ହେଡଲାଇନସ୍:

ଦାଦନ ସମ୍ରାଟ ନବୀନଙ୍କ ମୁହଁରେ ବିକାଶର ଭାଷା ଶୋଭା ପାଉନି : ସମୀର ମହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ନବୀନ ବାବୁଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଶୀତଳଭଣ୍ଡାର ନାହିଁ, ଦାଦନ ସମସ୍ୟାରେ ଜର୍ଜରିତ, ପିଇବା ପାଣି ସମସ୍ୟାରେ ହନ୍ତସନ୍ତ

  •  ୨୫ବର୍ଷ ଶାସନରେ ରହିବା ପରେ ନିଜ ନିର୍ବାଚନ ମଣ୍ଡଳୀ କଥା ବୁଝି ପାରିନଥିବା ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ ନମ୍ବର କରିବା ନେଇ କହିବା ବାହାପିଆଙ୍କ ବାରବାଟି ଚାଷ

ଭୁବନେଶ୍ୱର, ତା.୨୪/୦୪: ବିଜେଡି ୨୫ବର୍ଷ ଧରି ଶାସନରେ ରହି କ୍ଷମତା ଉପଭୋଗ କରିସାରିବା ପରେ ମଧ୍ୟ ଲୋଭ ଛାଡିନାହିଁ । ୨୦୨୪ ନିର୍ବାଚନରେ ପୁଣି ଥରେ କ୍ଷମତାକୁ ଆସିବା ପାଇଁ କ୍ଷମତା ଲିପ୍ସାଧାରୀ ନବୀନ ବାବୁ ମିଛ କହି ମସୁଧା ଚଳାଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀରେ ଆଜି ଗୋଟିଏ ଶୀତଳଭଣ୍ଡାର ନାହିଁ, ଦାଦନ ସମସ୍ୟାରେ ହିଞ୍ଜିଳିବାସୀ ପ୍ରପିଡିତ, ପିଇବା ପାଣି ସମସ୍ୟାରେ ଜର୍ଜରିତ । ନିଜ ଶାସନକାଳ ଭିତରେ ନବୀନ କେତେ ରାତି ବିତାଇଛନ୍ତି ହିଞ୍ଜିଳି ଓ ଗଞ୍ଜାମ ଜିଲ୍ଲାରେ? କେତେ ଦୁଃଖ ଶୁଣିଛନ୍ତି ଓ ତାକୁ ଲାଘବ କରିବା ପାଇଁ କି ପଦକ୍ଷେପ ନେଇଛନ୍ତି । ଗଞ୍ଜାମ ଯୁବଗୋଷ୍ଠୀ କାହିଁକି ଦାଦନ ଯାଉଛି? ୨୫ବର୍ଷ ଧରି ବିଶ୍ୱାସ କରିଥିବା ଓଡ଼ିଶା ଲୋକଙ୍କୁ ନବୀନ ବାବୁ କ୍ଷମା ମାଗିବା କଥା । ତାହା ନକରି ସେ ପୁଣି ଥରେ ଓଡିଆଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରିଛନ୍ତି । ଦାଦନ ସମ୍ରାଟ ନବୀନ ବାବୁଙ୍କ ମୁହଁରେ ବିକାଶର ଭାଷା ଶୋଭା ପାଉନି ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଦୀର୍ଘସମୟ ଶାସନ ଭିତରେ ବିକାଶ ନୁହେଁ ବିନାଶ ହିଁ ଓଡ଼ିଶାର ପରିଚୟ ସାଜିଛି । ଓଡ଼ିଶା ନିର୍ମାଣରେ ପ୍ରାତଃସ୍ମରଣୀୟ କୃଷ୍ଣଚନ୍ଦ୍ର ଗଜପତିଙ୍କର ଅନନ୍ୟ ଅବଦାନ ରହିଛି । ତାଙ୍କୁ କେବେ ବି ସେ ସ୍ମରଣ କରନ୍ତି ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କ କଥା ମନେ ପଡେ ନାହିଁ । ଯିଏ ୨୫ବର୍ଷ ଶାସନରେ ରହିବା ପରେ ବି ନିଜ ନିର୍ବାଚନ ମଣ୍ଡଳୀରେ ଦାଦନ ରୋକିପାରିଲେ ନାହିଁ, ଶୀତଳ ଭଣ୍ଡାର ଟିଏ ସ୍ଥାପନ କରିପାରିଲେ ନାହିଁ ସେ ଆଜି ଓଡିଶାକୁ ଏକ ନମ୍ବର କରିବା ନେଇ କହିବା ବାହାପିଆଙ୍କ ବାରବାଟି ଚାଷ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
୨୫ବର୍ଷ ଶାସନ ପରେ ରାଜ୍ୟରେ ଯୁବକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିବେ ବୋଲି ନବୀନ କହିଛନ୍ତି, କିନ୍ତୁ ବାସ୍ତବ ଚିତ୍ର କହୁଛି ସମଗ୍ର ଗଞ୍ଜାମ ଜିଲ୍ଲାର ଯୁବକ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । ୫-ଟି ସ୍କୁଲ ଓ ମେଡିକାଲର ରୂପାନ୍ତରଣ କଥା କହି ନବୀନ ନିଜର ବାଃ ବାଃ ସାଉଂଟୁଥିବାବେଳେ ପ୍ରକୃତରେ ମେଡିକାଲ ଗୁଡିକରେ ଡାକ୍ତର ନାହିାଁନ୍ତି କିମ୍ବା ରୋଗୀଙ୍କୁ ସାମାନ୍ୟତମ ସୁବିଧା ମଧ୍ୟ ମିଳୁନାହିଁ । ସ୍କୁଲ ଗୁଡିକରେ ବାହାର କାନ୍ଥରେ ରଙ୍ଗ କରାଯାଇଥିବାବେଳେ ସ୍କୁଲରେ ଶିକ୍ଷକ ଆସୁନାହିାଁନ୍ତି । ଓଡ଼ିଶାର ଚାଷୀମାନେ ସମଗ୍ର ଦେଶରେ ଅଧିକ ଗରିବ ମଧ୍ୟରେ ରହୁଥିବାବେଳେ ବିଜେଡି ଶାସନ ସମୟରେ ୧୮୯୫ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ୪ଟି ପାଇଖାନା କରି ଓଡ଼ିଆଙ୍କୁ ଭୂତାଉଛନ୍ତି ନବୀନ । ୪ଦ୍ୱାର ନଖୋଲି ଭକ୍ତଙ୍କୁ ହଇରାଣ ହରକତ କରିବା, ରତ୍ନଭଣ୍ଡାର ନଖୋଲିବା, ଜଗନ୍ନାଥଙ୍କୁ ଭିକାରୀ କରି ବୁଲାଇବା ଓ ଜଗନ୍ନାଥ ସଂସ୍କୃତିକୁ ସମୂଳେ ଧ୍ୱଂସ କରିବା ପାଇଁ ନବୀନ ତାଙ୍କ ମୁଖ୍ୟ ଅଣଓଡ଼ିଆ ଗୁମାସ୍ତାଙ୍କୁ ଦାୟିତ୍ୱ ଦେଇଛନ୍ତି । ନବୀନଙ୍କ ଶାସନରେ ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର । ଓଡ଼ିଆଙ୍କ ଅସ୍ମିତା ଓ ଭାଷାକୁ ଲୋପ କରିବାକୁ ଚାଲିଛି ଚକ୍ରାନ୍ତ । ଏବେ ଓଡ଼ିଆ ଜାଗିଛନ୍ତି । ଓଡିଶାରେ ଅଣଓଡ଼ିଆଙ୍କ ଶାସନ ଚଳିବ ନାହିଁ । ଏଥର ନିର୍ବାଚନରେ ଓଡ଼ିଆ ଓ ଜଗନ୍ନାଥ ବିରୋଧୀ ନବୀନ ସରକାରକୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ । ଦେଶର ମୁଖ୍ୟସ୍ରୋତରେ ଓଡ଼ିଶାକୁ ଆଣିବା ପାଇଁ ରାଜ୍ୟରେ “ଡବଲ ଇଞ୍ଜିନ ସରକାର” ଆବଶ୍ୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

0
0
0
s2sdefault