଥିଲେ।ଶେଷରେ ସନ୍ଧ୍ୟାରେ ରଥ ଯାଇ ଗୁଣ୍ଡିଚା ମନ୍ଦିରରେ ପହଂଚି ଥିଲା। ସନ୍ଧ୍ୟା ପରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଆସି ରଥରେ ଦିଅଁ ମାନଙ୍କୁ ଦର୍ଶନ କରିଥିଲେ।

0
0
0
s2sdefault