ହେଡଲାଇନସ୍:

ଏ.ବି.ପି.ଏମ୍.ଜେ.ଏ.ୱାଇ-ଜି.ଜେ.ଏ.ୱାଇ କାର୍ଡ ବଣ୍ଟନ ୧ କୋଟି ଟପିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିକାଶ-ବାହନ ଯାତ୍ରା କାଳରେ ବୟୋବନ୍ଦନା କାର୍ଡ ପାଇଁ ସ୍ଵତନ୍ତ୍ର ଅଭିଯାନ


ଭୁବନେଶ୍ୱର, ୧୩ ଜୁନ:  ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇଛି । ଚଳିତ ବର୍ଷ ଏପ୍ରିଲ ୧୧ ତାରିଖ ଦିନ ଶୁଭାରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ- ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଏ.ବି.ପି.ଏମ୍.ଜେ.ଏ.ୱାଇ-ଜି.ଜେ.ଏ.ୱାଇ) ରେ ଯୁଗ୍ମ କାର୍ଡ ବଣ୍ଟନ ୧ କୋଟି ଟପିଛି । ଏହାଛଡ଼ା ଆର୍ଥିକ ଓ ସାମାଜିକ ବର୍ଗ ନିର୍ବିଶେଷରେ ସମସ୍ତ ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ସାମିଲ କରାଯାଇଛି । ସେମାନଙ୍କ କାର୍ଡ ପାଇଁ ବିକାଶ-ବାହନ ଯାତ୍ରା କାଳରେ ଶତ ପ୍ରତିଶତ ଇ.କେ.ୱାଇ.ସି ଶେଷ କରିବାକୁ ବିଭାଗ ତରଫରୁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନକୁ ପୂର୍ଣ୍ଣ ମାତ୍ରାରେ ସଫଳ କରିବାକୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ତଥା ରାଜ୍ୟ ସ୍ୱାସ୍ଥ୍ୟ ଭରସା ସମିତି(ସାସ୍) ଅଧ୍ୟକ୍ଷ ଶ୍ରୀମତୀ ଅଶ୍ଵତୀ ଏସ୍ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ଗତ କାଲି ରାଜ୍ୟର ସମସ୍ତ ଜିଲ୍ଲାରେ ସମୁଦାୟ ୧ କୋଟି ୪୧ ହଜାର ୮୬୩ ଟି ଏ.ବି.ପି.ଏମ୍.ଜେ.ଏ.ୱାଇ-ଜି.ଜେ.ଏ.ୱାଇ ଯୁଗ୍ମ କାର୍ଡ କାର୍ଡ ବଣ୍ଟାଯାଇଛି । କାର୍ଡ ବଣ୍ଟନରେ ଗଞ୍ଜାମ, ମୟୂରଭଞ୍ଜ, କଟକ ଓ ବଲାଙ୍ଗୀର ଆଦି ଜିଲ୍ଲା ଆଗୁଆ ଅଛନ୍ତି । ଗଞ୍ଜାମ ଜିଲ୍ଲାରେ ୭.୯୬ ଲକ୍ଷ କାର୍ଡ ବଣ୍ଟା ହୋଇଥିବା ବେଳେ ମୟୂରଭଞ୍ଜରେ ୭.୩୩ ଲକ୍ଷ, କଟକରେ ୬.୮୮ ଲକ୍ଷ ଏବଂ ବଲାଙ୍ଗୀରରେ ୫.୩୪ ଲକ୍ଷରୁ ଅଧିକ କାର୍ଡ ବଣ୍ଟାଯାଇଛି । ସମସ୍ତ ୩୦ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଡ ବଣ୍ଟନ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ନାଗରିକ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୩.୨୧ ଲକ୍ଷ ବରିଷ୍ଠ ନାଗରିକଙ୍କ ଇକେୱାଇସି କରି କାର୍ଡ ପ୍ରସ୍ତୁତ କରାଯାଇଛି । ଅବଶିଷ୍ଟ ୧୯.୭୯ ଲକ୍ଷ ବରିଷ୍ଠ ନାଗରିକଙ୍କ ଇ.କେ.ୱାଇ.ସି ବିକାଶ-ବାହନ ଯାତ୍ରା କାଳରେ ଜୁନ ୨୨ ତାରିଖ ସୁଦ୍ଧା ଶେଷ କରିବାକୁ ଶାସନ ସଚିବ ଶ୍ରୀମତୀ ଅଶ୍ଵତୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଗ୍ରାମ ଓ ପଞ୍ଚାୟତୱାରୀ ଅଣୁ-କାର୍ଯ୍ୟସୂଚୀ ସହ ସମୟ-ନିର୍ଘଣ୍ଟ ପ୍ରସ୍ତୁତ କରିବା ପାଇଁ ସାସ୍ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା. ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ ସ୍ଵାସ୍ଥ୍ୟକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଅଣୁ-କାର୍ଯ୍ୟଯୋଜନା ଗୁଡ଼ିକୁ ସଂପୃକ୍ତ ଅଂଚଳର ଆଶାକର୍ମୀ, ଏ.ଏନ୍.ଏମ, ଅଙ୍ଗନବାଡ଼ି କର୍ମୀ, ବହୁମୁଖି ସ୍ୱାସ୍ଥ୍ୟକର୍ମୀ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ବ୍ଲକ ଏବଂ ଜିଲ୍ଲା ପ୍ରୋଗ୍ରାମ ଅଫିସରମାନେ ସକ୍ରିୟ ଭାବେ ସାମିଲ ହୋଇ କାର୍ଯ୍ୟାୟନ କରିବା ପାଇଁ ଡାକ୍ତର ବୃନ୍ଦା ନିର୍ଦ୍ଦେଶ ଦେଇଛନ୍ତି । ବୟୋବନ୍ଦନା ଯୋଜନାରେ ପ୍ରତି ପରିବାର ତାଲିକାଭୁକ୍ତ ହସ୍ପିଟାଲମାନଙ୍କରେ ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ପାଇବେ । ଏହି ଟଙ୍କା ତାଙ୍କ ମୂଳ ପରିବାରର ୫ ଲକ୍ଷ ଟଙ୍କା ପାଣ୍ଠି ଠାରୁ ଅଲଗା ହେବ ।
ଯେଉଁ ଯୋଗ୍ୟ ବ୍ୟକ୍ତି ମାନେ ବର୍ତ୍ତମାନ ସୁଦ୍ଧା ନୂଆ ଯୁଗ୍ମ-କାର୍ଡ ପାଇନାହାନ୍ତି ସେମାନେ ନିଜର ଆଧାର କାର୍ଡ/ପୁରୁଣା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ଦେଖାଇ ତାଲିକାଭୁକ୍ତ ହସ୍ପିଟାଲମାନଙ୍କରେ ଦେୟମୁକ୍ତ ଚିକିତ୍ସା ପାଇପାରିବେ ବୋଲି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ପଷ୍ଟ କରିଦିଆଯାଇଛି ।

0
0
0
s2sdefault