ହେଡଲାଇନସ୍:

ଏଆଇସି-ସୋଆ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାଂଚଳ ଓଡ଼ିଶା ଏଆଇ ସିମ୍ପୋସିୟମ୍ ୨୦୨୫ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଡିସେମ୍ବର ୧୨: ଓଡ଼ିଶା ଏଆଇ ସିମ୍ପୋସିୟମ୍ -୨୦୨୫ର ଅନ୍ୟ ଏକ ପ୍ରମୁଖ କାର୍ଯ୍ୟକ୍ରମ ଓଡ଼ିଶା ଏଆଇ ହାକାଥନ୍ -୨୦୨୫ ରାଜ୍ୟର ୪ଟି ଆଂଚଳିକ ନୋଡାଲ ସେଂଟରରେ ଆୟୋଜିତ ହୋଇଯାଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଏଆଇସି-ସୋଆ ଫାଉଣ୍ଡେସନ୍ ଦ୍ୱାରା କେନ୍ଦ୍ରାଂଚଳ ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ସୋଆକୁ ସେଂଟ୍ରାଲ୍ ଜୋନ୍ ନୋଡାଲ ସେଂଟରର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ରାଜ୍ୟର ୭ଟି ଜିଲ୍ଲା ଖୋର୍ଦ୍ଧା, କଟକ, ପୁରୀ, ଜଗତସଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ନିମନ୍ତେ ଆଂଚଳିକ ହାକାଥନ ପରିଚାଳନାର ଦାୟିତ୍ୱ ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା ।
ଦକ୍ଷତା ଏବଂ ଉଦ୍‌ଭାବନକୁ ଭିତି କରି ୧୬ଟି ଟିମ୍ ହାକାଥନ୍‌ରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ । ଏଆଇସି-ସୋଆ ଫାଉଣ୍ଡେସନ୍‌ରେ ଡିସେମ୍ବର ୧୦ ତାରିଖରେ ଏହି କେନ୍ଦ୍ରାଂଚଳ ହାକାଥନ୍ ଆୟୋଜନ କରାଯାଇଥିଲା । ଏହି ହାକାଥନ୍ ପାଇଁ ବିଚାରକ ମଣ୍ଡଳୀ ଦାୟିତ୍ୱରେ ଥିଲେ ସଫ୍ଟୱେୟାର ଟେକ୍ନୋଲଜି ପାର୍କ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ର ଡକ୍ଟର ଶୀତଳ ପୃଷ୍ଟି, ମାଇକ୍ରୋସଫ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ଶ୍ରୀ ସମୀର ପାତ୍ରୋ, ଟ୍ରାଇଡେଂଟ ଏକାଡେମୀ ଅଫ୍ ଟେକ୍ନୋଲଜି, ଭୁବନେଶ୍ୱରର ଡକ୍ଟର କାଳିପ୍ରସନ୍ନ ସ୍ୱାଇଁ ଏବଂ ଡକ୍ଟର ଶକୁନ୍ତଳା ମହାପାତ୍ର ।
