ଆଦିବାସୀମାନଙ୍କର ଉନ୍ନତି ବିନା ରାଜ୍ୟ ଓ ଦେଶର ଉନ୍ନତି ଅସମ୍ଭବ-ଅଚ୍ୟୁତ ସାମନ୍ତ
ଆଦିବାସୀ ସମ୍ପ୍ରଦାୟର ଉନ୍ନତିରେ ଦେଶ, ଜାତି ଓ ସମାଜର ଉନ୍ନତି ସାଧିତ ହୋଇଥାଏ: ସାନନ୍ଦ
ଆଦିବାସୀ ହେଉଛନ୍ତି ଭାରତ ଭୂଖଣ୍ଡର ମୂଳବାସୀନ୍ଦା :ଅରୁଣ
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀମାନଙ୍କର ଶିକ୍ଷା, ସାମାଜିକ ଓ ଆର୍ଥିସ୍ତରରେ ଉନ୍ନତି ବିନା ରାଜ୍ୟ ଓ ଦେଶର ଉନ୍ନତି ଅସମ୍ଭବ । ପଢ଼ିବା, ଗଢ଼ିବା ଓ ଆଗକୁ ବଢ଼ିବା ନିମନ୍ତେ ସମସ୍ତ ଆଦିବାସୀ ଆଗେଇ ଆସିବାକୁ ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୩ ଜନ୍ମ ବାର୍ଷିକ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼ଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତପୋଷଣ କରିଥିଲେ । ଏଥି ସହିତ ତାଙ୍କର କିସ ବିଶ୍ୱ ବିଦ୍ୟାଳର ପୃଥିବୀର ସର୍ବ ପ୍ରଥମ ଆଦିବାସୀ ବିଶ୍ୱ ବିଦ୍ୟାଳୟ । ଏଠାରେ୨୭ ହଜାର ଆଦିବାସୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୨ ହଜାର ଛାତ୍ରଛାତ୍ରୀ ପାଶ କରିସାରିଛନ୍ତି । ଏହା ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରୁ ୨ ହଜାର ଆଦିବାସୀ ଛାତ୍ରଛାତ୍ରୀ ଦେୟମୁକ୍ତ ଭାବେ ପାଶ କରି ସାରିଥିବା ବେଳେ ୧୮ ଶହ ବିଭିନ୍ନ ନାମୀଦାମୀ କମ୍ପାନୀରେ ମୋଟା ଅଙ୍କ ଦରମାରେ ଚାକିରୀ କରୁଛନ୍ତି । ୫ ବର୍ଷ ବୟସର ବାପ ଛେଉଣ୍ଡ ହୋଇ ୨୫ ବର୍ଷରୁ ଆଦିବାସୀମାନଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରାଇ ଆସୁଛନ୍ତି । ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ବିକାଶ ଶିକ୍ଷା ଦ୍ୱାରା ସମ୍ଭବ ହୋଇପାରିବ । ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ନିମନ୍ତେ ଗୁଣ୍ଡୁଚି ମୂଷା ସଦୃଶ୍ୟ କାର୍ଯ୍ୟ କରିଆସୁଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଙ୍କୁ ଚିହ୍ନିପାରି କେବଳ ଆଦିବାସୀମାନଙ୍କର ସେବା ନିମନ୍ତେ ରାଜ୍ୟ ସଭାକୁ ପଠାଇଥିବାରୁ ତାଙ୍କ ନିକଟରେ ଚିରଋଣୀ ଅଟନ୍ତି । ଅଚ୍ୟୁତ ସାମନ୍ତ ଯାହାର ଲୁଣ ଖାଏ ତାର ଗୁଣଗାନ କରି ଶିଖିଛି । ମୁଖ୍ୟମନ୍ତ୍ରୀ ନବୀନ ସରକାରରେଙ୍କ କାର୍ଯ୍ୟକାଳରେ ଆଦିବାସୀମାନଙ୍କର ଶିକ୍ଷା, ସାମାଜିକ, ଆର୍ଥିକ ଆଦି ବିଭିନ୍ନ କ୍ଷେତ୍ରରେ ସାମଗ୍ରୀକ ଉନ୍ନତି ସମ୍ଭବ ହୋଇଛି । ଆସନ୍ତା ୪/୫ ବର୍ଷରେ ମଧ୍ୟରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳ ରୂପାୟନ ଦ୍ୱାରା ରାଜ୍ୟର ସମସ୍ତ ଆଦିବାସୀମାନଙ୍କ ବହୁବିଧ ବିକାଶ ଓ ଉନ୍ନତି ସମ୍ଭବ ହୋଇପାରିବ ବୋଲି ଆଶା କରନ୍ତି । ମୁଖ୍ୟ ଅତିଥି ସାଂସଦ ଡ଼ଃ ସାମନ୍ତ ନିଜକୁ ଆଦିବାସୀମାନଙ୍କର ସେବକ ବୋଲି କହିବା ସହିତ ରାଜ୍ୟର ୨୦ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କିସର ଶାଖା ଖୋଲିବାକୁ ଯାଉଛନ୍ତି ଏବଂ ଏହା ମଧ୍ୟରୁ ସର୍ବପ୍ରଥମେ ବାରିପଦାର ବାଙ୍କିଶୋଳଠାରେ କେବଳ ୧୫ ଶହ ଆଦିବାସୀ ପିଲା ଦେୟମୁକ୍ତ ଭାବେ ଅଧ୍ୟୟନ କରିବେ । ପୁଣି ତାଙ୍କର କିସ କିସ ବିଶ୍ୱ ବିଦ୍ୟାଳୟରେ ଏକ ଚେୟାର ଓ ଗବେଷଣାଗାରକୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ନାମ କରଣ କରାଇବା ସହିତ ଆସନ୍ତା ୭ ଦିନ ମଧ୍ୟରେ କଳିଙ୍ଗ ନିଉଜ ଚ୍ୟାନେଲରେ ଦୈନିକ ସାନ୍ତାଳୀ ଭାଷାରେ ଖବର ପ୍ରସାରଣ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଉଛି ଘୋଷଣା କରିବା ସଂଗେସଂଗେ ଯେଉଁମାନେ ତାଙ୍କୁ ଭଲ ପାଉଛନ୍ତି ସେମାନେ ଓଡ଼ିଶାର ଲୋକପ୍ରିୟ ଦକ୍ଷ ତଥା ସର୍ବ ଶ୍ରେଷ୍ଠ ପ୍ରଶାସକ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭଲପାଇବା ନିମନ୍ତେ ଉପସ୍ଥିତ ହଜାର ହଜାର ଆଦିବାସୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ।
ଅପ୍ରେଲ ୩୦ ପବିତ୍ର ବୁଧ ପୂର୍ଣ୍ଣିମାରେ ଅଲଚିକି ଭାଷା ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ଡାଣ୍ଡବୋସ ଡାହରଡିହି ଗ୍ରାମରେ ସାନ୍ତାଳ ସମ୍ପ୍ରଦାୟଙ୍କ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ମଇ ପହିଲାରେ ଜିଲ୍ଲାର ସଦର ମହକୁମା ବାରିପଦା ସହରର ପାଲବଣିସ୍ଥିତ ଷ୍ଟେସନବଜାର ଖେଳପଡ଼ିଆରେ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପୌରହିତ୍ୟରେ ଚଳିତ ବର୍ଷ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୩ ଜନ୍ମ ବାର୍ଷିକ ପାଳନ ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ ସାହୁ ଯୋଗ ଦେଇ ଆଦିବାସୀ ହେଉଛନ୍ତି ଭାରତ ଭୂଖଣ୍ଡର ମୂଳବାସୀନ୍ଦା । ଆଜି