ରାଉରକେଲା,(ବସନ୍ତ କୁମାର ଜେନା): ସ୍ଵଚ୍ଛ ସର୍ବେକ୍ଷଣ ୨୦୨୪ ରେ ରାଉରକେଲା ମହାନଗର ନିଗମର ଉଲ୍ଲେଖନୀୟ ପ୍ରଦର୍ଶନ ପରେ, ରାଉରକେଲା ମହାନଗର ନିଗମ ଅଞ୍ଚଳରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ବଡ଼ାଖାନାର ଆୟୋଜନ କରାଯାଇଥିଲା। ସଫେଇ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଦେବା ପୂର୍ବକ ସ୍ଥାନୀୟ ଲେବର ଟେନାମେଣ୍ଟ ସ୍ଥିତ କଲ୍ୟାଣ ମଣ୍ଡପରେ ଏହି ବଡ଼ାଖାନାର ଆୟୋଜନ କରାଯାଇଥିଲା। ଏଥିରେ ସେମାନଙ୍କୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା।
ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଯୋଗ ଦେଇଥିଲେ। ରାଉରକେଲାକୁ ଏକ ସ୍ଵଚ୍ଛ ଓ ସୁନ୍ଦର ସହର ଭାବେ ଗଢ଼ି ତୋଳିବାରେ ପ୍ରମୁଖ ଅବଦାନ ଗ୍ରହଣ କରୁଥିବା ସଫେଇ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ। ସହରକୁ ସ୍ଵଚ୍ଛ ରଖିବା ଦାୟିତ୍ଵ କେବଳ ଯେ ସଫେଇ କର୍ମଚାରୀଙ୍କ ଉପରେ ନ୍ୟସ୍ତ ତାହା ନୁହେଁ ବରଂ ସମସ୍ତ ନାଗରିକ ଏହି କ୍ଷେତ୍ରରେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଏଥିସହ ସ୍ଵଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପୂର୍ବକ ସମସ୍ତ ନାଗରିକ ଏଥିରେ ସାମିଲ୍ ହେବାକୁ ସେ ଆହ୍ବାନ ଦେଇଥିଲେ।
ଏହି ଅବସରରେ ରାଉରକେଲା ସହରର ପରିମଳ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମହିଳା କର୍ମଚାରୀମାନଙ୍କୁ ମାନପତ୍ର ଓ ଟ୍ରଫି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତିଦିନ ଝାଡୁ ସାହାଯ୍ୟରେ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଦାୟିତ୍ଵରେ ଥିବା ଝାଡୁଦାରଙ୍କ ସହ ସ୍ଵଚ୍ଛସାଥୀ, ସର୍ବସାଧାରଣ ଶୌଚାଳୟ ସଫେଇ କାର୍ଯ୍ୟରେ ନିୟୋଜିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ବସ୍ତୁ ପୁନଃଲାଭ କେନ୍ଦ୍ର ଏବଂ ମଳ ପରିଚାଳନା କେନ୍ଦ୍ର ଦାୟିତ୍ଵରେ ଥିବା ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ରାଉରକେଲା ମହାନଗର ନିଗମ ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ମଲ୍ଲିକ, ଉପ ପୌରାୟୁକ୍ତ ତରୁଣ କାନ୍ତ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।