ହେଡଲାଇନସ୍:

"ଛାମୁ ଯାହା ଦେଲେ ହରଷେ , ପାଉ ପାଉ ଗଲା ବରଷେ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପଂଚୁ ଜୁଆଙ୍ଗ ଗୁହାରି ପଡୁନି ମୁଖ୍ୟମନ୍ତ୍ରୀଙ୍କ କାନରେ

  • ନା ମଂଜୁର ଘର କାମ ଆରମ୍ଭ ହେଉଛି ନା ଦଦରା ଘର ମରାମତି କରିପାରୁଛି


କେନ୍ଦୁଝର : "ଛାମୁ ଯାହା ଦେଲେ ହରଷେ , ପାଉ ପାଉ ଗଲା ବରଷେ...ଏମନ୍ତ ଭୂଇଁ , ଚାକୁଣ୍ଡା ବୁଣିଲେ ଉଠଇ ନାହିଁ |" ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ଏହି ଉକ୍ତିଟି ଖାପ ଖାଉଛି ଅସହାୟ ଆଦିବାସୀ ପଂଚୁ ଜୁଆଙ୍ଗଙ୍କ ପରିବାର ପାଇଁ |
ସରକାର ନିଜେ ଦେଖିଲେ ନାହିଁ। ଜଣେ ଗରିବ , ଦିନ ମଜୁରିଆ ଆଦିବାସୀ ଲୋକର କରୁଣ କାହାଣୀ ତାଙ୍କ କାନରେ ପଡିଲା ନାହିଁ। ଝାଟିମାଟି ଘରର ଭଙ୍ଗା ଦଦରା ଛପର କାହାରି ଦୃଷ୍ଟିକୁ ଆସିଲା ନାହିଁ। ସ୍ଵାମୀ, ସ୍ତ୍ରୀ ଓ ଦୁଇ ପିଲାଙ୍କୁ ମିଶାଇ ଚାରିଜଣ ର ଏକ ପରିବାର । ଗୋଟିଏ ବଖରା ଘର। ପୁଣି ଦଦରା ଛପର ତଳେ ରହୁଛନ୍ତି। ଏହା କାହା ହୃଦୟକୁ ଛୁଇଁଲା ନାହିଁ। ନା ପଞ୍ଚାୟତ ଅଧିକାରୀ, ନା ବ୍ଲକ୍ କତୃପକ୍ଷ, ନା ଜିଲ୍ଲା ପ୍ରଶାସନ , କେହି ଏ ଦଦରା ଛପରର ମରାମତି ପାଇଁ ପଦକ୍ଷେପ ନେବାକୁ ଉଚିତ୍ ମଣିଲେ ନାହିଁ।
ବାଂଶପାଳ ବ୍ଲକର କୋଡିପଶା ପଞ୍ଚାୟତ। ତା'ରି ଅଧିନରେ କୁଣ୍ଢେଇ ଗାଁ। ଏଇଠି ପଞ୍ଚୁ ଜୁଆଙ୍ଗର ଘର। ଗାଁ ପାଖରେ ନିୟମିତ କାମ ମିଳେ ନାହିଁ ବୋଲି, ପଞ୍ଚୁ କଟକରେ ରହି କାମ କରେ। ଗାଁରେ ସ୍ତ୍ରୀ ପର ଘରେ ମଜୁରୀ କରି ପିଲାଙ୍କୁ ପାଳେ। ଚାଷ ବୋଲି କିଛି ନାହିଁ। ଯାହା ରୋଜଗାର କରନ୍ତି, ସବୁ କିଛି ଖାଇବା, ପିନ୍ଧିବାକୁ ନିଅଣ୍ଟ। ଏ ଘର ମରାମତି ତାଙ୍କ ତାକତ ବାହାରେ।
କାହିଁ କେତେ ଦିନୁ ପଞ୍ଚୁ ତା' ପିଲାଙ୍କୁ ନେଇ ଏଇଠି ରୁହେ। ଏଇ ଦୁଇ ତିନି ବର୍ଷ ତଳୁ ତା' ଘରର ଛପର ଭାଙ୍ଗି ଯାଇଛି। ଟାଇଲ୍ କିଣି ମରାମତି କରିବା ତା' ପକ୍ଷରେ ସମ୍ଭବ ହେଲା ନାହିଁ। ଜରି ପାଲଟିଏ କିଣି ଘୋଡାଇ ଦେଇଛି। ତା'ରି ତଳେ ପିଲାଙ୍କୁ ନେଇ ରୁହେ। ତୁଫାନ ହେଲେ ଧୂଳି ପଶି ଯାଏ। ଜୋର୍ ବର୍ଷା ହେଲେ ପାଣି ଝରେ। ତା'ରି ସାଙ୍ଗକୁ ବିଛା, ସରିସୃପ ର ଭୟ।
ପଞ୍ଚୁ ଛପର ମରାମତି ପାଇଁ କେତେ କାହାକୁ କହିଲା। ସରପଞ୍ଚ ପାଖରେ ନେହୁରା ହେଲା। ସରପଞ୍ଚଟି ଆଦିବାସୀ ହୋଇ ବି ଆଦିବାସୀ ର ଦୁଃଖ ବୁଝିଲା ନାହିଁ। ଦେଖିବା, ବୁଝିବା କହି ଦିନ ଗଡ଼ାଇ ଚାଲିଲା। ପଞ୍ଚୁ ପ୍ରଶ୍ନ କରେ - ଆଦିବାସୀ ସରପଞ୍ଚ ଆଦିବାସୀ ର ଦୁଃଖ ଶୁଣୁ ନାହିଁ। ତେବେ, କ'ଣ ପାଇଁ ଏମିତି ନିର୍ବାଚନ ବ୍ୟବସ୍ଥା? କିଏ ତେବେ ବୁଝିବ?
ଚାରି ଆଡୁ ହତାସ୍ ହେଲା ପଞ୍ଚୁ। ଶେଷରେ ଆସିଲା ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଶା ନିକଟକୁ। ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି, ଓଡ଼ିଶାର ରାଜ୍ୟପାଳ, ଲୋକଙ୍କ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ, କେନ୍ଦୁଝର ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟକୁ ଆଶା ପତ୍ର ଲେଖିଲେ । ସମସ୍ତେ ପତ୍ର ପାଇଲେ। ହେଲେ, ଦୁଃଖର କଥା, କେହି ଆଜି ପର୍ଯ୍ୟନ୍ତ ସେ ଦଦରା ଛପରର ମରାମତି ପାଇଁ କିଛିବି କଲେ ନାହିଁ। ଆଶା ପକ୍ଷରୁ ଚାରିଆଡୁ କହିବା ପରେ ବଖରେ ମଂଜୁର ହେଲା ଯେ ସେ କାମ ବି ଆରମ୍ଭ ହେଲାନାହିଁ |

