ରାସ୍ତା କଲେନି ତ ମରଣ ଯନ୍ତା କଲେ, ଲୋକେ ପାଉଛନ୍ତି ଯମ ଯନ୍ତ୍ରଣା
କେନ୍ଦୁଝର,ତା ୨୮/୬- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଡିମ୍ବୋ ପଞ୍ଚାୟତର ଧୁଡୁରୁପାଳ ଗାଁର ୯ ନମ୍ବର ୱାର୍ଡ଼ ମହାନ୍ତ ସାହିର ଲୋକେ ସାହିକୁ ରାସ୍ତା ଲାଗି ଅନେକ ଦିନରୁ ନେତା ପ୍ରଶାସକ ସମସ୍ତଙ୍କୁ ଗୁହାରି କରୁଥିଲେ। ତେବେ ଯା ହେଉ କେନ୍ଦୁଝର ପ୍ରଶାସନ ସେମାନଙ୍କ କଥା ଶୁଣି ଚଳିତ ବର୍ଷ ମାର୍ଚ୍ଚ ମାସରେ ସାହିକୁ ରାସ୍ତା ଲାଗି ଟଙ୍କା ମଂଜୁର କଲେ। ଲୋକେ ସାମୟିକ ଖୁସି ହୋଇଥିଲେ ହେଲେ ଦେଖିବା ବେଳେ ଏବେ ସୁଧା ସେହି ରାସ୍ତା କାମ ସରିବା ନାଁ ଧରୁନି। ଠିକାଦାର ରାସ୍ତା ଅଧା କରି ମାଟି ମିଳୁନି ବୋଲି କାମ ବନ୍ଦ କରି ପୋଖରୀ ଖୋଳୁଛି। ପ୍ରଶାସକ ମାନେ ଏହାର କିଛି ସମାଧାନ ନକରିବାରୁ ଲୋକେ ଅଧା ଖଣ୍ଡିଆ ମାଟି ପାଣି ପଚପଚ ରାସ୍ତାରେ କାଦୁଆରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି,ରୋଗୀ ବୟସ୍କ ଲୋକଙ୍କ ସହ ଛୁଆମାନେ ବହୁ କଷ୍ଟ ପାଉଛନ୍ତି ରାସ୍ତାରେ ଚାଲିବାକୁ। ଏହି ଅଞ୍ଚଳରେ ଚାଷୀ ବେଶୀ ଥିବାରୁ ବିଲକୁ ଯିବାକୁ ତଥା ପନି ପରିବା ଆଣି ବଜାରରେ ବିକ୍ରୀ କରିବାକୁ ଲୋକେ ଖୁବ୍ ହୀନ ହୀନସ୍ତା ହେଉଛନ୍ତି। ଗାଁ ଲୋକେ ସବୁଆଡ଼େ ହାରି ଗୁହାରୀ କରି କରି ବିଫଳ ହେବାରୁ ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକଙ୍କ ପାଖରେ ପହଞ୍ଚି ଗାଁକୁ ଆସିବାକୁ ଡାକିଥିଲେ । ସେ ଯାଇ ଏହି ପରି ରାସ୍ତା ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇ ଥିଲେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏପରି ଭାବେ ଲୋକେ ରହୁଥିବାରୁ ସେ ଲଜ୍ଜିତ ହୋଇଥିଲେ। ତେଣୁ ପ୍ରତିକାର ଲାଗି ବିଭିନ୍ନ ଆଡ଼େ ଫୋନ କରି ବୁଝିଥିଲେ। ତେବେ ପ୍ରଶାସନ ଏହି ରାସ୍ତାକୁ ତୁରନ୍ତ ସାରିବାକୁ ସେ ଦାବୀ କରିଛନ୍ତି ଅନ୍ୟଥା ସେ ବାଧ୍ୟ ହୋଇ ଲୋକଙ୍କ ଲାଗି ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି।