ସମ୍ବିତ ପାତ୍ର ନିଜର ପଦମର୍ଯ୍ୟାଦା ରକ୍ଷାକରନ୍ତୁ- ଯୁବ କଂଗ୍ରେସ
ଭୁବନେଶ୍ବର ତା. ୬.୬- ପୁରୀ ସାଂସଦ ଜଣେ ବାଚାଳ । ତାଙ୍କ ନିୟନ୍ତ୍ରଣରେ ତାଙ୍କ ଜିଭ କେତେବେଳେ ନଥାଏ। ନିଜକୁ ଚର୍ଚ୍ଚା ଭିତରକୁ ଆଣିବାପାଇଁ ସେ ଅନେକ ଥର ଅନେକ ଅରୁଚିକର ମନ୍ତବ୍ୟ ଦେଇ ସାଧାରଣରେ ନିନ୍ଦିତ ହୋଇଛନ୍ତି ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଯେଉଁ ଅପମାନ ସୂଚକ ମନ୍ତବ୍ୟ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ। ଅତୀତରେ ସେ ନିଜର ହିତାହିତ ଜ୍ଞାନ ଭୁଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଭକ୍ତ କହି ସାଧାରଣରେ ନିନ୍ଦିତ ହୋଇଛନ୍ତି । ଯିଏ ମୋଦିକୁ ଜଗନ୍ନାଥଙ୍କ ଠାରୁ ବଡ଼ ବୋଲି ବିଚାର କରେ ସେହି ଲୋକ ଯାହା ନାହିଁ ତାହା କହିପାରେ ।
ଦେଶପାଇଁ ଯେଉଁ ଗାନ୍ଧୀ ପରିବାର ସମର୍ପିତ ସେହି ଗାନ୍ଧୀର ପରିବାରର ଦାୟଦ ହେଉଛନ୍ତି ରାହୁଲ ଗାନ୍ଧୀ । ଭାରତର ଅଖଣ୍ଡତା ଓ ସୁରକ୍ଷା ପାଇଁ ସଦା ସର୍ବଦା ସେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଚୀନ୍ ଆଉ ପାକିସ୍ଥାନ ଠାରୁ ଅର୍ଥ ନେବା ଏବଂ ଦେଶଦ୍ରୋହୀ କହି ଆରୋପ କରିବା ଦୁର୍ଭାଗ୍ୟଜନକ। ଏହାକୁ ସାଧାରଣରେ ପାଗଳର ପ୍ରଳାପ ବୋଲି କୁହାଯାଇପାରେ । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନଓ୍ୱାଜ କହିଛନ୍ତି ଯେ ମୋଦି ସରକାର ବହୁ ଚାଇନା କମ୍ପାନୀଙ୍କୁ ସିକ୍ୟୁରଟି କ୍ଲିୟରାନ୍ସ ଦେଇଛନ୍ତି। ତେବେ ଚାଇନା ସମ୍ପର୍କରେ ମୋଦି ରହିଛନ୍ତି ନା ରାହୁଲ ଗାନ୍ଧୀ ରହିଛନ୍ତି ଏହା ଜଣାପଡ଼ିଯାଉଛି । ଦେଶର ବିରୋଧ ଦଳର ନେତାଙ୍କ ପ୍ରତି ଏଭଳି ମନ୍ତବ୍ୟ ଜଣେ ସାଂସଦ ଦେବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ । ଭାରତୀୟ ଜନତାପାର୍ଟି କେନ୍ଦ୍ରରେ ସରକାରରେ ଅଛି। ତାଙ୍କ ପାଖରେ ସମସ୍ତ ବିଧୂ ବ୍ୟବସ୍ଥା ରହିଛି। ସମ୍ବିତ ପାତ୍ରଙ୍କ ଉପରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ରହିଛନ୍ତି । ଏ ଖବର ସମ୍ବିତ ପାତ୍ରଙ୍କୁ ଜଣାପଡ଼ିଲା କିନ୍ତୁ ସେମାନେ କେମିତି ଜାଣିପାରିଲେ ନାହିଁ ବୋଲି ସୟଦ ୟାସିର ନଓ୍ୱାଜ ପ୍ରଶ୍ନ କରିଛନ୍ତି। ଏଣୁ “ଶୃଗାଳ କ'ଣ ନଖାଏ, ସମ୍ବିଦ କ’ଣ ନଖାଏ” ବୋଲି ସେ କହିଛନ୍ତି । ସେ ପିମ୍ପୁଡ଼ି ଭଳି ମଣିଷ ଟିଏ, ରୁଖା ଉପରେ ଚଡ଼ିଯାଇଛନ୍ତି । ସମ୍ବିତ ପାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ । ସେ ଲୋକ ସଭାର ବିରୋଧ ଦଳ ନେତାଙ୍କୁ ଅପମାନିତ କରିଛନ୍ତି।
ସୁତରାଂ କଳାପତାକା ପ୍ରଦର୍ଶନ ଅଗଣତାନ୍ତ୍ରୀକ ନୁହେଁ । ନିକଟରେ କେରଳ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ପ୍ରସଙ୍ଗକୁ ନେଇ କେରଳ ହାଇକୋର୍ଟ କହିଛନ୍ତି ଯେ କଳାପତାକା ଦେଖାଇବା ବେଆଇନ ନୁହେଁ । ଏଣୁ ସେ କଳାପତାକା ପ୍ରଦର୍ଶନକାରୀଙ୍କ କେସକୁ କ୍ଵାସ କରିଦେଇଥିଲେ । ସେହିଭଳି କଳାପତାକା ପ୍ରଦର୍ଶନ କରିଥିବା ଯୁବ କଂଗ୍ରେସର କର୍ମୀମାନଙ୍କ ଉପରେ ୧୦୯ ଭଳି ହତ୍ୟା ଦଫା ଲଗାଇବା ଦୁର୍ଭାଗ୍ୟଜନକ। ବିଜେପି ସରକାର ବିରୋଧ ଦଳର ଅଧୂକାରକୁ ଛଡ଼ାଇ ଦେବାପାଇଁ ଅପଚେଷ୍ଟା କରୁଛନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧ ଦଳର ଭୂମିକାକୁ ସଂପୂର୍ଣ୍ଣ ବନ୍ଦ କରିଦେବାକୁ ବିଜେପି ଚକ୍ରାନ୍ତ କରୁଛି । ଯୁବ କଂଗ୍ରେସ ଅଣ୍ଡା, ଟେକା, କାଦୁଆ କି କାଳି ଫିଙ୍ଗିନାହିଁ । କେବଳ କଳାପତାକା ଦେଖାଇ ଅସନ୍ତୋଷ ବ୍ୟକ୍ତ କରିଛି । ତୁରନ୍ତ ଯୁବ କଂଗ୍ରେସ କର୍ମୀଙ୍କ ନାମରେ ରୁଜୁ ହୋଇଥିବା ମିଥ୍ୟା ମକଦ୍ଦମାକୁ ଉଠାଇନେବାକୁ ଯୁବ କଂଗ୍ରେସ ଦାବି କରୁଛି। ପୋଲିସ ପ୍ରଶାସନ ନିରପେକ୍ଷ ରୁହନ୍ତୁ । କ୍ଷମତାଶୀନ ସରକାରର ଇଙ୍ଗିତରେ ବିରୋଧ ଦଳର କଣ୍ଠରୋଧ କରିବାପାଇଁ ଚେଷ୍ଟା ନକରନ୍ତୁ ବୋଲି ସୟଦ ୟାସିର ନଓ୍ୱାଜ କହିଛନ୍ତି । ଯଦି ନିର୍ଦ୍ଦେଶ ଯୁବ କଂଗ୍ରେସ କର୍ମୀଙ୍କ ଉପରୁ ମିଥ୍ୟା ମକଦ୍ଦମା ଉଠାଇ ନନିଆଯାଏ ତେବେ ଯୁବ କଂଗ୍ରେସ ଆନ୍ଦୋଳନ କରିବ ବୋଲି କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସୁଦିପ ସାମଲ, ଆଲୋକ ଦାସ, ମହମ୍ମଦ ପରଭେଜ ଉପସ୍ଥିତ ଥିଲେ ।