ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମା ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଚିକିତ୍ସା ଅବହେଳା ଅଭିଯୋଗର ତଦନ୍ତ କରାଯାଇ ସମ୍ପୃକ୍ତ ଡାକ୍ତର ରବୀନ୍ଦ୍ର ନାଥ ସାହୁଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଗତ ମେ ୩୧ ତାରିଖ ରାତିରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁର ଯୁବନେତା ସଞ୍ଜୟ କୁମାର ନାୟକଙ୍କ ପତ୍ନୀ ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ ହୋଇଥିଲେ । ଚିକିତ୍ସା ଅବହେଳାରୁ ସଞ୍ଜୟଙ୍କ ପତ୍ନୀ ମମତା ସ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖାଯାଇଥିଲା । ଶହ ଶହ ସଂଖ୍ୟାରେ ଲୋକ ରୁଣ୍ଡ ହୋଇ ଡାକ୍ତରଙ୍କ ଗିରଫ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଉକ୍ତଦିନ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବନମାଳି ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ତୁରନ୍ତ ଡାକ୍ତର ରବୀନ୍ଦ୍ର ନାଥ ସାହୁଙ୍କୁ ବଦଳି ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ତାଙ୍କୁ ଭାପୁର ବ୍ଲକକୁ ବଦଳି କରାଯାଇଥିଲା । ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଡାକ୍ତର ଶ୍ରୀଯୁକ୍ତ ସାହୁଙ୍କୁ ନିଲମ୍ବନ କରିଛନ୍ତି ।
ରାଜ୍ୟ
ଚିକିତ୍ସା ଅବହେଳାରୁ ମହିଳା ମୃତ୍ୟୁ ଘଟଣା, ନିଲମ୍ବିତ ହେଲେ ଡାକ୍ତର
- Hits: 7