"ସମନ୍ୱିତ କୃଷି ଜରିଆରେ ଚାଷୀଙ୍କ ଆୟ ବହୁଗୁଣିତ ହେବ" - ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ
ଝାରସୁଗୁଡ଼ା, ୦୭/୧୨: ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜିଠାରୁ ଆରମ୍ଭ ହୋଇଯାଇଅଛି। ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ମନମୋହନ ସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ଵାଣ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ।
ମୁଖ୍ୟ ଅତିଥି ଶ୍ରୀ ପୂଜାରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଝାରସୁଗୁଡ଼ା ଜିଲ୍ଲାରେ ଜଳସେଚନର ସୁବିଧା କରାଯାଇ ସମନ୍ୱିତ କୃଷି ଅନ୍ତର୍ଭୁକ୍ତ ପଶୁପାଳନ ମତ୍ସ୍ୟ ଚାଷ ଓ କୃଷି ମାଧ୍ୟମରେ ଚାଷୀମାନଙ୍କ ଆୟକୁ ବହୁଗୁଣିତ କରାଯାଇପାରିବ। ଏହି ଲକ୍ଷ୍ୟ ହାସଲ ପାଇଁ ସେ କୃଷି, ପଶୁପାଳନ, ମତ୍ସ୍ୟ, ଜଳସେଚନ ଓ ଜଳଛାୟା ବିଭାଗକୁ ନେଇ ମାସକ ମଧ୍ୟରେ ଏକ ଖସଡ଼ା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। କେବଳ ପାରମ୍ପରିକ ଚାଷ ନୁହେଁ, ବରଂ ଜିଲ୍ଲାରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିବା ସହ ସମନ୍ୱିତ କୃଷି ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି। ଚାଷୀଙ୍କ ପାଖରେ ସମସ୍ତ ପ୍ରକାରର ସରକାରୀ ସୁବିଧା ପହଞ୍ଚିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାପାଳ ଶ୍ରୀ ଚହ୍ଵାଣ ତାଙ୍କ ଅଭିଭାଷଣରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ କୃଷି କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ପ୍ରତିବନ୍ଧକକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ସମନ୍ଵୟ ରକ୍ଷା କରି ଚାଷୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଗୁଡ଼ିକୁ ଦୂର କରାଯାଇ କିପରି ତ୍ୱରିତ ସମାଧାନ କରାଯାଇପାରିବ ଏବଂ ଚାଷୀମାନେ କିପରି ଅଧିକ ଲାଭାନ୍ୱିତ ହୋଇପାରିବେ, ସେ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ।
ଏହି ଅବସରରେ କୃଷି କ୍ଷେତ୍ରରେ ସଫଳ ହୋଇଥିବା ପାଞ୍ଚ ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଜଣେ ଚାଷୀଙ୍କୁ ଟ୍ରାକ୍ଟର, ଜଣକୁ ତଳିରୁଆ ଯନ୍ତ୍ର ଓ ଆଉ ଜଣେ ଚାଷୀଙ୍କୁ ପାୱାର ଟିଲର ଆଦି ରିହାତି ମୂଲ୍ୟରେ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।
ଶ୍ରୀ ଅନ୍ନ ଅଭିଯାନ ଅଧୀନରେ, କୃଷି ବିଭାଗ ତରଫରୁ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀକୁ ଜୈବ କେନ୍ଦ୍ର ପାଇଁ ୩୦ ହଜାର ଟଙ୍କା ଏବଂ ଅନ୍ୟ ଏକ ଗୋଷ୍ଠୀକୁ ମିଲେଟ ଟିଫିନ କେନ୍ଦ୍ର ପାଇଁ ୫୦ ହଜାର ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୁଷ୍ଟି ଶସ୍ୟ ଖାଦ୍ୟ ମେଳା ମଧ୍ୟ ଆୟୋଜନ କରାଯାଇଥିଲା।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ମେଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସେ ଚାଷୀମାନଙ୍କୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରୁ ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି କ୍ରୟ କରି ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପାଞ୍ଚ ଦିନିଆ ମେଳା, ଆଧୁନିକ କୃଷି ଯନ୍ତ୍ରପାତି ଓ କୌଶଳକୁ ପ୍ରୋତ୍ସାହନ ଦେଇ ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବାରେ ସହାୟକ ହେବ।
କାର୍ଯ୍ୟକ୍ରମରେ ବରଗଡ଼ ସାଂସଦଙ୍କ ପ୍ରତିନିଧି, ଝାରସୁଗୁଡ଼ା ବିଧାୟକଙ୍କ ପ୍ରତିନିଧି, ସମ୍ବଲପୁର କୃଷି ଅଧିକ୍ଷଣ ଯନ୍ତ୍ରୀ ନରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସମୀର ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସବୁ ବ୍ଲକର ଚାଷୀମାନେ ଅଂଶଗ୍ରହଣ କରିଥିଲେ।











