ପୌରସଂସ୍ଥାର ଏ କି ପ୍ରକାର ମାଙ୍କଡ଼ାମି, ରାଜବଂଶ ପ୍ରତି ଇଏ କି ଅବମାନନା
ଗିରିଜା ଶଙ୍କର ଦାଶ
ଠିକ କଥା....ରାଜା ରାଜୁଡା ଶାସନ ସରିଯାଇଛି | ରାଜାଙ୍କ ପତିଆରା ବି ନାହିଁ | ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ | ରାଜା ଶବ୍ଦ ଏବେ ହୋଇପାରେ କର୍ପୁର ଗନ୍ଧ ଉଡିଯାଇଥିବା କନା ! ହଁ ...ସେମାନେ ବିସ୍ମୃତ ହୋଇଯାଇ ପାରନ୍ତି | ହେଲେ ଯେଉଁ ରାଜା ପରିବାରର ସଦସ୍ୟମାନେ ରାଜା ପଦରୁ ତଳକୁ ଓଲ୍ହାଇ ଆସି ଲୋକଙ୍କ ପାଇଁ ସର୍ବ ସାଧାରଣଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ମହତ୍ୱପୂର୍ଣ ପଦକ୍ଷେପ ରଖିଯାଇଛନ୍ତି, ସେମାନଙ୍କୁ ଭୁଲିଯିବା ବା ସେମାନଙ୍କ ଅନବଦ୍ୟ ଅବଦାନ ପାଇଁ ସମ୍ମାନର ସହ ସେମାନଙ୍କ ନାଁ ନନେବା ବା ସେମାନଙ୍କ ମର୍ଯ୍ୟାଦାହାନି ହେବା ଭଳି କାର୍ଯ୍ୟ କରିବା କି ପ୍ରକାର ମାନସିକତା !!! ଖାସ କରି ମୟୁରଭଞ୍ଜ ମହାରାଜାଙ୍କ ପରିବାର ସହ ଭାବ ପ୍ରବଣତା ବିଜଡିତ ମୟୁରଭଞ୍ଜ ଜିଲ୍ଲାରେ ତ ଅନ୍ତତଃ ପକ୍ଷେ ନୁହେଁ | ହେଲେ ଏଭଳି କିଛି ମାଙ୍କଡ଼ାମି ଘଟିଛି ବାରିପଦା ମୁନିସିପାଲିଟି ଦ୍ୱାରା | ଆରମ୍ଭ ହୋଇଥିଲା ପୂର୍ବତନ ନଗରପାଳ ଦୀନକୃଷ୍ଣଙ୍କ ଦ୍ୱାରା, ଆଉ ତାକୁ ଜାରି ରଖିଲା ବର୍ତ୍ତମାନର ପୌର ପରିଷଦ | ଆମେ କାହାକୁ ସମାଲୋଚନା କରୁନୁ କି କାହାର ମର୍ଯ୍ୟାଦା ହାନି କରୁନୁ | ଆଖିକୁ ଆଉ କାନକୁ ଯାହା ଅସୁନ୍ଦର ଲାଗିଲା ତାହା କହୁଚୁ | ନିକଟରେ ବାରିପଦା ପୌରପରିଷଦର ବିଭିନ୍ନ ସ୍ଥାନରେ ମୟୂରଭଞ୍ଜ ଜିଲ୍ଲାର ପାଞ୍ଚ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନକୁ ପୌରବାସୀ ସ୍ୱାଗତ ଜଣାଇଥିବା ବେଳେ ପ୍ରତିମୂତ୍ତି ସ୍ଥାପନ ନିମନ୍ତେ ପୌରପରିଷଦ ଚିହ୍ନଟ କରିଥିବା ଦୁଇଟି ସ୍ଥାନକୁ ନେଇ ପୌରପରିଷଦକୁ ସମାଲୋଚନାର ସମ୍ମୁଖୀନ ହେବା ସାଙ୍ଗକୁ ଉକ୍ତ ନିଷ୍ପତ୍ତିକୁ ଦୃଢ଼ ଭାବେ ନିନ୍ଦା ମଧ୍ୟ କରିବା ସହ "ଶାସକ ପ୍ରଶାସକ"କୁ ବାରିପଦା ର କିଛି ବୁଦ୍ଧିଜୀବୀ ଫୋନ କରି ଯାହା କରିଲେ ତାହା ଯଦି ସତ୍ୟ ତେବେ ନିଶ୍ଚିତ ଭାବେ ଦୁଃଖ ଦାୟକ । କିଛି ବୁଦ୍ଧିଜୀବୀଙ୍କ ଠାରୁ ପାଇଥିବା ଇମେଲ ଆଧାରରେ ଏହି ଲେଖାଟି ମୁଁ ଲେଖିବାକୁ ବାଧ୍ୟ ହେଉଛି | ଯଦି ଏଥିରେ କିଛି ତଥ୍ୟଗତ ବା ତତ୍ତ୍ୱଗତ ତ୍ରୁଟି ଥାଏ ତେବେ ଆମକୁ ଅବଗତ କରାଇଲେ ଆମେ ଶାସକ ପ୍ରଶାସକରେ ତାହାକୁ ପ୍ରକାଶିତ କରିବୁ |
ନିକଟରେ ମୟୁରଭଞ୍ଜର ସମ୍ମାନାସ୍ପଦ ବ୍ୟକ୍ତିତ୍ଵମାନଙ୍କ ପ୍ରତି ମୂର୍ତ୍ତି ସ୍ଥାପନ ପାଇଁ ଯେଉଁ ସ୍ଥାନ ଚିହ୍ନଟ ହେଲା ବା ଭୂମିପୂଜା ହେଲା ତାକୁ ନେଇ ଅଭାବନୀୟ ପରିସ୍ଥିତି ଦେଖାଦେଇଛି | ଗୋଟିଏ ଭୁଲ ନିଷ୍ପତ୍ତି କାଳେ ସର୍ବପ୍ରଥମେ ଦୀନକୃଷ୍ଣ ବାରିପଦା ପୌରପରିଷଦରେ ନଗରପାଳ ରହିଥିବା ବେଳେ ନିଆଯାଇଥିଲା, ଯାହାକୁ କି ବର୍ତମାନର ପୌରପରିଷଦର କାଉନସିଲ ତୃଟିକୁ ସୁଧାରିବା ପ୍ରତିବଦଳରେ ତାକୁ ପୁଣି ଥରେ ଦୋହରାଇଛି । ମହାରାଜା କୃଷ୍ଣଚନ୍ଦ୍ର ଗୋଲେଇ ନାମ କରଣ କରାଯିବା ବଦଳରେ କେବଳ କୃଷ୍ଣଚନ୍ଦ୍ର ଗୋଲେଇ କରାଗଲା । ପୁଣି ଉକ୍ତ ଗୋଲେଇରେ ମହାରାଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ବଦଳରେ ଶତରଚନ୍ଦ୍ର ଦାଶଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଥିଲା । ପୂର୍ବତନ ନଗରପାଲଙ୍କର ଏହି ଭୂଲକୁ ବର୍ତ୍ତମାନ ସୁଧାରିବା ବଦଳରେ ପୁଣି ଥରେ ଉକ୍ତସ୍ଥାନରେ ଶରତ ଚନ୍ଦ୍ର ଦାଶଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଗଲା । ସେହିପରି ଦକ୍ଷିଣ ଦିଗରେ ମୟୂରଭଞ୍ଜ ଗଡ଼ଜାତର ମୁଖ୍ୟ ପ୍ରବେଶ ପଥ ପୂର୍ଣ୍ଣ ଚନ୍ଦ୍ର ଗୋଲେଇ ନାମକରଣ କରାଯାଇଥିବା ବେଳେ ଉକ୍ତ ଗୋଲେଇରେ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ବଦଳରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଗଲା । ବାରିପଦା ସହର ଏକ ଭାଇଚାରାର ବାର୍ତ୍ତା ବିଶ୍ୱବାସୀଙ୍କୁ ଦେଇ ଆସୁଥିବା ବେଳେ ପୌରପରିଷଦ ଓ ଜିଲ୍ଲା ପ୍ରଶାସନର ଭୂଲ ନିଷ୍ପତ୍ତି ଏହି ଭାଇଚାରା ଓ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ରହିଆସିଥିବା ସୌହାର୍ଦ୍ଧପୂର୍ଣ୍ଣ ପରିବେଶ ମଧ୍ୟରେ ତିକ୍ତତାର ବୀଜ ବପନ କରିଦେଉଛି । ଅତୀତରେ ଜିଲ୍ଲା ପ୍ରଶାସନର ଭଞ୍ଜପୁର