-
ଭୁଲ ଇଞ୍ଜେକସନରେ ୬ଜଣଙ୍କ ମୃତ୍ୟୁ ପରେ ୧୦୮ ଆମ୍ବୁଲାନ୍ସ ସେବା ଠପ
-
ସ୍ୱାସ୍ଥ୍ୟ ସେବା ପ୍ରଦାନରେ ବିଫଳ ସରକାର ବର୍ଷପୂର୍ତ୍ତି ଉତ୍ସବ ପାଳନ କରୁଛି
-
ଉତ୍ସବ ପାଳନ ବନ୍ଦ କରି ସେହି ଅର୍ଥରେ ୧୦୦୦ ଆମ୍ବୁଲାନ୍ସ କିଣାଯାଉ
ଭୁବନେଶ୍ୱର, ୦୫/୦୬/୨୦୨୫: ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଉଦବେଗଜନକ ସ୍ଥିତିରେ ଥିବା ବେଳେ ଆମ୍ବୁଲାନ୍ସ ସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଦୁଃଖ ଓ ପରିତାପର ବିଷୟ ଯେ, ଆମ୍ବୁଲାନ୍ସ ଭଳି ଏକ ଜରୁରୀ କାଳୀନ ସେବା ଏକ ପ୍ରକାରର ଠପ ହୋଇଯାଇଥିବା ବେଳେ, ସରକାର ଏକ ବର୍ଷ ପୂର୍ତ୍ତି ଉତ୍ସବ ରାଜ୍ୟବ୍ୟାପୀ ପାଳନ କରୁଛି । ରାଜ୍ୟବାସୀଙ୍କ କଷ୍ଟ ଉପାର୍ଜିତ ଧନରୁ ଟିକସ ମାଧ୍ୟମରେ ରାଜକୋଷକୁ ଆସିଥିବା ଅର୍ଥକୁ ବିଜେପି ଉତ୍ସବ ପାଳନରେ ଖର୍ଚ୍ଚ ନକରି ସେହି ଅର୍ଥରେ ଆମ୍ୱୁଲାନ୍ସ କିଣାଯାଉ ବୋଲି ବିଜୁ ଜନତା ଦଳ ଦାବୀ କରିଛି ।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗତକାଲି କୋରାପୁଟର ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ଭୁଲ ଇଞ୍ଜେକସନ ଦିଆଯିବା ଦ୍ୱାରା ୬ ଜଣଙ୍କ ମୃତୁ୍ୟ ହୋଇଥିବା ଭଳି ଦୁଃଖଦ ଖବର ସାମ୍ନାକୁ ଆସିଥିଲା । ଆଜି ରାଜ୍ୟରେ ଆମ୍ୱୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିବାର କରୁଣ ଚିତ୍ର ସାମ୍ନାକୁ ଆସିଛି । ଜଗତସିଂହପୁର ଜିଲ୍ଲାରେ ଏକ ୧୦୮ ଆମ୍ବୁଲାନ୍ସରେ ରୋଗୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସହିତ ହସ୍ପିଟାଲକୁ ଆସୁଥିବା ବେଳେ ରାସ୍ତାରେ ଆମ୍ୱୁଲାନ୍ସର ଟାୟାର ପଂକଚର ହୋଇ ଯାଇଥିଲା । ସେହି ଆମ୍ବୁଲାନ୍ସଟିରେ ଷ୍ଟେପିନ୍ ଟାୟାର ନଥିଲା । ଡ୍ରାଇଭର କଲ ସେଣ୍ଟରର ସହାୟତା ମାଗିଥିଲେ ମଧ୍ୟ କୌଣସି ସହାୟତା ମିଳି ପାରି ନଥିଲା । ଆମ୍ବୁଲାନ୍ସରେ ମୁର୍ମୁଷୁ ଅବସ୍ଥାରେ ଥିବା ରୋଗୀଙ୍କ ଅବସ୍ଥା ଆହୁରି ଖରାପ ହୋଇଥିଲା । ଏହି ଖବର ପାଇ ବାଲିକୁଦା ଏରସମା ବିଧାୟକ ଶ୍ରୀ ସାରଦା ପ୍ରସାଦ ଜେନା ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଏକ ଗାଡ଼ିରେ ରୋଗୀଙ୍କୁ ଏରସମା ସିଏଚସିକୁ ପଠାଇଥିଲେ । ଏହାଛଡା, ରାଜ୍ୟ ସରକାରଙ୍କ ଦ୍ୱାରା ୧୦୮ ଆମ୍ବୁଲାନ୍ସ ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣା କରାଯାଉନଥିବା କାରଣରୁ ରାଜ୍ୟର ଆମ୍ବୁଲାନ୍ସ ସେବା ଠପ ହୋଇ ପଡିଛି । ୧୦୮ ଆମ୍ବୁଲାନ୍ସ ଗୁଡିକ ଅକାମି ହୋଇ ପଡ଼ି ରହିଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । କିନ୍ତୁ ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘାନାହିଁ ।
ଡ଼ ସାମନ୍ତସିଂହାର କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଥିଲା ଓ ବ୍ୟବସ୍ଥିତ ଢଙ୍ଗରେ ଚାଲି ଆସୁଥିଲା । କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ଆମ୍ବୁଲାନ୍ସ ଗୁଡିକର ରକ୍ଷଣାବେକ୍ଷଣା ନକରିବା କାରଣରୁ ଏହି ଜରୁରୀକାଳୀନ ସେବା ରାଜ୍ୟରେ ବିପର୍ଯ୍ୟସ୍ତ ହୋଇ ଯାଇଛି । ମରାମତି ଅଭାବରୁ ରାଜ୍ୟରେ ଚାଲୁଥିବା ଆମ୍ବୁଲାନ୍ସ ଗୁଡିକ ଏବେ ମରଣଯନ୍ତା ପାଲଟିଛି ।
ଡ଼ ସାମନ୍ତସିଂହାର କହିଥିଲେ, ଡବଲ ଇଂଜିନ ଡବଲ ବିକାଶ ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ଇଂଜିନ ଅଚଳ ହୋଇ ପଡିଛି ଓ ଡବଲ ବିକାଶ ଏବେ ଡବଲ ବିନାଶ ହୋଇ ପଡିଛି । ରାଜ୍ୟର ଅତ୍ୟାବଶକୀୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ବିଜେପି ସରକାର ଉତ୍ସବ ପାଳନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରି ଏହି ଉତ୍ସବ ପାଳନ ପ୍ରସ୍ତାବକୁ ତୁରନ୍ତ ବାତିଲ କରି ସେହି ଅର୍ଥରେ ୧୦୦୦ଟି ଜରୁରୀକାଳୀନ ସେବା ଥିବା ଆମ୍ବୁଲାନ୍ସ କିଣାଯାଉ ବୋଲି ଡ଼ ସାମନ୍ତସିଂହାର ଦାବୀ କରିଛନ୍ତି ।