ହେଡଲାଇନସ୍:

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭଙ୍ଗାଗଲା ବୋଟିଂକ୍ରୀଡା ବୁକିଂ କାଉଣ୍ଟର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ,୨୭/୫- ଗତ ୨୪ ତାରିଖ ସଂଧ୍ଯା ୬ଟା ସମୟରେ ବଳିଆପଣ୍ଡା ଲାଇଟହାଉସ ସମ୍ମୁଖ ସମୁଦ୍ରକୂଳରେ ୱାଟର ସ୍ପୋର୍ଟ୍ସ ବୋଟ ଦୁର୍ଘଟଣା ଘଟିଥିଲା । ଏଥିରେ ୪ ଜଣ ପର୍ଯ୍ଯଟକ ଆହତ ହୋଇଥିଲେ । ଲାଇଫଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ମରଣ ମୁହଁରୁ ପର୍ଯ୍ଯଟକ ବଞ୍ଚି ଯାଇଥିଲେ । ଆହତ ହୋଇଥିବା ପର୍ଯ୍ୟଟକ ହେଲେ ଇଣ୍ଡିଆନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ ଗାଙ୍ଗୁଲି ଓ ତାଙ୍କ ପତ୍ନୀ ଅର୍ପିତ ଗାଙ୍ଗୁଲି । ଏହି ଘଟଣାକୁ ନେଇ ପୁରୀ ସମୁଦ୍ରରେ ଜଳକ୍ରୀଡା ବିପଦଜ୍ଜନକ ହୋଇପଡିଛି । ଉଚ୍ଚ ଜୁଆର ଅଞ୍ଚଳ ହୋଇଥିବାରୁ ଏହା ଜଳକ୍ରୀଡା ପାଇଁ ବିପଦ ସୃଷ୍ଟି କରୁଛି । ବିନା ଲାଇସେନ୍ସରେ ଏହି ବିପଦଜ୍ଜନକ ବୋଟ ପରିଚଳାନା ସଂସ୍ଥା ଏବେ ବିବାଦ ଘେରରେ ପଡିଛି । ୱାଟର ସ୍ପୋର୍ଟ୍ସ, ପାରା ମୋଟରିଂ ଆଣ୍ଡ ପାରା ଗ୍ଲାଇଡିଂ, ପୁରୀ ସ୍କାଏ ଡ୍ରାଇଭ ଆଡଭେଞ୍ଚର କମ୍ପାନୀ କାହା ଅନୁମତିରେ ଏଭଳି ଖେଳ ପ୍ରଦର୍ଶନ କରାଉଛି ତାକୁ ନେଇ ବିବାଦ ଉଠିଛି । ସଂଧ୍ଯା ୬ଟା ପରେ ମେଘୁଆ ପାଗ ଓ ଉଚ୍ଚ ଢେଉ ଆସୁଥିବା ସମୟରେ କିଭଳି ସମୁଦ୍ର ଭିତରକୁ ଗଲେ ତାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସ୍ପିଡ ବୋଟରେ ୧୦ ଜଣଙ୍କ ପାଇଁ ସିଟ୍ ରହିଛି । ୧୦ ଜଣଙ୍କ ଓଜନ ଢେଉ ଉଠିବା ସମୟରେ ଓଲଟାଇ ପାରିନଥାନ୍ତା । ୪ ଜଣ ବସିବାରୁ ଢେଉ ବୋଟକୁ ଓଲଟାଇ ଦେଲା । ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେବା ଫଳରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବେ ଆକ୍ସନ ମୋଡରେ ରହିଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୌରସଂସ୍ଥା ପକ୍ଷରୁ ଜେସିବି ଲଗାଯାଇ ବୋଟିଂ ବୁକିଂ କାଉଣ୍ଟରକୁ ଭଙ୍ଗା ଯାଇଛି । ଏହି ଘଟଣା ରାଜ୍ୟ ସମେତ ଦେଶରେ ହଇଚଇ ସୃଷ୍ଟି କରିଛି ।

ସେପଟେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ପ୍ରସନ୍ନ କୁମାର ଦାଶ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଇଛନ୍ତି ସି ୱାଟର ସ୍ପୋର୍ଟ୍ସ ନାମରେ ପର୍ଯ୍ଯଟକଙ୍କ ଜୀବନ ସହ ଖେଳୁଛନ୍ତି । ପାରା ମଟୋରିଂ ଆଣ୍ଡ ପାରା ଗ୍ଲାଇଡିଂ, ପୁରୀ ସ୍କାଏ ଡାଇଭି ଆଡଭେଞ୍ଚର କମ୍ପାନୀ ଜାଣିଶୁଣି ପର୍ଯ୍ଯଟକଙ୍କୁ ମରଣ ସହ ଖେଳ ଖେଳିବା ପାଇଁ ସମୁଦ୍ରଗର୍ଭକୁ ଛାଡୁଛନ୍ତି । ୨୦୨୩ ଅକ୍ଟୋବର ୧ ତାରିଖରେ ମଧ୍ଯ ଏଭଳି ଘଟଣା ଘଟିଥିଲା । ସଂପୃକ୍ତ ସଂସ୍ଥା ପର୍ଯ୍ଯଟକ ମାନଙ୍କୁ ମାର୍ଗଦର୍ଶିକା ଲିଖିତ ଆକାରରେ ଦେବା ଓ ବୀମା ବାଧ୍ୟତାମୂଳକ କରିବା ନିୟମ ଥିଲେ ମଧ୍ଯ ଅନୁଷ୍ଠାନ ତାହା କାର୍ଯ୍ୟକାରୀ କରୁନାହିଁ । ସଂପୃକ୍ତ ସଂସ୍ଥାର ଅନୁମତି ପତ୍ର, ରେଜିଷ୍ଟ୍ରେସନ ଓ ଲାଇସେନ୍ସ, ଟ୍ରେନିଂ ସାର୍ଟିଫିକେଟ ଓ ସଂଧ୍ଯା ୬ଟା ପରେ କିପରି ବୋଟ ସମୁଦ୍ର ଭିତରକୁ ଛଡାଗଲା ସେ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରିବାକୁ ଶ୍ରୀ ଦାଶ ଆୟୋଗଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

0
0
0
s2sdefault