ଗୋଲେଇରେ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିକୁ ଉକ୍ତ ସ୍ଥାନରୁ ପ୍ରାୟ ୩୦ ଫୁଟ ଦୂରତ୍ୱରେ ରହିଥିବା ପୂଜାମଣ୍ଡପକୁ ସ୍ଥାନାନ୍ତରିତ କରାଇବାର ନିଷ୍ପତ୍ତି ଆଦିବାସୀ ଓ ଅଣଆଦିବାସୀ ମଧ୍ୟରେ ରହିଥିବା ଭାଇଚାରା ମଧ୍ୟରେ ତିକ୍ତତା ସୃଷ୍ଟି କରାଇ ଦେଇଥିଲା । ବର୍ତ୍ତମାନ ବାରିପଦା ପୌରପରିଷଦ ପକ୍ଷରୁ ନିଆ ଯାଇଥିବା ନିଷ୍ପତ୍ତିକୁ ବିରୋଧ କଲେ ପୁଣି ଥରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ବିବାଦ ତୀବ୍ର ହେବାର ସମ୍ଭାବନା ରହିଥିବା କାରଣରୁ ପୌରବାସୀ ଚୁପ ରହିବାକୁ ବାଧ୍ୟ ହୋଇଛନ୍ତି ଜନୈକ ବ୍ୟକ୍ତି ନିଜ ନାମ ଗୋପନ ରଖି ପ୍ରକାଶ କରିବା ସଂଗେସଂଗେ ବିଲେଇ ବେକରେ ଘଣ୍ଟି ବାନ୍ଧିବାର ସତସାହସ କାହାର ରହିଛି ବୋଲି ମତପ୍ରକାଶ କରିଛନ୍ତି । ବାରିପଦା ବିଜୁ ଗୋଲେଇରେ ବିଜୁବାବୁ ଓ ପାଲବଣି ଗୋଲେଇରେ ଇନ୍ଦୀରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ବେଳେ ସହରର କୌଣସି ମୁଖ୍ୟ ଗୋଲେଇ ମହାରାଜାମାନଙ୍କ ପ୍ରତ୍ତିମୂର୍ତ୍ତି ସ୍ଥାପନ କରାଯାଇ ନାହିଁ । ପୁଣି ୧୯୦୫ ମସିହାରେ ମହାରାଜା ଶ୍ରୀରାମଚନ୍ଦ୍ର ବାରିପଦା ପୌରପରିଷଦ ନିର୍ମାଣ କରିଥିବା ବେଳେ ଉକ୍ତ ପୌରପରିଷଦରେ ମହାରାଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି ।
ଅବଶ୍ୟ କେଉଁଠି କାହାର ମୂରତି ରହିଲା ସେଇଟା ବଡ଼କଥା ନୁହେଁ | କେସି ସର୍କଲ ନାମରେ ପରିଚିତ ଗୋଳେଇକୁ ମହାରାଜା କୃଷ୍ଣଚନ୍ଦ୍ର ଛକ ବା ସର୍କଲ ବୋଲି ନାମକାରଣ କରି ସେଠାରେ ମହାରାଜା କୃଷ୍ଣଚନ୍ଦ୍ରଙ୍କ ପ୍ରତିମୁର୍ତି ରଖି ସମ୍ମାନନୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅନ୍ୟ କୌଣସି ଜନଗହଳ ବା ପ୍ରମୁଖ ଛକରେ ବସିଥିଲେ କିଛି ବେଦ ଅସୁଦ୍ଧି ହୋଇଯାଇଥାନ୍ତାକି ? ସେହିପରି ଗଡ଼ଜାତର ପ୍ରବେଶ ପଥରେ ଥିବା ଗୋଳେଇ ପୂର୍ଣଚନ୍ଦ୍ର ଗୋଲେଇ ବୋଲି ନାମିତ କରାଯାଇଥିବା ବେଳେ ସେଠି ମହାରାଜା ପୂର୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୁର୍ତି ବସିଥିଲେ କିଛି ଅସୁବିଦଂଡ ହୋଇଥାନ୍ତା କି ? ଏବେ କଣ ହେଲା ? ପୂର୍ଣଚନ୍ଦ୍ର ଗୋଲେଇରେ ପଣ୍ଡିତ ରଘୁନାଥ ମୁର୍ମୁ ଆଉ କୃଷ୍ଣଚନ୍ଦ୍ର ଗୋଲେଇରେ ମହାନ ସ୍ୱାଧୀନତା ସଂଗ୍ରାମୀ ଶରତ ଦାଶଙ୍କ ପ୍ରତିମୁର୍ତି | କାହିଁ... ଛଉ ପଡିଆ ଭଳି ପ୍ରମିନେଣ୍ଟ ସ୍ଥାନରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂରତି ସ୍ଥାପନ କରାଗଲେ କିଛି ଅସମ୍ମାନ ହୋଇଥାନ୍ତା କି ? ହେଲେ କୃଷ୍ଣଚନ୍ଦ୍ର ଗୋଲେଇରେ ମହାରାଜା କୃଷ୍ଣଚନ୍ଦ୍ରଙ୍କ ଆଉ ପୂର୍ଣଚନ୍ଦ୍ର ଗାଲେଇରେ ମହାରାଜ ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରତିମୂରତି ରହିଥିଲେ କନଫ୍ୟୁଜନ ରହିନଥାନ୍ତା | ଆମେ କୌଣସି କରିଥିଲେ ଏ ଗୁରୁଚଣ୍ଡାଳ ଦୋଷ ରହିନଥାନ୍ତା | ସାନ୍ତାଳ ସମ୍ପ୍ରଦାୟର ଅଲଚିକି ଭାଷା ଲିପିର ସ୍ରଷ୍ଟା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ , ଓରାଙ୍ଗଚିତି ଲିପିର ରଚୟିତା ଗୁରୁ ଲାକୋ ବୋଦ୍ରା, ମୁଣ୍ଡାରୀ ସମ୍ପ୍ରଦାୟର ମୁଣ୍ଡାରୀବାନୀ ଲିପିର ସ୍ରଷ୍ଟା ଗୁରୁ ରୋହିଦାସ ସିଂ ନାଗ, ମୟୂରଭଞ୍ଜର ଗାନ୍ଧୀ ତଥା ପ୍ରଜା ଆନ୍ଦୋଳନ କର୍ଣ୍ଣଧାର ଓ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ପ୍ରଥମ ଓ ଶେଷ ପ୍ରଧାନମନ୍ତ୍ରୀ ଶରତ ଚନ୍ଦ୍ର ଦାଶ ଏମାନେ ସମସ୍ତେ ନମସ୍ୟ | ଜାତି ସମ୍ପ୍ରଦାୟର ଊର୍ଧ୍ୱରେ ଏମାନେ ବନ୍ଦନୀୟ | ମୟୁରଭଞ୍ଜ ମାଟି ପାଇଁ ଏମାନଙ୍କ ଅବଦାନ ଅତୁଳନୀୟ | ଏମାନଙ୍କୁ ଯେତେ ସମ୍ମାନ ଦେଲେ କମ ହେବ ବା ଯେତେ ଜାଗାରେ ପ୍ରତିମୂର୍ତ୍ତୀ ଲଗାଇଲେ ବି କମ ହେବ | ହେଲେ ଆମେ ଏଠି ଯେଉଁ କଥା ଉଠାଇଛୁ ତାହା ଗଭୀର ଭାବେ ଚିନ୍ତା କଲେ କେସି ସର୍କଲରେ ମହାରାଜ କୃଷ୍ଣଚନ୍ଦ୍ର ଆଉ ପୂର୍ଣଚନ୍ଦ୍ର ଗୋଳେଇରେ ମହାରାଜ ପୂର୍ଣ୍ଣଚନ୍ଦ୍ରଙ୍କ ମୂର୍ତି ପ୍ରତିଷ୍ଠା ହୋଇଥିଲେ ତାହା ଯୁକ୍ତିଯୁକ୍ତ ହୋଇଥାନ୍ତା ନା ପୌରପରିଷଦ ଏବେ ଯାହା କରିଛି ତାହା ଭଲ ଲାଗୁଛି !!!!!!!!
(THIS ARTICLE IS BASED ON THE REQUESTS OF SOME READERS OF "SHASAK PRASHASAK" | READERS ARE ALSO REQUESTED TO GIVE THEIR VALUABLE VIEW ON THIS ARTICLE ON fACEBOOK )