-
ଗତ କିଛି ଦିନ ତଳେ ବଡ଼ ଗାଇ ଖାଇଥିଲା ବଡବାଘ, ଏବେ ସାନ ବାଘ ଖାଇଲା କଅଁଳା ବାଛୁରୀ
-
ବାଘ ଆତଙ୍କ ରେ ଆତଙ୍କିତ ସିଧାପଦର ଗ୍ରାମବାସୀ
-
ଟ୍ରାପ କ୍ୟାମେରା ଲାଗିଛି,ବାଘ ନେଇଗଲା ମଲା ବାଛୁରୀ
-
ଗ୍ରାମରେ ବାଘ ଆତଙ୍କ କୁ ରାତିରେ ଦାଉ ସାଧୁଛି ବିଜୁଳି ଆଲୁଅ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ):ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏଥିସହ ସନ୍ଧ୍ୟା ହେଲେ କବାଟ ଖୋଲିବାକୁ ଭୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଗୁରୁବାର ରାତିରେ ମୁଜାଗଡ ରେଞ୍ଜ ସିଧାପଦର ଗ୍ରାମରୁ ଗୋଟିଏ କଲାରାପତରିଆ ବାଘ ଗୋଟିଏ ନବଜାତ ବାଛୁରୀ ଛୁଆକୁ ମାରି ଖାଇଥିଲା କିଛି ଅଂଶ। ବଳକା ଅଂଶକୁ ଏକ ଗଛରେ ରଖିଦେଇ ଚାଲିଯାଇଥିଲା। ଶୁକ୍ରବାର ଏହି ଘଟଣା ଜଣାପଡିବା ପରେ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା। ଏଥିସହ ଗତକାଲି ସନ୍ଧ୍ୟାରେ ଘଟଣାସ୍ଥଳରେ ଟ୍ରାପ କ୍ୟାମେରା ଲଗାଯାଇଥିଲା।
ଶନିବାର ସକାଳୁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଦେଖିବା ବେଳକୁ ବାଘ ପୁଣି ଆସି ମଲା ବାଛୁରୀର ବଳକା ଅଂଶକୁ ଗଛ ଉପରୁ ନେଇ ଚାଲିଯାଇଥିବା ଜଣାପଡିଛି। କ୍ୟାମେରା ଜଗିଛି କିନ୍ତୁ ବାଘ ମଲା ବାଛୁରୀ ଛୁଆକୁ ନେଇଯାଇଛି। ଘଟଣାରୁ ପ୍ରକାଶ ଯେ, ସିଧାପଦର ଗ୍ରାମରେ ସ୍ମୃତି ରଞ୍ଜନ ଦାସଙ୍କ କୃଷି ଫାର୍ମ ଅଛି। ଗୁରୁବାର ତାଙ୍କର ଗାଈପଲ ଜଙ୍ଗଲକୁ ଚରିବାକୁ ଯାଇଥିଲେ। ସନ୍ଧ୍ୟାରେ ଗାଈ ପଲ ଫେରିଥିଲେ। କିନ୍ତୁ ଗୋଟିଏ ଗର୍ଭବତୀ ଗାଈ ଫେରି ନ ଥିଲା। ଯାହାକୁ ନେଇ ସ୍ମୃତିରଞ୍ଜନଙ୍କ ଗାଈ ଜଗୁଆଳି ଦ୍ବନ୍ଦରେ ପଡିଥିଲେ। ବିଳମ୍ବିତ ରାତିରେ ଗାଈ ଫେରିଥିଲା। ଏହି ସମୟରେ ଛୁଆ ଜନ୍ମ କରିଥିବା ଜଣାପଡ଼ିଥିଲା। କିନ୍ତୁ ବାଛୁରୀ ଛୁଆ ସାଥିରେ ନ ଥିବା ଜଣାପଡିଥିଲା। ଏହାପରେ ଶୁକ୍ରବାର ପ୍ରତ୍ୟୁଷରେ ଗାଈ ଜଗୁଆଳି ବାଛୁରୀ ଜନ୍ମ ଦେଇଥିବା ଗାଈକୁ ଧରି ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ଗାଈ ଯେଉଁଠି ଛୁଆ ଜନ୍ମ କରିଥିଲା ସେଠି ଅଟକି ଥିଲା। କିନ୍ତୁ ଛୁଆ ନ ଥିବା ଦେଖିବାକୁ ମିଳିଥିଲା। ଏହାପରେ ଖୋଜାଖୋଜି କରିବା ପରେ ମଲା ବାଛୁରୀ ଛୁଆଟି ଗୋଟିଏ ଗଛ ଉପରେ ଥିବା ଦେଖିବାକୁ ପାଇଥିଲେ। ଏଥିସହ ଗାଈ ଚରାଳି ସହ ବାଘ ମୁହାଁମୁହିଁ ହୋଇଯାଇଥିଲା। ଏହାପରେ ଗାଈ ଚରାଳି ପାଟି କରିବାରୁ ବାଘ ସେଠାରୁ ଅନ୍ୟତ୍ର ଚାଲି ଯାଇଥିଲା। ଏହାପରେ ଖବର ପାଇ ଡିଏଫଓ ହିମାଂଶୁ ଶେଖର ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ଅପରପକ୍ଷେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରୁ ବାଘର କିଛି ଚୁଟି, ମଲା ବାଛୁରୀ ର ରକ୍ତ ଜବତ କରି ତଦନ୍ତ ପାଇଁ ପଠାଇଛି। ଏଥିସହ ବାଘର ପାଦ ଚିହ୍ନ ଠାବ କରାଯାଇଛି। ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରା ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଆଜି ହସ୍ତାନ୍ତର କରାଯାଇଛି। କ୍ୟାମେରା ଖୋଲିବା ପରେ ତାହା କଲରାପତରିଆ ବାଘ ବୋଲି ଜଣାପଡିଛି। ଅପରପକ୍ଷରେ ଗ୍ରାମର କିଛି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ମଧ୍ୟ ଏକ ବଡ଼ ବାଘ, ଗୋଟିଏ ବଡ଼ ଗାଇକୁ ମାରି ଖାଇଥିଲା ଓ ସେମାନେ ତାହାର କଙ୍କାଳ କିଛି ଦିନ ପରେ, ଦେଖିଥିଲେ। ଏହି ବିଷୟରେ ମଧ୍ୟ ସେମାନେ ପୂର୍ବରୁ ପ୍ରଶାସନ କୁ ଅଭିଯୋଗ କରିଛନ୍ତି। ବାଘ ସହିତ ବେଳେ ବେଳେ ପାଇ ଜଙ୍ଗଲିଆ ସ୍ଥାନକୁ ହାତି ମଧ୍ୟ ଆସନ୍ତି। ତେଣୁ ହାତିକୁ ସୁରକ୍ଷା ସକାଶେ ରାତିସାରା କରେଣ୍ଟ୍ ରହେନାହିଁ କି ଅନ୍ୟ ସମୟ ଦିନବେଳା ମଧ୍ୟ କରେଣ୍ଟ୍ କାଟ ହୋଇଥାଏ। ଫଳରେ ରାତ୍ରୀର ଅନ୍ଧକାର ଓ ବିନା ବିଜୁଳି ଆଲୁଅ ଗ୍ରାମବାସୀ ଙ୍କ ଜିବନ କୁ ବିଚଳିତ କରିଦେଇଛି। ଗ୍ରାମବାସୀ ଙ୍କ ଦାଣ୍ଡଦୁଆରେ କିଛି ସୋଲାର୍ ଲାଇଟ୍ ଦିଆଯାଇଛି ତଥାପି ତାହା ଦୀର୍ଘ ଦିନ ହେବ ଅଚଳ ରହିଛି। ତେଣୁ ଗ୍ରାମବାସୀ ଙ୍କ ଅଭିଯୋଗ ସେମାନଙ୍କ ଜିବନ ଜିବିକା ର ସୁରକ୍ଷା ନିମନ୍ତେ ପ୍ରଶାସନ ସଠିକ୍ ପଦକ୍ଷେପ ଗ୍ରହଣ କରନ୍ତୁ।











