ୟୁନାଇଟେଡ଼ କ୍ଳବ୍ ୯୯ ତରଫରୁ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା: ଦାଣ୍ଡ ଦୁଲୁକାଇଲେ ଘଣ୍ଟ ବାଦ୍ୟ ଓ ଆଖଡା କିଙ୍ଗ୍ ରିତେଶ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -୨୪/୫-ଗଞ୍ଜାମ ଜିଲ୍ଲାର ଅନ୍ୟତମ ସଂସ୍କୃତି ସମ୍ପନ୍ନ ସହର ବେଲଗୁଣ୍ଠାରେ ଚାଲିଥିବା ମାଁ ବ୍ରାହ୍ମଣ ଦେବୀଙ୍କ ଦ୍ୱିବାର୍ଷିକ ଯାତ୍ରା ଅବସରରେ ୟୁନାଇଟେଡ଼ କ୍ଳବ୍ ୯୯ ତରଫରୁ ଆକର୍ଷଣୀୟ ଶୋଭାଯାତ୍ରା,ନଭଶ୍ଚୁମ୍ଭୀ ଆତସବାଜି ସହିତ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଯାଇଛି । ସକାଳ ୧୦ ଘଟିକା ସମୟରେ ସମ୍ପୁର୍ଣ୍ଣ ଯାତ୍ରା କମିଟି,ସହରର ବହୁ ବିଶିଷ୍ଟ ବ୍ୟକ୍ତି, ୟୁନାଇଟେଡ଼ କ୍ଳବ୍ ୯୯ ର ସମସ୍ତ ସଦସ୍ୟ ଓ ସଦସ୍ୟା ଏକ ଶୋଭାଯାତ୍ରାରେ ବାହାରି ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ପାଇଁ ନିମନ୍ତ୍ରଣ କରି ନିର୍ବିଘ୍ନରେ ନଗରପରିକ୍ରମା ସମାପ୍ତ କରିବା ପାଇଁଁ ଆଶିର୍ବାଦ ଭୀକ୍ଷା କରିଥିଲେ ।
ଏହି ଅବସରରେ କ୍ଳବ୍ ତରଫରୁ ସମସ୍ତ ଅତିଥିଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ କରାଯାଇଥିଲା ।ସେଠାରେ ମାଁ'ଙ୍କ ମାଜଣା,ଆରତୀ ଅନୁଷ୍ଠିତ ହୋଇଥିଲା ।ଜାମୁନୀରୁ ଆସିଥିବା ଢ଼ୋଲ୍ ପାର୍ଟି ସକାଳ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା । ସଂଧ୍ୟା ୭ ଘଟିକା ସମୟରେ ବାଲୁଙ୍କେଶ୍ୱର ମନ୍ଦିର ପୀଠ ଠାରୁ ମାଁ'ଙ୍କୁ ଆବାହନ କରିବା ପାଇଁଁ ଆକର୍ଷଣୀୟ ଶୋଭାଯାତ୍ରା ଅସ୍ଥାୟୀ ପୀଠ ଅଭିମୁଖେ ବାହାରିଥିଲା । ଶୋଭାଯାତ୍ରାରେ ସାମିଲ ହୋଇଥିବା ସୁଦୁର ସମ୍ବଲପୁର ଜିଲ୍ଲାର ହନୁମାନ ଘଣ୍ଟ ବାଦ୍ୟ,ପୁରୀ ସାହି ଯାତ,ବାଘ ଷଣ୍ଢ, ଡିଜେ ବିଶେଷ କରି ଓଡ଼ିଶାର ସୁନାମଧନ୍ୟ ପାଇକ ଆଖଡା ଖେଳାଳି ରିତେଶଙ୍କୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଘଣ୍ଟ ବାଦ୍ୟର ଶବ୍ଦର ଯାଦୁଗରୀ ଓ ରିତେଶଙ୍କ ବଲାଟି ଖେଳ, ନିଆଁ ଆଖଡାରେ ଦର୍ଶକ ବିଭୋର ହୋଇଥିଲେ ।ରାତି ୯.୪୫ ସମୟରେ ମାଁ'ବ୍ରାହ୍ମଣ ଦେବୀ ସିଂହବାହିନୀଙ୍କ ବେଶରେ ନଗରପରିକ୍ରମା ଆରମ୍ଭ ହୋଇଥିଲା ।ଶୋଭାଯାତ୍ରା ବଡ଼ଦାଣ୍ଡରେ ପହଞ୍ଚିବା କ୍ଷଣି ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଥିଲା । ରାୟଗଡା,ତିଗିରିଆ ଓ ଖଲିକୋଟ ପଥରା ର ବାଣ କାରିଗର ମାନଙ୍କୁ ଦ୍ୱାରା ସୁନ୍ଦର ଆତସବାଜି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ନଭଶ୍ଚୁମ୍ଭୀ ଆତସବାଜି,ନବଚକ୍ର, ରଣଭୂମି,ଷ୍ଟାର୍ ଗଛ ଅନ୍ୟତମ ଆକର୍ଷଣ ଥିଲା ।୪୦ ଜଣ କଳାକାରଙ୍କ ଘଣ୍ଟ ବାଦ୍ୟ ଶବ୍ଦରେ ବେଲଗୁଣ୍ଠା ବଡ଼ଦାଣ୍ଡ ଦୁଲୁକିଥିଲା । ସ୍ଥାନୀୟ ଦର୍ଶକ ମଧ୍ୟ ଘଣ୍ଟ ବାଦ୍ୟରେ ନୃତ୍ୟ ରତ ଥିବା ଲକ୍ଷ୍ୟ କରାଯାଇଥିଲା ।ଏଥି ସହିତ ମାଁ'ଙ୍କ ନଗରପରିକ୍ରମା ସମୟରେ ବିଭିନ୍ନ ସାହିରେ ୧୦୮ ଆରତୀ, ବିଭିନ୍ନ ପ୍ରକାର ବ୍ୟଞ୍ଜନ ମାଁ ଙ୍କୁ ଭୋଗ ଲାଗି ହୋଇଥିଲା ।ଭୋର୍ ୪ଟା ରେ ମାଁ ବ୍ରାହ୍ମଣ ଦେବୀ ନଗରପରିକ୍ରମା ସମାପ୍ତ କରି ଗମ୍ଭୀରାରେ ବିଜେ କରିଥିଲେ । ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ସେହିପରି ଆତସବାଜି କାର୍ଯ୍ୟକ୍ରମ ଥିବାରୁ ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ଥିଲେ । ୟୁନାଇଟେଡ଼ କ୍ଳବ୍ ୯୯ ର ଏହା ତୃତୀୟ ଥର ନଗର ପରିକ୍ରମା ହୋଇଥିବାବେଳେ ଏହି ୧୯୯୯ ଦଶମ ଶ୍ରେଣୀ ବ୍ୟାଚର ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ରହି ପରିଚାଳନା କରିଥିଲେ ।

ରିପୋର୍ଟ -ଶିବରାମ ଚୌଧୁରୀ

0
0
0
s2sdefault