ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଯୁବୋତ୍ସବ ୨୦୨୫ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ୧୨/୧୨/୨୦୨୫ : ଜିଲ୍ଲା ପ୍ରଶାସନ ଏବଂ ମାଇ ଭାରତ ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ବିକଶିତ ଭାରତ ଯୁବ ନେତୃତ୍ଵ ସଂଳାପ ଯୁବୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଯୁବପିଢୀ ଙ୍କୁ ଦେଶର ଆଗାମୀ ଭବିଷ୍ୟତ ବୋଲି କହିଥିଲେ। ପାଠ ପଢ଼ା ବ୍ୟତୀତ ଅନ୍ୟାନ୍ୟ ବିଷୟ ରେ ମଧ୍ୟ ଉପଯୁକ୍ତ ଦକ୍ଷତା ହାସଲ କରିବା ଉଚିତ ଏବଂ ନିଜକୁ ଜଣେ ସୁନାଗରିକ ଭାବେ ଗଢ଼ିବାକୁ ଉଦ୍ୟମ କରିବା ଜରୁରୀ ବୋଲି ଶ୍ରୀ ଭୋଇ କହିଥିଲେ। ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଲେ ଯେ, ଯୁବଗୋଷ୍ଠୀ ସଠିକ ମାର୍ଗ ରେ ପରିଚାଳିତ ହେଲେ ଦେଶର ପ୍ରଗତି ସମ୍ଭବ ହୋଇପାରିବ। ସଫଳତା ପାଇବାକୁ ହେଲେ ଉଦ୍ୟମ କରିବା ଜରୁରୀ ବୋଲି ସେ କହିଥିଲେ। ସମ୍ମାନନୀୟ ଅତିଥି ଭାବେ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଉପସ୍ଥିତ ଯୁବ ପ୍ରତିଭା ଙ୍କୁ ଜୀବନରେ ସକାରାତ୍ମକ ଚିନ୍ତାଧାରା ସହ ଆଗକୁ ବଢିବା ନିମନ୍ତେ ପ୍ରେରଣାଦାୟୀ ଉପଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହିମା ସ୍କୁଲ୍ ଅଫ୍ ନର୍ସିଂ ର ନିର୍ଦ୍ଦେଶକ ଶ୍ରୀ ଗଣେଶ୍ୱର ମାଣିଆ,ଶିକ୍ଷାବିତ ଉତ୍କଳ ରଞ୍ଜନ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବିଜୟିନୀ ପଟ୍ଟନାୟକ ଉପସ୍ଥିତ ରହି ଯୁବପିଢୀ ଙ୍କୁ ସଫଳତା ଓ ଜୀବନ ଆଦର୍ଶ ର ଉପଦେଶ ଦେଇଥିଲେ ।ସଂସ୍କୃତି ଭବନ ପରିସର, ନିମାଇଁ ଭବନ ଏବଂ ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପ ଠାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ମେଳା,ଲୋକ ନୃତ୍ୟ, ଲୋକ ଗୀତ, ଔପଚାରିକ ବକ୍ତୃତା, ଚିତ୍ରାଙ୍କନ, ଗଳ୍ପ ଲିଖନ, କବିତା ଲିଖନ ଇତ୍ୟାଦି ବିଭାଗ ଗୁଡ଼ିକରେ ପ୍ରତିଯୋଗିତା ସମ୍ପନ୍ନ ହୋଇଅଛି। ଏହି ଯୁବ ଉତ୍ସବରେ ଜିଲ୍ଲାର ୧୫ ରୁ ୨୯ ବର୍ଷୀୟ ଯୁବକ ଯୁବତୀମାନେ ଅଂଶ ଗ୍ରହଣ କରିଥିଲେ। ପୂର୍ବାହ୍ନ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ବିଜ୍ଞାନମେଳା ଓ ଯୁବ ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଯୁବପିଢୀ ଙ୍କୁ ନିଜର କର୍ମ ମାଧ୍ୟମ ରେ ନିଜର ପରିଚୟ ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଶ୍ଟ ଶିକ୍ଷାବିତ୍ ଶ୍ରୀ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଯୁବ ସମାଜ କୁ ଦେଶ ପ୍ରଗତି ର ସାରଥି କହିବା ସହ ସେମାନଙ୍କର ସ୍ଵଭାବ, ଚରିତ୍ର ଓ ନୈତିକ ଗଠନ ନିମନ୍ତେ ଅଭିଭାବକ ତଥା ସମାଜ ର ଗୁରୁ ଦାୟିତ୍ଵ ଅଛି ବୋଲି କହିଥିଲେ। ସଠିକ୍ ଦିଗ ଦର୍ଶନ ପାଇଲେ ଯୁବଶକ୍ତି ପ୍ରଗତି ର ଗତିପଥ ବଦଳାଇ ପାରିବ ବୋଲି ସେ କହିଥିଲେ।