ବିଚାରକ ମଣ୍ଡଳୀ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩ଟି ଟିମ୍‌କୁ ଓଡ଼ିଶା ଏଆଇ ସିମ୍ପୋସିୟମ୍ ପାଇଁ ମନୋନୀତ କରିଥିଲେ । ଏହି ମନୋନୀତ ଟିମ୍ ଗୁଡ଼ିକ ଡିସେମ୍ବର ୧୮ ତାରିଖରେ ଆୟୋଜିତ ହେବାକୁ ଥିବା ଏଆଇ ସିମ୍ପୋସିୟମ୍‌ରେ ନିଜର ଉଦ୍‌ଭାବନ ପ୍ରଦର୍ଶନ କରିବେ ।
ଏହି ହାକାଥନ୍‌କୁ ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ (ଓସା) ଏବଂ ଓଡ଼ିଶା ଏଆଇ ପରିଚାଳନା କରୁଛନ୍ତି । ଏଆଇ ନେଇ ସଚେତନତା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଏବଂ ଷ୍ଟାର୍ଟ-ଅପ୍ ଗୁଡ଼ିକୁ ପ୍ରୋତ୍ସାହନ ଦେବା ଏହି ହାକାଥନ୍‌ର ମୂଳ ଉଦ୍ଦେଶ୍ୟ ।
ଏହି କେନ୍ଦ୍ରାଂଚଳ ପ୍ରତିଯୋଗିତାରେ ଟିମ୍ ପ୍ଲାଷ୍ଟିକିଓର ପ୍ରଥମ ପୁରସ୍କାର ହାସଲ କରି ୧୨୦୦୦ ଟଙ୍କାର ପୁରସ୍କାର ରାଶି ପାଇଥିଲେ । ଏହି ଟିମ୍‌ରେ ଡକ୍ଟର ଜ୍ୟୋତି ଅଗ୍ରୱାଲ, ଶ୍ରୀ ଅମନ୍ ପାତ୍ର ଏବଂ ସୁଶ୍ରୀ ସମ୍‌ହିତା ସୁକନ୍ୟା ସାମିଲ ଥିଲେ ।
ଟିମ୍ ଜିୱାନ୍ ୮୦୦୦ ଟଙ୍କାର ୨ୟ ପୁରସ୍କାର ଲାଭ କରିଥିଲେ । ଏହି ଦଳ ପକ୍ଷରୁ ଏଆଇ ପରିଚାଳିତ ‘ନଟ ସେଫ୍ ଫର୍ ୱର୍କ’ ପ୍ରଦର୍ଶିତ ହୋଇଥିଲା ଯେଉଁଥିରେ ଶିଶୁମାନଙ୍କ ନିମନ୍ତେ କିପରି ଇଂଟରନେଟ ବ୍ୟବହାରକୁ ସୁରକ୍ଷିତ କରାଯାଇପାରିବ ସେ ବିଷୟରେ ସୂଚନା ରହିଛି । ଏହି ଦଳରେ ଭାଗ୍ୟଶ୍ରୀ ଭାଲେଚା, ଉଦୟ ଗର୍ଗ, ମିଲି ଗୁପ୍ତା ଓ ମନିଷ କୁମାର ତିରୁୱାର ସାମିଲ ଥିଲେ ।
ସେହିପରି ସ୍ମାର୍ଟ ବ୍ଲୁମ୍ ୫୦୦୦ ଟଙ୍କାର ୩ୟ ପୁରସ୍କାର ଲାଭ କରିଥିଲେ । ଭର୍ଟିକାଲ୍ ଫାର୍ମିଂ ନିମନ୍ତେ ଏହି ଦଳ ଏକ ଆଇଓଟି ପରିଚାଳିତ ‘ଅଟୋମେଟେଡ ପୋଲିନେସନ୍ ସିଷ୍ଟମ’ର ଉଦ୍‌ଭାବନ କରିଛନ୍ତି । ଏହି ଦଳର ସଦସ୍ୟ ଥିଲେ ଅଙ୍କିତ କୁମାର ଏବଂ ଅବିନାଶ କୁମାର ।
ଏହି ବିଜୟୀ ଦଳଗୁଡ଼ିକୁ ଓଡ଼ିଶା ଏଆଇ ସିମ୍ପୋସିୟମ୍ ନିମନ୍ତେ ମାର୍ଗଦର୍ଶନ କରାଯିବ । ଏଆଇ ଗବେଷକ, ଛାତ୍ରଛାତ୍ରୀ ଓ ଏହି ଟେକ୍ନୋଲଜିରେ ରୁଚି ରଖୁଥିବା ବ୍ୟକ୍ତି ବିଶେଷଙ୍କୁ ଇଣ୍ଡିଆ ଏଆଇ ସିମ୍ପୋସିୟମ୍‌ରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ କରାଯାଇଛି ।

0
0
0
s2sdefault