ଉନ୍ନତ ଫୁଟ ଓଭର ବ୍ରିଜ ସହିତ ଅଧିକ ଟ୍ରେନ ଚଳାଚଳ ପାଇଁ ଦାବି
କେନ୍ଦୁଝର,ତା୫/୬- ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ଖୋଦ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଥିବା କେନ୍ଦୁଝରଗଡ଼ ରେଳ ଷ୍ଟେସନ ଏବେ ସଂପୂର୍ଣ୍ଣ ଅବହେଳିତ ଭାବେ ପଡ଼ି ରହିଛି । ଷ୍ଟେସନର ସୌନ୍ଦର୍ଯ୍ୟକରଣ ନାମରେ ପୂର୍ବରୁ ସବୁଜିମା ବଳୟ ଭିତରେ ଥିବା କେନ୍ଦୁଝରଗଡ ଷ୍ଟେସନର ସୁନ୍ଦର ସୁନ୍ଦର ଗଛ ଗୁଡ଼ିକୁ କାଟି ନଷ୍ଟ କରି ଦିଆଯାଇଛି । ଅନୁରୂପ ଭାବେ ଷ୍ଟେସନ ସମ୍ଭୁଖର ବିଭିନ୍ନ ରାସ୍ତା ଗୁଡ଼ିକୁ ଜେସିବି ଲଗେଇ ତାଡିବା ସହିତ ଆମ ଦେଶର ଜାତୀୟ ପତାକା ଖୁମ୍ଭଟିକୁ ମଧ୍ୟ ଉପାଡି ଦିଆଯାଇଛି । ଅମୃତ ଭାରତ ଯୋଜନାରେ ଦୀର୍ଘ ଏକ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିବା କାମ ବର୍ତ୍ତମାନ ସୁଦ୍ଧା ଏକ ଶତାଂଶ ମଧ୍ୟ ସଂପୂର୍ଣ୍ଣ ହୋଇ ନାହିଁ । ବର୍ତ୍ତମାନ ବର୍ଷା ଦିନ ଆସି ଯିବା ହେତୁ ଯାତ୍ରୀ ମାନେ ଅଯଥା କାଦୁଅରେ ପଡି ଘାଣ୍ଟି ଚକଟି ହେଉଛନ୍ତି । ଏଥି ସହିତ ବଡବିଲରୁ ପୁରୀ ଯାଉଥିବା ଓ ପୁରୀରୁ ବଡବିଲକୁ ପ୍ରତ୍ୟାବର୍ତ୍ତନ କରୁଥିବା ଇନଟରସିଟି ଏକ୍ସପ୍ରେସରେ ମାତ୍ର ୧୧ଗୋଟି ବଗି ସଂଯୋଗ ଥିବାରୁ ଯାତ୍ରୀ ମାନେ ସିଟ ନ ଥାଇ ଛିଡ଼ା ହୋଇ ଦୀର୍ଘ ବାଟ ଅତିକ୍ରମ କରୁଛନ୍ତି । କେନ୍ଦୁଝର ଗଣପର୍ବ ରଜ ପାଖେଇ ଆସୁଥିବାରୁ ଟ୍ରେନରେ ଭିଡ ଓ ଯାତ୍ରୀଙ୍କ ଦୁର୍ଦ୍ଦଶା ବହୁ ଗୁଣିତ ଭାବେ ବୃଦ୍ଧି ପାଇଛି। ଷ୍ଟେସନରୁ ୧ ଏବଂ ୨ ନମ୍ବର ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଫୁଟ ଓଭର ବ୍ରିଜଟି ଅଣ ଅସରିଆ ହୋଇଥିବାରୁ ଯାତ୍ରୀଙ୍କ ମାତ୍ରାଧିକ ଭିଡ ଯୋଗୁଁ ଯେ କୌଣସି ମୁହୂର୍ତ୍ତରେ ଯାତ୍ରୀମାନେ ଖସି ପଡିବା ସମ୍ଭାବନା ରହିଛି । ଲିଫଟ କିମ୍ବା ସ୍ୱୟଂ ଚାଳିତ ସିଡି ନଥିବାରୁ ବୃଦ୍ଧ, ବୃଦ୍ଧା ,ପ୍ରସୂତି ମହିଳା,ବିକଳାଙ୍ଗ ଏବଂ ରୋଗୀ ମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁରୀ-ଆନନ୍ଦବିହାର-ପୁରୀ ଓ ବିଶାଖାପାଟଣା-ଟାଟା-ବିଶାଖାପାଟଣା ଦୂର ଓ ଦ୍ରୁତଗାମୀ ଟ୍ରେନ ସପ୍ତାହରେ ମାତ୍ର ଥରେ ଚଳାଚଳ କରୁଥିବା ହେତୁ କେନ୍ଦୁଝରବାସୀ କୌଣସି ଜରୁରୀ କାମରେ ଗଲେ ଟ୍ରେନରେ ଫେରିବା ପାଇଁ ବାର ଦୁଆର ତେର ପିଣ୍ଡା ହୋଇ ଅଧିକ ଖର୍ଚ୍ଚାନ୍ତ ହେବା ସହ ସାତ ଦିନ ଅପେକ୍ଷା କରିବାକୁ ପଡୁଛି। ତୁରଂତ ଅମୃତ ଭାରତ ଯୋଜନାରେ କେନ୍ଦୁଝରଗଡ଼ ଷ୍ଟେସନ ଉନ୍ନତିକରଣ କାମ ସଂପୂର୍ଣ୍ଣ , ଅଣ ଅସାରିଆ ଫୁଟ ଓଭର ବ୍ରିଜକୁ ଓସାରିଆ କରିବା ସହିତ ଲିଫ୍ଟ ଏବଂ ସ୍ଵୟଂଚାଳିତ ସିଡ଼ିର ସ୍ଥାପନ କରିବା, ପୁରୀ - ବଡବିଲ - ପୁରୀ ଇଣ୍ଟର ସିଟି ଟ୍ରେନ କୋଚ ଗୁଡ଼ିକୁ ଏଲଏଚବି କୋଚରେ ପରିଣତ କରିବା ସହିତ ଏଥିରେ ଅତ୍ୟନ୍ତ ୨୨ଟି ବଗି ସଂଯୋଗ କରିବା ,ପୁରୀ - ଆନନ୍ଦବିହାର - ପୁରୀ ଓ ବିଶାଖାପାଟଣା - ଟାଟା - ବିଶାଖାପାଟଣା ଟ୍ରେନକୁ ସପ୍ତାହରେ ପ୍ରତ୍ୟେକ ଦିନ ଚଳାଚଳ କରିବା, ପାରାଦୀପରୁ କେନ୍ଦୁଝର ଆସି ଫେରୁଥିବା ମେମୁ ଟ୍ରେନକୁ ନୟାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ବନ୍ଦର ସହରକୁ ଖଣିଜ ସହର ସହିତ ଯୋଡ଼ିବା ଏବଂ କେନ୍ଦୁଝରରୁ ହାଓଡ଼ା ଦୈନିକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ପାଇଁ ବରିଷ୍ଠ ସମାଜସେବୀ ରଞ୍ଜନ କୁମାର ବେହେରା,ସରୋଜ କୁମାର ସାହୁ,ପ୍ରତ୍ୟୁଷ ପଟ୍ଟନାୟକ,ବିପିନ ବିହାରୀ ମିଶ୍ର ପ୍ରମୁଖ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ନିକଟରେ ଦାବି କରିବା ସହିତ ଆଗାମୀ ଏକ ମାସ ମଧ୍ୟରେ ଦାବି ପୂରଣ ଦିଗରେ କାର୍ଯ୍ୟ ଆରମ୍ଭ ନ ହେଲେ ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱନୀ ବୈଷ୍ଣଵ୍ୟଙ୍କୁ ଭେଟି କେନ୍ଦୁଝରର ନାର୍ଯ୍ୟ ଦାବି ହାସଲକୁ ଆଲୋଚନା କରାଯିବା ସହିତ ତାଙ୍କୁ କେନ୍ଦୁଝର ଗସ୍ତରେ ଆସିବା ପାଇଁ ଆମନ୍ତ୍ରଣ କରାଯିବ ବୋଲି କହିଛନ୍ତି।