ମହାବିଷୁବ ସଂକ୍ରାନ୍ତିରେ ବିଭିନ୍ନ ସ୍ଥାନରେ ସଂକ୍ରାନ୍ତି ମେରୁ ଅନୁଷ୍ଠିତ ; ଝୁଣାପଣାରେ ମହକି ଉଠିଲା ଝାମୁଯାତ୍ରା ପଡ଼ିଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,14/04,-(ଶିବରାମ ଚୌଧୁରୀ )-ମହା ବିଷୁବ ସଂକ୍ରାନ୍ତି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଉଦଯାପିତ ହୋଇ ଯାଇଛି ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା I ଏହି ବ୍ଳକ୍ ର ଅଠରଟି ଗ୍ରାମରୁ ଷୋହଳଟି ଗ୍ରାମରେ ସୋମବାର ମାସନ୍ତ ମେରୁ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଆଉ ଦୁଇଟି ଗ୍ରାମରେ ସଂକ୍ରାନ୍ତି ମେରୁ ଉଦଯାପିତ ହୋଇ ରୁଦ୍ର ଏବଂ କାଳୀ ନିଜ ମନ୍ଦିରକୁ ଫେରିଥିବା ବେଳେ ମାନସିକ ଧାରୀ ଦଣ୍ଡଭୂକ୍ତାମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି I ଆଜି ବେଲଗୁଣ୍ଠା ବ୍ଳକ୍ ର ଜାଲଖାଇ ଏବଂ ଇନ୍ଦନପୁର ଗ୍ରାମରେ ଝାମୁଯାତ୍ରା ଅନୁଷ୍ଠିତ କରାଯାଇ ଦଣ୍ଡଯାତ୍ରା ଉଦଯାପିତ ହୋଇଛି I ସେହିପରି ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ,ପଣିବନ୍ଧ ଏବଂ ଖୁକୁଣ୍ଡିଆ ଗ୍ରାମରେ ମଧ୍ୟ ସଂକ୍ରାନ୍ତି ମେରୁ ଉଦଯାପିତ ହୋଇଯାଇଛି I ଆଜି ସକାଳୁ ସକାଳୁ ଦଣ୍ଡ ଦଳ ଗୁଡ଼ିକ ବିଭିନ୍ନ ଗ୍ରାମରୁ ନିଜ ଗ୍ରାମକୁ ଫେରି ସକାଳ ନୀତିକାନ୍ତି ଅନୁଷ୍ଠିତ କରିବା ସହିତ ସକାଳ ଦଶ ଘଣ୍ଟା ସମୟରେ ଧୂଳି ଦଣ୍ଡ ଏବଂ ଦିନ ଗୋଟାଏରେ ପାଣି ଦଣ୍ଡ ଅନୁଷ୍ଠିତ ହୋଇଥିଲା I ଦିନ ତିନିଟା ସୁଦ୍ଧା ମାଆଙ୍କ ନଗର ପରିକ୍ରମା ଅନୁଷ୍ଠିତ ହେବାପରେ ସମସ୍ତେ ମେରୁ ମଣ୍ଡପକୁ ବିଜେ କରିଥିଲେ I ସେଠାରେ ହୋମଯଜ୍ଞ ଅନୁଷ୍ଠିତ ହେବା ସହିତ କାଳିସୀଙ୍କୁ ସ୍ନାନ କରାଯାଇ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା I ପ୍ରବଳ ଖରା ସତ୍ତ୍ୱେ ଝାମୁଯାତ୍ରା ଦେଖିବା ପାଇଁ ମେରୁମଣ୍ଡପ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବକୁ ମିଳିଥିଲା I ହରିବୋଲ,ହୁଳହୁଳି,ଜୟ ରୁଦ୍ରକାଳୀ ଧ୍ୱନି ସହିତ ଢୋଲ,ମହୁରୀ,ଗିନି ଶବ୍ଦରେ ମେରୁ ମଣ୍ଡପ ଗୁଡ଼ିକ ପ୍ରକମ୍ପିତ ହୋଇଥିଲା I ସନ୍ଧ୍ୟାରେ ଆଳତୀ ଅନୁଷ୍ଠିତ ହେବା ପରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I

0
0
0
s2sdefault