ସୁନା ହାର, ମୁକୁଟ ଓ ଚାନ୍ଦିର ଚାନ୍ଦୁଆ ମିଶି ଆନୁମାନିକ ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ
ଓଡ଼ଗାଁ, ୧।୫ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଶରଧାପୁର ପଞ୍ଚାୟତ ଅନ୍ତର୍ଗତ ଜାମୁକୋଣ ଅଞ୍ଚଳରେ ଥିବା ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ବଡ଼ ଧରଣର ଚୋରି ହୋଇଥିବା ଜଣାପଡିଛି । ଚୋରମାନେ ମନ୍ଦିରର ଗମ୍ବୁଜ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରି ତିନୋଟି ସୁନାର ମୁକୁଟ, ତିନୋଟି ସୁନାର ହାର ଏବଂ ତିନୋଟି ଚାନ୍ଦିର ଚାନ୍ଦୁଆ ଚୋରି କରିନେଇଥିବା ଜଣାପଡ଼ିଛି। ଚୋରି ହୋଇଥିବା ସମ୍ପତ୍ତିର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି।
ଏନେଇ ଶୁକ୍ରବାର ସକାଳେ ଶରଣକୁଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏସଡିପିଓ ଦିପ୍ତିକାନ୍ତ ପ୍ରଧାନ ଓ ଆଇଆଇସି ସୁଜିତ କୁମାର ଦାସଙ୍କ ନେତୃତ୍ୱରେ ସାଇଣ୍ଟିଫିକ୍ ଟିମ୍ ଓ ସ୍ପେସାଲ୍ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ କାର୍ଯ୍ୟ ଆରମ୍ଭ କରିଛନ୍ତି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଗୁରୁବାର ରାତିରେ କାଳବୈଶାଖୀ ଝଡ଼-ବର୍ଷା ପ୍ରଭାବରେ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଥିଲା। ରାତି ପ୍ରାୟ ୧୦ଟା ବେଳକୁ ଇନଭର୍ଟରର ପାୱାର ମଧ୍ୟ ଶେଷ ହୋଇଯାଇଥିଲା। ମନ୍ଦିରରେ ଜେନେରେଟର ଥିବା ସତ୍ୱେ ତାହା ବ୍ୟବହାର କରାଯାଇନଥିଲା। ଅନ୍ଧାରର ସୁଯୋଗ ନେଇ ଚୋରମାନେ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ଚୋରି କରିଥିବା ଅନୁମାନ କରାଯାଉଛି।
ଝଡ଼ ସମୟରେ ଥଣ୍ଡା ପବନର ପ୍ରଭାବରେ ରାତ୍ରି ଜଗୁଆଳି ଶୋଇପଡ଼ିଥିବା ମଧ୍ୟ ଘଟଣାକୁ ସହଜ କରିଦେଇଥିବା ଅଭିଯୋଗ ହେଉଛି। ସେହି ସମୟରେ ସିସିଟିଭି ବ୍ୟବସ୍ଥା ଅଚଳ ଥିବାରୁ ଚୋରି ସମ୍ବନ୍ଧୀୟ କୌଣସି ସ୍ପଷ୍ଟ ସୁରାକ ମିଳିନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ ଏଠାରେ ନିରବିଘ୍ନ ବିଦ୍ୟୁତ୍ ବ୍ୟବସ୍ଥା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ଯଥା ଏକାଧିକ ରାତ୍ରି ଜଗୁଆଳି ଓ ସଶସ୍ତ୍ର ସୁରକ୍ଷା ବ୍ୟବସ୍ଥା ରଖାଯିବାର ଆବଶ୍ୟକତା ଥିଲା। କିନ୍ତୁ ତାହାର ଅଭାବ ଏହି ଘଟଣାକୁ ଆମନ୍ତ୍ରଣ କରିଥିବା ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି। ଘନ ଜଙ୍ଗଲ ଓ ପାହାଡ଼ ଘେରା ଏହି ଅଞ୍ଚଳ ପୂର୍ବରୁ ‘ଚୋରଖୋଲ’ ଭାବେ ପରିଚିତ ଥିବାରୁ ସୁରକ୍ଷା ପ୍ରତି ଅଧିକ ସତର୍କତା ଆବଶ୍ୟକ ଥିଲା ବୋଲି ମତ ପ୍ରକାଶ ପାଉଛି। ମନ୍ଦିର ପରିଚାଳନା ପକ୍ଷରୁ ଅବହେଳା ଓ ଅଦୂରଦର୍ଶିତା ଏହି ଘଟଣାର ପ୍ରମୁଖ କାରଣ ବୋଲି ଅଭିଯୋଗ ହେଉଛି। ଉଲ୍ଲେଖନୀୟ ଯେ, ଜାମୁକୋଣରେ ଥିବା ଏହି ମନ୍ଦିର ଜମ୍ମୁ-କାଶ୍ମୀରର କଟ୍ରା ସ୍ଥିତ ବୈଷ୍ଣୋଦେବୀ ମନ୍ଦିରର ଢାଞ୍ଚାରେ ନିର୍ମିତ ହୋଇଥିବାରୁ ଏହା ଦ୍ରୁତଗତିରେ ଏକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଥିଲା। ପ୍ରତିଦିନ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଏଠାକୁ ଆସୁଥିବା ବେଳେ, ଏହି ଚୋରି ଘଟଣା ଭକ୍ତମାନଙ୍କ ଭାବନାକୁ ଗଭୀର ଆଘାତ ଦେଇଛି। ପୋଲିସ ତଦନ୍ତ ଜାରି ରହିଛି ଏବଂ ଘଟଣାର ସତ୍ୟତା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି।








