ଝାରସୁଗୁଡା: ଝାରସୁଗୁଡା ବିମାନବନ୍ଦର ଥାନା ଅନ୍ତର୍ଗତ ଟାଙ୍ଗରପାଲି ଓରାମପଡାରେ ଶନିବାର ବିଳମ୍ବିତ ରାତ୍ରିରେ ଘଟିଛି ଏକ ହୃଦୟବିଦାରକ ଓ ନିର୍ମମ ଘଟଣା। ସ୍ୱାମୀଙ୍କ ଚରିତ୍ର ଉପରେ ସନ୍ଦେହକୁ କେନ୍ଦ୍ର କରି ଘଟିଥିବା ପରିବାରିକ କଳହର କରୁଣ ପରିଣତିରେ ଜଣେ ମା’ ନିଜ ଦୁଇ ଶିଶୁଙ୍କୁ ହତ୍ୟା କରିବା ସହିତ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ଅଭିଯୁକ୍ତା ରଞ୍ଜିତା ଓରାମ ତାଙ୍କ ସ୍ୱାମୀ ସୀତାରାମ ଓରାମଙ୍କ ସହିତ ଉକ୍ତ ଅଞ୍ଚଳରେ ବସବାସ କରୁଥିଲେ। ସ୍ୱାମୀଙ୍କ ଉପରେ ପରକୀୟା ସନ୍ଦେହକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରାୟ ସମୟରେ ଝଗଡା ହେଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଘଟଣାର ପୂର୍ବଦିନ ମଧ୍ୟ ଦୁହେଁଙ୍କ ମଧ୍ୟରେ ତୀବ୍ର କଳହ ହୋଇଥିଲା।
ଶନିବାର ରାତି ପ୍ରାୟ ୧୧.୩୦ରେ ରଞ୍ଜିତା ଶୌଚକାର୍ଯ୍ୟ ପାଇଁ ସ୍ୱାମୀଙ୍କୁ ଉଠାଇଥିଲେ। ସୀତାରାମ ବାହାରକୁ ବାହାରିବା ପରେ ଘରର କବାଟକୁ ପଛରୁ ବନ୍ଦ କରି ରଞ୍ଜିତା ଘରଭିତରେ ଥିବା ଟାଙ୍ଗିଆରେ ତାଙ୍କ ୧୦ ବର୍ଷୀୟା ଝିଅ ଜିଜ୍ଞାସା ଓ ୫ ବର୍ଷୀୟ ପୁଅ ବିହାଂଶୁଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିଲେ। ଦୁଇ ଶିଶୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଏହା ପରେ ରଞ୍ଜିତା ନିଜେ ଏକ ପନିକି ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି।
ସୀତାରାମ ଦୀର୍ଘ ସମୟ ଧରି ଡାକିଲେ ମଧ୍ୟ ଘର ଖୋଲିନଥିବାରୁ ସନ୍ଦେହ ହୋଇ ତାଙ୍କ ଭାଇଙ୍କୁ ଡାକି ଝରକା ଭାଙ୍ଗି ଘରକୁ ପ୍ରବେଶ କରିଥିଲେ। ସେତେବେଳେ ଭିତରେ ରକ୍ତରଞ୍ଜିତ ଦୃଶ୍ୟ ଦେଖି ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।
ପୋଲିସ ପହଞ୍ଚି ଆହତ ରଞ୍ଜିତାଙ୍କୁ ସହିତ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିବାବେଳେ ରଞ୍ଜିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଏସପି ଜି ଆର ରାଘବେନ୍ଦ୍ର ଙ୍କୁ ପଚାରିବାରୁ ମହିଳା ରଞ୍ଜିତା ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ଏବଂ ସେ ସୁସ୍ଥ ଅଛନ୍ତି I ଆସନ୍ତାକାଲି ତାଙ୍କର ସର୍ଜରୀ କରାଯିବ ବୋଲି ସୂଚନା ଦେଇଛନ୍ତି I ଏହାସହ ଏହି ହୃଦୟ ବିଦାରକ ଘଟଣା ପରକୀୟା ପ୍ରୀତି ନା ସ୍ୱାମୀ ସ୍ତ୍ରୀ ଝଗଡା ର କୁପରିଣାମ ସେ ନେଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି I
ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ପକାଇଛି।








