ଭୁବନେଶ୍ୱର, ମଇ ୩: ପୃଥିବୀରେ ସବୁଜଗୃହ ଗ୍ୟାସ (ଗ୍ରୀନ ହାଉସ୍ ଗ୍ୟାସ) ନିର୍ଗମନକୁ ଯଦି ଶୀଘ୍ର ହ୍ରାସ କରା ନଯାଏ ତେବେ ପୃଥିବୀର ତାପମାତ୍ରା ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଅଧିକ ୨.୭ ଡିଗ୍ରୀ ସେଲସିଅସ ବୃଦ୍ଧି ପାଇବ ।
ପ୍ରାପ୍ତ ସୂଚନା ଅନୁଯାୟୀ ପୃଥିବୀରେ ୧୯୯୦ ରୁ ୨୦୨୦ ମଧ୍ୟରେ ସବୁଜଗୃହ ଗ୍ୟାସ ୪୭ ପ୍ରତିଶତ ଓ ଅଙ୍ଗାରକାମ୍ଳ ଗ୍ୟାସ ୮୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ବିଶିଷ୍ଟ ପାଣିପାଗବିତ୍ ଓ ଗବେଷକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।
ୱାର୍ଲ୍ଡ ମେଟିଓରୋଲଜିକାଲ୍ ଅର୍ଗାନାଇଜେସନ (ଡବ୍ଲୁ୍ୟଏମ୍ଓ)ର ତଥ୍ୟକୁ ଉଦ୍ଧାର କରି ଡକ୍ଟର ସାହୁ କହିଛନ୍ତି ଯେ ଯଦିଓ ଜଳବାୟୁ ପରିବର୍ତନ ଉପରେ ୨୦୧୫ରେ ପ୍ୟାରିସରେ ହୋଇଥିବା ବୁଝାମଣା ଅନୁଯାୟୀ ପୃଥିବୀର ବୃଦ୍ଧି ପାଉଥିବା ତାପମାତ୍ରାକୁ ୨ ଡିଗ୍ରୀ ସେଲ୍ସିଅସ ମଧ୍ୟରେ ସୀମାବଦ୍ଧ ରଖିବାକୁ ନିଷ୍ପତି ହୋଇଥିଲା ଏହି ତାପମାତ୍ରା ଏହାକୁ ଅତିକ୍ରମ କରିଯିବ ବୋଲି ଅନୁମାନ କରାଯାଉଛି ।
ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର (ସେଂଟର ଫର କ୍ଲାଇମେଟ ଆଣ୍ଡ ଏନ୍ଭାଇରନ୍ମେଂଟ)ର ନିଦେ୍ର୍ଧଶକ ଭାବେ କାର୍ଯ୍ୟ କରୁଥିବା ଡକ୍ଟର ସାହୁ କହିଛନ୍ତି ଯେ ପରିବେଶରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ଶିଳ୍ପାୟନ ପୂର୍ବ ସମୟ ଠାରୁ ୧୪୯ ପ୍ରତିଶତ ବୃଦ୍ଧି ପାଇଛି ଯାହା ଉଦ୍ବେଗଜନକ । ଏହା ପୃଥିବୀ ଓ ଭବିଷ୍ୟତ ପୀଢ଼ି ନିମନ୍ତେ ଉତମ ନୁହେଁ ବୋଲି ସେ କହିଛନ୍ତି ।
ଡକ୍ଟର ସାହୁ ସିଇସି ଓ ଆମେରିକାସ୍ଥିତ ରିଭର୍ସ ଅଫ୍ ଦି ୱାର୍ଲ୍ଡର ମିଳିତ ସହଯୋଗରେ ସୋଆ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ‘ୱାଟର, ୱେଷ୍ଟ ମ୍ୟାନେଜମେଂଟ ଆଣ୍ଡ କ୍ଲାଇମେଟ ଚେଞ୍ଜ’ ଶୀର୍ଷକ ଆନ୍ତର୍ଜାତିକ କର୍ମଶାଳାରେ ବକ୍ତବ୍ୟ ରଖି ଏହା କହିଥିଲେ ।
ପୂର୍ବରୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିଦେ୍ର୍ଧଶକ ଥିବା ଡକ୍ଟର ସାହୁ କହିଥିଲେ ଯେ ୨୦୧୫ରେ ପରିବେଶରେ ଅଙ୍ଗାରକାମ୍ଳ ଗ୍ୟାସ ୪୦୦ ପିପିଏମ୍ ଥିବା ବେଳେ ୨୦୨୦ରେ ଏହା ୪୧୩.୨ ପିପିଏମକୁ ବୃଦ୍ଧି ପାଇଥିଲା । ସେହିପରି ବାୟୁମଣ୍ଡଳରେ ମିଥେନ୍ ଓ ନାଇଟ୍ରସ ଅକ୍ସାଇଡର ମାତ୍ରା ୧୭୫୦ ମସିହା ତୁଳନାରେ ଯଥାକ୍ରମେ ୨୬୨ ପ୍ରତିଶତ ଓ ୧୨୩ ପ୍ରତିଶତ ବୃଦ୍ଧି ପାଇଛି ।
ସେ କହିଥିଲେ ଯେ ଡବ୍ଲୁ୍ୟଏମ୍ଓ ତଥ୍ୟ ଅନୁଯାୟୀ ପୃଥିବୀ ପ୍ରାୟ ୩ ରୁ ୫ ନିୟୁତ ବର୍ଷ ପୂର୍ବେ ଅଙ୍ଗାରକାମ୍ଳର ତୁଳନୀୟ ଏକତ୍ରୀକରଣ ଅନୁଭବ କରିଥିଲା ଯେତେବେଳେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇଥିଲା । ମାତ୍ର ସେତେବେଳେ ପୃଥିବୀର ଜନସଂଖ୍ୟା ୮୦୦ କୋଟି ନଥିଲା । ଏଥିରୁ ସବୁଜଗୃହ ଗ୍ୟାସର ନିର୍ଗମନ ପୃଥିବୀ ପ୍ରତି କେତେ ବିପଦଜନକ ତାହା ଅନୁମାନ କରାଯାଇପାରେ ।
ଏହି କର୍ମଶାଳାରେ ରିଭର୍ସ ଅଫ୍ ଦି ୱାର୍ଲ୍ଡ ର ଶ୍ରୀ ସୁବିଜୟ ଦତ, ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ବାଲା ପ୍ରସାଦ, ସୋଆ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ଭିଏସଏସ୍ ୟୁନିଭର୍ସିଟି ଅଫ୍ ଇଞ୍ଜିନିୟରିଂ, ବୁର୍ଲାର ପ୍ରଫେସର ଅନିଲ କର ବକ୍ତବ୍ୟ ରଖିଥିଲେ ।
ରାଜ୍ୟ
ସବୁଜଗୃହ ଗ୍ୟାସ ନିର୍ଗମନକୁ ହ୍ରାସ କରା ନଗଲେ ପୃଥିବୀର ତାପମାତ୍ର ୨.୭ ଡିଗ୍ରୀ ବୃଦ୍ଧି ପାଇବ: ଗବେଷକ
- Hits: 55