ନ୍ୟାୟ ଦେବାପାଇଁ ସମ୍ବେଦଶୀଳ ହେଉ ପ୍ରଶାସନ
ବରଗଡ଼/Nila Deep -ପରିଣତ ବୟସରେ ଉପନୀତ ହେଲେଣି। ଚଲାବୁଲା ଠିକ୍ଭାବେ କରିପାରୁ ନାହାନ୍ତି। ମାତ୍ର ତାଙ୍କୁ ଏବେ ମଧ୍ୟ ପରିବାର ଗୁଜୁରାଣ ଚିନ୍ତା ଘାରୁଛି। ଏହି କ୍ରମରେ ଗତ ଖରିଫ ମରୁଡ଼ି ସହାୟତାରୁ ବଞ୍ଚିତ ବରଗଡ଼ ବ୍ଲକ ଶସ୍ତୁପାଲି ଗ୍ରାମର ଯଦୁମଣି ଭୋଇ(୭୮) ସୋମବାର ଟାଣଖରାରେ ଏକ ଆଶାବାଡ଼ି ଧରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଯଦୁମଣିଙ୍କ ୩ଝିଅ।୨ଝିଅଙ୍କୁ ବିବାହ ଦେଇସାରି ଥିବାବେଳେ ଅନ୍ୟ ଅବିବାହିତ ଝିଅ ତାଙ୍କ ସାଥୀରେ ରହୁଛନ୍ତି। ୧୮ବର୍ଷ ତଳେ ସେ ସ୍ତ୍ରୀଙ୍କୁ ହରାଇ ସାରିଥିବା ଯଦୁମଣି କହନ୍ତି। ତାଙ୍କର ଯେଉଁ ୫ଏକର ଜମି ରହିଛି, ତାକୁ ଅନ୍ୟଜଣଙ୍କୁ ଭାଗଚାଷରେ ଦେଇଛନ୍ତି। ତେବେ ଗତବର୍ଷ ମରୁଡ଼ି ହେବା ଯୋଗୁ ସବୁ ଫସଲ ଉଜୁଡ଼ି ଯାଇଥିଲା ଏବଂ ଭାଗଚାଷୀଙ୍କଠାରୁ କିଛି ମିଳି ନଥିଲ। ରାଜ୍ୟ ସରକାର ମରୁଡ଼ି ସହାୟତା ଘୋଷଣା କରିଥିଲେ। ଅନ୍ୟମାନଙ୍କୁ ସେହି ସହାୟତା ମିଳିଲା, ମାତ୍ର ଏପର୍ଯ୍ୟନ୍ତ ତାଙ୍କୁ ସେହି ସହାୟତା ଅପହଞ୍ଚ ହୋଇପଡ଼ିଛି। ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ମାସିକ ଯେଉଁ ତିନିଶହ ଟଙ୍କା ମିଳୁଛି, ତାହା ହିଁ କେବଳ ବାପଝିଅଙ୍କ ପେଟପୋଷଣର ସାହାରା ପାଲଟିଛି ବୋଲି ଯଦୁମଣି କହିଥିଲେ। ମରୁଡ଼ି ସହାୟତା ମିଳିବ ଆଶା ନେଇ ଅନେକଥର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗୁହାରୀ କଲେଣି, କିନ୍ତୁ କିଛି ସୁଫଳ ମିଳି ନଥିବା ସେ କହିଛନ୍ତି।