ସେ ଛପର ଆଜିବି ସେମିତି ଅଛି।‌ ଏହା ବୟାନ କରୁଛି- ପ୍ରଶାସନ କରୁଛି କ'ଣ । ଏ ଅସହାୟ ଗରିବ ଆଦିବାସୀଙ୍କ ପ୍ରତି କେତେ ସମ୍ବେଦନଶୀଳ। ଏହା ମଧ୍ୟରେ କେତେ ବର୍ଷା, ତୋଫାନ ଯାଇଛି। ଅନୁମାନ କରନ୍ତୁ - କେମିତି ରହିଥିବେ ଏ ବର୍ଷା, ଝଡ, ତୋଫାନ ମଧ୍ୟରେ ଏ ଆଦିବାସୀ ପରିବାର। ଏକଥା କ'ଣ କହିବା କି - ଏମାନେ ଏମିତି ସଢି ସଢି ବଞ୍ଚିବାକୁ ଜନ୍ମ ହୋଇଛନ୍ତି ? ଭଲ ଘର ଖଣ୍ଡିଏ ପାଇଁ କ'ଣ ଏମାନଙ୍କ ଅଧିକାର ନାହିଁ ? ଗୋଟିଏ ବଖରା ଘରର ଛପର ମରାମତି ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ ଯେ, କତୃପକ୍ଷ ଏହାକୁ ହାତକୁ ନେଲେ ନାହିଁ ?
ଏ ଗାଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ।‌ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହୁଛନ୍ତି - ସେ ଲୋକଙ୍କ ମୁଖ୍ୟମନ୍ତ୍ରୀ। ଏ ସରକାର ଲୋକଙ୍କ ସରକାର। ଏ ନୂଆ ନୂଆ ଶବ୍ଦ ସିନା ଯୋଡି ହୋଇଯାଇଛି, ହେଲେ, ସରକାରଙ୍କ ଦୃଷ୍ଟିକୋଣ କ'ଣ କିଛି ବଦଳିଛି? ସରକାରଙ୍କ ବିକଳାଙ୍ଗ ମାନସୀକତା ଏବେବି ରହିଛି ବୋଲି ଆମେ ଅନୁଭବ କରୁଛୁ ବୋଲି ଆଶାର ସ୍ଵେଚ୍ଛାସେବୀ ଡମ୍ବରୁଧର ଘଣା କହିଛନ୍ତି।
ଆଉ ବିଳମ୍ବ ନକରି ପଞ୍ଚୁ ଜୁଆଙ୍ଗ ସପକ୍ଷରେ ଯେଉଁ ଘରଟି ମଞ୍ଜୁର ହୋଇଛି, ତା'ର ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପର୍ଣ୍ଣ କରିବା ଓ ଆକସ୍ମିକ ଝଡ, ବତାସ ଦାଉରୁ ରକ୍ଷା ପାଇଁ ବର୍ତ୍ତମାନ ରହୁଥିବା ଘରଟିର ଛପର ତୁରନ୍ତ ମରାମତି କରିବା ସକାଶେ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଆଶା ଅନୁରୋଧ କରିଛି।

0
0
0
s2sdefault