ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭା ଗୃହରେ ଉପଖଣ୍ଡ ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ଶୁଭ୍ରଜିତ ସାମନ୍ତରାୟ, ଏ ଆର ସି ଏସ୍ ଶ୍ରୀ ବିଜୟ କୁମାର ସାହୁ, ଆର୍ ଏମ୍ ସି ସଂପାଦକ ଶ୍ରୀ ସୁମନ୍ତ କୁମାର ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ମଞ୍ଚାସିନ ଥିଲେ । ଉକ୍ତ ବୈଠକରେ ଚଳିତ ମାସ ୨୩ ତାରିଖରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡରେ ଖୋଲିବ ଖରିଫ୍ ଧାନ ମଣ୍ଡି। ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ଚାଲିବ। ଏ ନେଇ ଆଜି ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭା ଗୃହରେ ଅନୁଷ୍ଠିତ ଉପଖଣ୍ଡ ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ଲକର ମଣ୍ଡି ରୁ ଧାନ କ୍ରୟ ନିମନ୍ତେ ବିଭିନ୍ନ ବିଷୟ ଉପରେ ବିଶେଷ ଆଲୋଚନା ହୋଇଥିଲା ।
ବୈଠକରେ ପ୍ରଥମେ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ପ୍ରଦୀପ ପ୍ରଜ୍ବଳନ ସହ ଆର ଏମ ସି ସଂପାଦକ ସୁମନ୍ତ ସାହୁ ସମସ୍ତଙ୍କୁ ସ୍ଵାଗତ କରି କାର୍ଯ୍ୟସୂଚୀ ଅନୁଯାୟୀ ସଭା କାର୍ଯ୍ୟକୁ ଆଗକୁ ନେଇଥିଲେ। ଚଳିତବର୍ଷ ଧାନ ବିକ୍ରି କରିବା ନିମନ୍ତେ ଉପଖଣ୍ଡର ୪୯ ହଜାର ୭୬୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ପଞ୍ଜିକୃତ ଯୋଗ୍ୟ ଚାଷୀଙ୍କ ଠାରୁ ୧୨୧ ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୩୬ ଟି ଏସ୍ ଏଚ ଜି ଙ୍କ ଜରିଆରେ ଧାନ କ୍ରୟକରାଯିବ । ସରକାରଙ୍କୁ ଚାଉଳ ଫେରାଇଥିବା ଉପଖଣ୍ଡର ସମସ୍ତ ମିଲର୍ସ ଏଥିରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ସମସ୍ତ ମଣ୍ଡିରେ ଚାଷୀମାନେ ଯେପରି ଧାନ ବିକ୍ରି ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ପ୍ରତି ବିଭାଗୀୟ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି। ଚାଷୀଙ୍କ ଠାରୁ ଶାନ୍ତି ଶୃଙ୍ଖଳା ସହ ଧାନ ସଂଗ୍ରହ ଏବଂ ଯେପରି ଅଧିକରୁ ଅଧିକ ପଞ୍ଜିକୃତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକ୍ରି କରିପାରିବେ ସେଥି ପାଇଁ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେବାକୁ ଉପଜିଲ୍ଲାପାଳ ଶ୍ରୀ ବେହେରା କହିଥିଲେ। ଚଳିତ ବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଓ ଗ୍ରେଡ଼ ଏ ଧାନର ମୂଲ୍ୟ ୨୩୮୯ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ଇନ୍ ପୁଟ ସହାୟତା ୭୩୧ ଟଙ୍କା ପ୍ରଦାନ କରାଯିବ। ରାଜ୍ୟ ବାହାରକୁ ହେଉଥିବା ଧାନ ଚାଲାଣ ଉପରେ ନଜର ରଖିବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଚାଷୀଙ୍କଠାରୁ ଧାନ କିଣିବା ର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଇନ୍ ପୁଟ୍ ଓ ବୋନସ୍ ଟଙ୍କା ଜମା କରାଯିବ। ଚାଷୀ ଏଫଏକ୍ୟୁ ମାନର ଧାନ ଧରି ମଣ୍ଡି କୁ ଆଣିବେ। ମଣ୍ଡି ପଏଣ୍ଟ ରେ ଆରଏମସି ତରଫରୁ ସମସ୍ତ ପ୍ରକାର ସୁବିଧା କରାଯିବ। ଧାନର ଗୁଣବତା ଚେକ୍ କରିବାକୁ ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କୁ ନିୟୋଜିତ କରାଯିବ। ଚାଷୀ ମଣ୍ଡିରେ କୌଣସି ପ୍ରକାର ଅସୁବିଧା ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବା ଏବଂ ଉପଖଣ୍ଡ ର ସମସ୍ତ ଚାଷୀମାନଙ୍କୁ ପ୍ରତି ଗ୍ରାମରେ ପ୍ରଚାର ପ୍ରସାର କରି ସଚେତନତା କରିବା ପାଇଁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଚଳିତ ଥର ସମସ୍ତ ମଣ୍ଡିରେ ଲାଗିଥିବା ସିସିଟିଭି କୁ ନେଇ ଉପଖଣ୍ଡ ମୁଖ୍ୟାଳୟରେ ଏକ କଂଟ୍ରୋଲ ରୁମ୍ ଖୋଲାଯିବ। ସେଥିରେ ଧାନ କିଣା ବିକାର ସମସ୍ତ କାର୍ଯ୍ୟ ନିରୀକ୍ଷଣ କରାଯିବ। ବୈଠକରେ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ତହସିଲଦାର ଅଭିପ୍ସା ପଟ୍ଟନାୟକ, ସିଡିପିଓ, ବିପିସି,ଏମଆଇ ଙ୍କ ସମେତ ଆରଏମସି କର୍ମଚାରୀ, ଚାଷୀ ପ୍ରତିନିଧି,ମିଲର୍ସ,ସମବାୟ ସମିତି ସମ୍ପାଦକ,ମହିଳା ସ୍ବୟଂ ସହାୟକ ଦଳର ସଦସ୍ୟା ଯୋଗ ଦେଇଥିଲେ। ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଧନ୍ୟବାଦ୍ ଅର୍ପଣ କରିଥିଲେ। ବର୍ତ୍ତମାନ ଦେଖିବାର କଥା ଏଥିରେ ଚାଷୀ ଚଳିତ ବର୍ଷ କେତେ ଉପକୃତ ହୋଇ ପାରୁଛନ୍ତି।
ରାଜ୍ୟ
ଭଞ୍ଜନଗର ଆର୍.ଏମ୍.ସି ସଭା ଗୃହରେ ଉପଖଣ୍ଡ ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ: ଖରିଫ ବର୍ଷ ୨୦୨୫-୨୬
- Hits: 8











