କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୬ରୋଗୀଙ୍କ ମୃତୁ୍ୟ ଘଟଣା
-
ନିରପେକ୍ଷ ତଦନ୍ତ କରି ଶ୍ୱେତପତ୍ର ପ୍ରକାଶ କରନ୍ତୁ ସରକାର
-
ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ
ଭୁବନେଶ୍ୱର, ୦୪/୦୬/୨୦୨୫: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୬ଜଣ ରୋଗୀଙ୍କ ଗୋଟିଏ ଦିନରେ ମୃତୁ୍ୟ ଘଟଣାକୁ ନେଇ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉଦ୍ବେଗଜନକ ବୋଲି ବିଜେଡି ଅଭିଯୋଗ କରିଛି ।
ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଝିନ୍ନ ହିକକ୍କା ଓ ପୂର୍ବତନ ବିଧାୟକ ଶ୍ରୀ ରଘୁରାମ ପଢାଲ ପ୍ରମୁଖ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା ଅବହେଳା ଯୋଗୁଁ ଆଇସିୟୁରେ ୫ଜଣ ଓ ୱାର୍ଡରେ ଜଣେ ରୋଗୀ ଅକାଳ ମୃତୁ୍ୟବରଣ କରିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି । ପୂର୍ବରୁ ଅଭିଭକ୍ତ କୋରାପୁଟ ଜିଲ୍ଲାର ଲୋକମାନେ ଚିକିତ୍ସା ପାଇଁ ପଡୋଶୀ ଆନ୍ଧ୍ର ମୁହାଁ ହେଉଥିଲେ । ଏହାକୁ ଅନୁଭବ କରି ଦୂରଦୃଷ୍ଟିସଂପର୍ଣ୍ଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୋରାପୁଟରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେ । ବର୍ତ୍ତମାନର ସରକାର ଏକ ବର୍ଷ ମଧ୍ୟରେ ସବୁକିଛି କରିବାର ପ୍ରଚାର କରୁଥିଲେ ମଧ୍ୟ ଏହି ଘଟଣା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ବେପରୁଆ ମନୋଭାବ ଓ ବିକଳ ଚିତ୍ର ପଦାରେ ପକାଇଛି ।
ଶ୍ରୀ ବକ୍ସିପାତ୍ର ଆହୁରି ମଧ୍ୟ କହିଥିଲେ ଯେ, ଏହି ସମ୍ବେଦନଶୀଳ ଘଟଣା ରୋଗୀ ଓ ତାଙ୍କ ସଂପର୍କୀୟମାନଙ୍କୁ ନିରାଶ କରିବା ସହ ମୃତୁ୍ୟର ପ୍ରକୃତ କାରଣ ସାର୍ବଜନୀନ କରିବା ପାଇଁ ସାଧାରଣରେ ଦାବି ହେଉଛି । ତୁରନ୍ତ ସରକାର ଏ ଘଟଣାରେ ଶ୍ୱେତପତ୍ର ଜାରି କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
ସେହିପରି କୋରାପୁଟ ଜିଲ୍ଲା ବିଜେଡି ସଭାପତି ଶ୍ରୀ ହିକକ୍କା କହିଥିଲେ ଯେ, ଅତୀତରେ କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା ବେଳେ ଆଜି ଏଭଳି ସ୍ଥିତି ପାଇଁ ସରକାରୀ ଅବହେଳା ଦାୟୀ ।
ପୂର୍ବତନ ବିଧାୟକ ଶ୍ରୀ ପୋଡଲ କହିଥିଲେ, ଭୁଲ୍ ଚିକିତ୍ସା ପାଇଁ ଦାୟୀ କିଏ, ଏହାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ନଚେତ ଏହି ଆଦିବାସୀ ଅଧୁ୍ୟଷିତ ଅଞ୍ଚଳବାସୀଙ୍କର ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଭରଷା ତୁଟି ଯିବ ।