ସେମାନେ ସମାଜରେ ତଳସ୍ତରରେ ରହିଆସୁଥିବାରୁ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ଦୟା ନୁହେଁ ସେମାନଙ୍କର ହକ୍ ବୋଲି କହିଥିଲେ । ବିଜେପିର ନାମ ନ ନେଇ ଦେଶରେ ଏକ ମୌଳବାଦୀ ଗୋଷ୍ଠୀ ହାତରେ ଦେଶର ଶାସନ ବ୍ୟବସ୍ଥା ରହିଥିବାରୁ ନିଜକୁ ସୁହାଇବା ଭଳି ଆଇନ ପ୍ରଚଳନ କରିବାର ଉଦ୍ୟମ ଚଳାଇଛନ୍ତି । ଜାତି ଭିତରେ ଭାଗଭାଗ କରିବାର ହୀନ ଉଦ୍ୟମ ଚାଲିଛି । ରାଜସ୍ଥାନରେ ଦଳିତ ଘୋଡ଼ା ଚଡ଼ିବା ଓ ଗୁଜରାଟରେ ଦଳିତ ନିଶ ରଖିବାରୁ ତାକୁ ମାରି ଦିଆଗଲା । ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଦେଶରେ ବହୁତ ଉନ୍ନତି ସାଧିତ ହୋଇଥିଲେ ମଧ୍ୟ ଛୁଆଁ ଅଛୁଆଁ ଭେଦଭାବ ଏକ ବ୍ୟାଧି ଭାବେ ଦେଖାଦେଇଛି । ମହାଭାରତରେ ଗୁରୁ ଦ୍ରୋଣାଚାର୍ଯ୍ୟ ଏକଲବ୍ୟ ପ୍ରତି କରିଥିିବା ଅନ୍ୟାୟକୁ ତୀବ୍ର ସମାଲୋଚନା କରିବା ଅବସରରେ ସାମ୍ପ୍ରତିକ ସମାଜରେ ମଧ୍ୟ ସେହି ଦ୍ରୋଣାଚାର୍ଯ୍ୟ ଆବିର୍ଭାବ ଘଟିଛି । ସେମାନଙ୍କୁ ପ୍ରତିହତ କରାଇବାକୁ ଆହ୍ୱାନ ଦେଇଥିଲେ । ମୟୂରଭଞ୍ଜ ଜନସଂଖ୍ୟାର ପ୍ରାୟ ୬୫ ପ୍ରତିଶତରୁ ଅଧିକ ଆଦିବାସୀ ବସବାସ କରୁଥିବା ବେଳେ ବାରିପଦାଠାରେ ସରକାରୀ ମେଡ଼ିକାଲ କଲେଜକୁ ପଣ୍ଡିତ ରଘୁନାଥ ମୁର୍ମୁ ନାମକରଣକୁ ବିରୋଧ କରାଯିବାକୁ ସମାଲୋଚନା କରିଥିଲେ । ଯେଉଁ ଆଦିବାସୀମାନଙ୍କ ଲହୁ ଓ ଲୁହରେ ଉତ୍ପାଦିତ ଶସ୍ୟ ଓ ସାମଗ୍ରୀ ସମସ୍ତଙ୍କୁ ଆହାର ଯୋଗାଇ ଦେଉଥିବା ବେଳେ ସେହି ସାମଗ୍ରୀ କିନ୍ତୁ ଛୁଆଁଅଛୁଆଁ ବିଚାର କରାଯାଉ ନାହିଁ । ବର୍ତ୍ତମାନ ଏଟିଏମରୁ ଟଙ୍କା ବାହାରୁ ନ ଥିବା ବେଳେ ଜଣେ ଭାଇ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ଜିଲ୍ଲାର ଛେଳି, ମେଣ୍ଢା ଓ କୁକୁଡ଼ା ଏଟିଏମ ବୋଲି କହିବା ତୀବ୍ର ସମାଲୋଚନା କରିବା ସଂଗେସଂଗେ ଏହି ସମସ୍ତ ପ୍ରତିବାଦରେ ବିଶାଳ ଜନଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ । ଏଥି ସହିତ ଗୋପୀନାଥ ମହାନ୍ତିଙ୍କ ଦ୍ୱାରା ରଚିତ ଆଦିବାସୀମାନଙ୍କ ଉପରେ ଆଧାରିତ ଅମୃତର ସନ୍ତାନ ଓ ପରଜା ଉପନ୍ୟାସ ଓ ଧିନୁଆର ବାଘ ଶିକାର ଗଳ୍ପ ଉପରେ ଆଲୋକପାତ କରାଇଥିଲେ । ଉପବାଚସ୍ପତି ଶ୍ରୀ ମାର୍ଣ୍ଡି ତାଙ୍କ ଅଧ୍ୟକ୍ଷ ଅଭିଭାଷଣରେ ଆଦିବାସୀ ସମ୍ପ୍ରଦାୟର ଉନ୍ନତିରେ ଦେଶ, ଜାତି ଓ ସମାଜର ଉନ୍ନତି ସାଧିତ ହୋଇଥାଏ । ସାନ୍ତାଳୀ ସହିତ ହୋ, ମୁଣ୍ଡାରୀ, ଭୂମିଜ ଆଦି ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା ୬୨ ପ୍ରକାରର୍ନ ଆଦିବାସୀ ସମ୍ପ୍ରଦାୟ କ୍ଷେତ୍ରରେ ସାମାଜିକ, ଅର୍ଥନୈତିକ, ଶିକ୍ଷା ଆଦିରେ ଉନ୍ନତିର ଆବଶ୍ୟକତା ରହିଛି । ଡ଼ଃ ଅଚ୍ୟୁତ ସାମନ୍ତଙ୍କ କିସ ଶିକ୍ଷା ଅନୁଷ୍ଠାନ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ତେଣୁ ତାଙ୍କୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଆଦିବାସୀ ସମ୍ପ୍ରଦାୟ ତରଫରୁ ସାଧୁବାଦ ଜ୍ଞାପନ କରିବା ସହିତ କଳିଙ୍ଗ ଟିଭିରେ ସାନ୍ତାଳୀ ଭାଷା ସହିତ ମୁଣ୍ଡାରୀ, ହୋ ଆଦି ଭାଷାରେ ଖବର ପ୍ରସାରଣ କରାଇବା ନିମନ୍ତେ ମୁଖ୍ୟଅତିଥି ଡ଼ଃ ସାମନ୍ତଙ୍କୁ ଉପବାଚସ୍ପତି ଶ୍ରୀମାର୍ଣ୍ଡି ପ୍ରସ୍ତାବ ଦେଇଥିଲେ ଏବଂ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଇବା ନିମନ୍ତେ ଉଦ୍ୟମ କରିବେ ବୋଲି ଡ଼ଃସାମନ୍ତ ସମ୍ମତି ପ୍ରଦାନ କରିଥିଲେ । ସେହିପରି ହୋ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ସରିଛି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ଖୁବଶ୍ରୀଘ୍ର ଏହି ସମାଜର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବା ପରେ ଭାରତ ସରକାରଙ୍କୁ ପତ୍ର ଲେଖିବେ ବୋଲି ସଭାପତି ଶ୍ରୀମାର୍ଣ୍ଡି କହିଥିଲେ । ଏଥି ସହିତ ଆଜିର ଏହି ମଞ୍ଚ ଏକ ଐତିହାସିକ ମଞ୍ଚରେ ପରିଣତ ହୋଇଛି । ଏହା ସାନ୍ତାଳ ସମାଜର କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ହୋ, ମୁଣ୍ଡାରୀ ଆଦି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ସହିତ ଅନୁସୂଚିତ ଜାତିର ପ୍ରତିନିଧି ମଞ୍ଚାସୀନ ହୋଇଥିବାରୁ ଶ୍ରୀ ମୁର୍ମୁ ଧନ୍ୟବାଦ ଜଣାଇଥିଲେ ଏବଂ ମୟୂରଭଞ୍ଜ ସମଗ୍ର ବିଶ୍ୱକୁ ଧର୍ମନିରପେକ୍ଷତା ମଧ୍ୟରେ ଏକ ଭାଇଚାରାର ବାର୍ତ୍ତା ପ୍ରଦାନ କରିଆସୁଥିବାର କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ଜଲେନ ନାଏକ, ନନ୍ଦଲାଲ ସିଂ, ଡ଼ାକ୍ତର ଦେବାଶିଷ ମାର୍ଣ୍ଡି, ମୋହନ ମୁର୍ମୁ, ରମା ପିଙ୍ଗୁଆ, ଶ୍ରୀନାଥ ସୋରେନ, ବୀରବଲ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୨୦/୨୫ ହଜାର ଜନସାଧାରଣ ବିଭିନ୍ନ ସମ୍ପ୍ରଦାୟରୁ ଯୋଗ ଦେଇଥିଲେ ।