ହେଡଲାଇନସ୍:

ମହିଳା ସଂରକ୍ଷଣ ବିଲ୍‌ ନେଇ ସରକାରଙ୍କୁ କଂଗ୍ରେସର ପ୍ରଶ୍ନ ବାଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ, ୨୩/୪, (ଅନିମେଶ ପଟ୍ଟନାୟକ): ମହିଳା ସଂରକ୍ଷଣ ବିଲ୍ କୁ ନେଇ ବିଜେପି ସରକାର କୁ ପାଲଟା ପ୍ରଶ୍ନ କରିଛି କଂଗ୍ରେସ । ୨୦୨୩ରେ ସମସ୍ତ ବିରୋଧୀ ଦଳର ସମର୍ଥନରେ ପାରିତ ମହିଳା ସଂରକ୍ଷଣ ବିଲ୍‌ କାହିଁକି ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ବୋଲି ପାଲଟା ପ୍ରଶ୍ନ କରିଛି କଂଗ୍ରେସ । କିଛି ରାଜ୍ୟରେ ଏବେ ନିର୍ବାଚନ ଚାଲୁଥିବା ବେଳେ ସୀମା ନିର୍ଦ୍ଧାରଣ ବିଲ୍‌ ସହିତ ଏହାକୁ ଯୋଡ଼ି ପୁନର୍ବାର ପାରିତ କରିବାକୁ ବିଜେପି ସରକାର କାହିଁକି ଅପଚେଷ୍ଟା କରୁଛି ବୋଲି କଂଗ୍ରେସ ସିଧାସଳଖ ପ୍ରଶ୍ନ କରିଛି ।
ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ କଂଗ୍ରେସ ଦଳର ଭୂମିକାକୁ ନେଇ ଶାସକ ଦଳ ପକ୍ଷରୁ ହୋଇଥିବା ଅପପ୍ରଚାରକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ସମ୍ମିଳନୀରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ ରାଜେଶ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଉପସ୍ଥିତ ଥିଲେ। ମଞ୍ଚରେ ମହିଳା ନେତ୍ରୀ ବିଦ୍ୟୁତଲତା ଆଚାର୍ଯ୍ୟ, ସରସ୍ୱତୀ ପାତ୍ର ଏବଂ ପୂର୍ବତନ ସଭାପତି ଉତ୍ତମ କୁମାର ଆଚାର୍ଯ୍ୟ ମଞ୍ଚାସୀନ ଥିଲେ।
ଇଂ ମିଶ୍ର ତାଙ୍କ ଉଦ୍ବୋଧନରେ ୧୯୮୯ ମସିହାରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶାସନକାଳରୁ ପଞ୍ଚାୟତ ଓ ପୌରସଂସ୍ଥାରେ ୩୩% ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ପ୍ରବର୍ତ୍ତନ ଭଳି ଐତିହାସିକ ପଦକ୍ଷେପକୁ ଉଲ୍ଲେଖ କରିଥିଲେ। ସେ କହିଥିଲେ, କଂଗ୍ରେସ ସରକାର ସମୟରେ ଦେଶରେ ନାରୀ ସଶକ୍ତିକରଣ ପାଇଁ ନିରନ୍ତର ପଦକ୍ଷେପ ନିଆଯାଇଥିଲା।ସେ ଆହୁରି ପ୍ରଶ୍ନ କରିଥିଲେ ଯେ, ୨୦୨୩ରେ ସମସ୍ତ ବିରୋଧୀ ଦଳର ସମର୍ଥନରେ ପାରିତ ମହିଳା ସଂରକ୍ଷଣ ବିଲ୍‌ କାହିଁକି ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ସେଥିପାଇଁ ଶାସନ ଦଳର ଉଦାସୀନତାକୁ ସେ ଦାୟୀ କରିଥିଲେ। ଏହାସହିତ, କିଛି ରାଜ୍ୟରେ ନିର୍ବାଚନ ଚାଲୁଥିବା ସମୟରେ ସୀମା ନିର୍ଦ୍ଧାରଣ ବିଲ୍‌ ସହିତ ଏହାକୁ ଯୋଡ଼ି ପୁନର୍ବାର ପାରିତ କରିବାର ଅପଚେଷ୍ଟା ବିଜେପି ସରକାର କାହିଁକି କରୁଛି ବୋଲି ସିଧା ସଳଖ ପ୍ରଶ୍ନ କରିଥିଲେ। ଇଂ ମିଶ୍ର ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଉପରେ ମଧ୍ୟ ସମାଲୋଚନା କରି କହିଥିଲେ ଯେ, ସେ ନିଜ ପଦର ଗରିମାକୁ ଅବମାନନା କରି ସରକାରୀ ଶକ୍ତିର ଅପବ୍ୟବହାର କରି କଂଗ୍ରେସ ଦଳର ଭୂମିକାକୁ ବିଭ୍ରାନ୍ତିକର ଭାବେ ପ୍ରଦର୍ଶିତ କରୁଛି ବିଜେପି ସରକାର। ଏହି ପରିପ୍ରେକ୍ଷିତରେ ନିର୍ବାଚନ କମିଶନଙ୍କ ନିରବତାକୁ ସେ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରିଥିଲେ।
ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ମଧ୍ୟ ତାଙ୍କ ଭାଷଣରେ ବିଜେପି ଦଳର ମହିଳା ସଂରକ୍ଷଣ ପ୍ରସଙ୍ଗରେ ଦୋହରା ନୀତିକୁ କଟୁ ଭାବେ ସମାଲୋଚନା କରିଥିଲେ। ସେ କହିଥିଲେ, ନାରୀଙ୍କୁ ଯଥୋଚିତ ପ୍ରତିନିଧିତ୍ୱ ଦେବାରେ କଂଗ୍ରେସ ଦଳର ଅବଦାନ ଅପରିମିତ। ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତୃବୃନ୍ଦ, ବିଭିନ୍ନ ଫ୍ରଣ୍ଟାଲ୍‌ ସଂଗଠନର ସଦସ୍ୟ, ଯୁବ ଓ ଛାତ୍ର କର୍ମୀମାନେ ଉପସ୍ଥିତ ଥିଲେ।

0
0
0
s2sdefault