ଅନ୍ୟ ସମ୍ମାନିତ ଅତିଥି ଭାବେ ଜିଲ୍ଲା ୟୁଥ୍ ଅଫିସର ଶ୍ରୀ ନିଖିଲ କୋକୁଲ୍ଲା , ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଯୁବ ବର୍ଗ ଙ୍କୁ ଉତ୍ସାହିତ କରିଥିଲେ। ୟୁଥ ରେଡ କ୍ରସ୍ ର ରାଜ୍ୟ କୋଅର୍ଡିନେଟର ଶ୍ରୀ ଗୋପାଳ କୃଷ୍ଣ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ରୀଡା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ତରୀୟ ଯୁବ ଉତ୍ସବରେ କୃତିତ୍ୱ ହାସଲ କରି ଜଗତସିଂପୁର ଜିଲ୍ଲାକୁ ଗୌରବାନିତ୍ଵ କରିବାକୁ ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉଦଯାପନୀ ସମାରୋହ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ଉଦଯାପନୀ ସନ୍ଧ୍ୟା ର ଅତିଥି ମାନେ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରିଥିଲେ।ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ୪ ଜଣ ଏକକ ପ୍ରତିଯୋଗୀ ଓ ୨ ଗୋଟି ସାଂସ୍କୃତିକ ଦଳ ଓ ୧ ଟି ବିଜ୍ଞାନ ମେଳା ଦଳ ଜିଲ୍ଲାରୁ ମନୋନୀତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଦଳଗତ ପ୍ରତିଯୋଗୀ ମାନଙ୍କୁ ପ୍ରଥମ ପୁରସ୍କାର ଭାବେ ୧୦୦୦୦ ଟଙ୍କା, ଦ୍ୱିତୀୟ ୭୫୦୦ ଓ ତୃତୀୟ ପୁରସ୍କାର ଭାବେ ୫୦୦୦ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା। ସେହିପରି ଏକକ ପ୍ରତିଯୋଗୀତା ରେପ୍ରଥମ ପୁରସ୍କାର ଭାବେ ୫୦୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ୩୦୦୦ ଓ ତୃତୀୟ ପୁରସ୍କାର ୨୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଦଳ ଗତ ଲୋକ ନୃତ୍ୟ ରେ ଜ୍ଞାନ ଲକ୍ଷ୍ମୀ କଳା ପ୍ରତିଷ୍ଠାନ, ଆଳିପିଙ୍ଗଳ, ଲୋକଗୀତ ରେ ଜୱାହର ନବୋଦୟ ବିଦ୍ୟାଳୟ, ବିଜ୍ଞାନ ମେଳା ରେ ଅଳକା ମହାବିଦ୍ୟାଳୟ ଅନନ୍ତ ବଟ, କବିତା ଲିଖନ ରେ ପ୍ରିୟଦର୍ଶିନୀ ବେହେରା, ଗଳ୍ପ ଲିଖନ ଅନନ୍ୟା ମହାନ୍ତି, ବକ୍ତୃତା ରେ ସାଇ ସ୍ୱରୂପ ବିଶ୍ବାଳ, ଚିତ୍ରାଙ୍କନ ରେ ଶୁଭଶ୍ରୀ ସାହୁ ରାଜ୍ୟ ସ୍ତର କୁ ଉନ୍ନୀତ ହୋଇଛନ୍ତି।ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ମନିଷା ମିଶ୍ର ଉତ୍ସବ ପରିଚାଳନା କରିଥିଲେ ।। ଏହି କାର୍ଯ୍ୟକ୍ରମରେ ମାଇ ଭାରତ ର ଭଲ୍ୟୁଣ୍ଟୀଅର, ମହିମା ସ୍କୁଲ୍ ଅଫ୍ ନର୍ସିଂ ର ଭଲ୍ୟୁଣ୍ଟୀଅର,ବିଚାରକ ମଣ୍ଡଳୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହାୟତା କରିଥିଲେ। ଏହି ଉତ୍ସବ ରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ରୁ ଆସିଥିବା ଯୁବ ପ୍ରତିଭା,ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ଆଇନଜୀବୀ ତଥା ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

0
0
0
s2sdefault